ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପରେ ପ୍ରଥମ ଦିନ ଭୁବନେଶ୍ବରରେ କିପରି ହେଲା ଜାଞ୍ଚ – ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର : ନୂଆ କଟକଣା ପାଇଁ ୩ମାସ ମହଲତ ଆଜି ଶେଷ ହୋଇଥିବା ବେଳେ ଆଉ ୩ମାସ ମହଲତ ଆରମ୍ଭ ହୋଇଛି। କାଗଜପତ୍ର ଠିକ୍‌ କରାଇ ନେବା ପାଇଁ ସରକାର ସମୟ ଦେଇଛନ୍ତି ସତ, କିନ୍ତୁ ନିୟମ ଖିଲାପକାରୀଙ୍କ ପାଇଁ ଆଜିଠାରୁ କଣ୍ଟ ପୂରିଛି। ତିନିମାସ ଧରି ହାତବାନ୍ଧି ବସିଥିବା ଟ୍ରାଫିକ୍ ପୁଲିସ ଆଜି ରାଜଧାନୀର ୨୫ଟି ଛକରେ ବେଶ୍‌ ଧରପଗଡ଼ କରିଥିଲା। ଛୁଟିଦିନ ସ‌େ‌ତ୍ତ୍ବ ରବିବାର ସକାଳ ୯ଟାବେଳୁ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ଛିଡ଼ା କରି ଜୋରିମାନା ଆଦାୟ କରୁଥିବା ଦେଖାଯାଇଥିଲା। ପୁଣି ତିନିମାସ ମହଲତ ମିଳିଥିବାରୁ ଅନେକ ଲୋକ ଘରୁ ହେଲମେଟ ଆଣିବାକୁ ଉଚିତ ମନେ କରିନଥିଲେ। ଧରା ପଡ଼ିବା ପରେ ନୂଆ ନିୟମ କଥା ମନେପଡ଼ିଥିଲା। ଭୁଲ ବାଟରେ ଗାଡ଼ି ଚଳାଇ, ଗୋଟିଏ ବାଇକ୍‌ରେ ତିନି ଜଣ ଯାଇ, ସିଟ୍ ବେଲ୍ଟ ବ୍ୟବହାର ନକରି, ଲାଲ ସଙ୍କେତ ଅତିକ୍ରମ କରି ଗାଡ଼ି ଚାଳକ ଧରା ପଡୁଥିବା ଦେଖାଯାଇଥିଲା। ଯେତେ ନେହୁରା ହେଲେ ବି ପୁଲିସ ଶୁଣିବାକୁ ନାରାଜ। ଶେଷରେ ଜୋରିମାନା ଦେଇ କାନମୁଣ୍ଡ ଆଉଁସି ଫେରିବା ହିଁ ସାର ହେଲା।

ଜୋରିମାନା ଦେଇଛି, ହେଲ୍‌ମେଟ୍‌ ପିନ୍ଧିବିନି : ୧୦୦୦ ଟଙ୍କା ଜରିମାନା ଦେଇଛି, ୨୪ ଘଣ୍ଟା ପର୍ଯ୍ୟନ୍ତ ହେଲ୍‌ମେଟ୍‌ ପିନ୍ଧିବି ନାହିଁ। ରାଜମହଲ ଛକରେ ଯାଞ୍ଚ ଚାଲିଥିବା ସମୟରେ ଜଣେ ଯୁବକ ବିନା ହେଲ୍‌ମେଟ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ପୁଲିସ ତାକୁ ଧରିଥିଲା। ଏହାପରେ ପୁଲିସ ସହ ଦୀର୍ଘସମୟ ଯୁକ୍ତିତର୍କ ପରେ ୧୦୦୦ ଟଙ୍କା ଜୋରିମାନା ଦେଇଥିଲା। ଏହାପରେ ବିନା ହେଲ୍‌ମେଟ୍‌ରେ ପୁଲିସ ଯାଞ୍ଚ କରୁଥିବା ଅଞ୍ଚଳରେ ସେ ବୁଲିଥିଲା। ପ୍ରାୟ ୨ ଘଣ୍ଟା ବିନା ହେଲ୍‌ମେଟ୍‌ରେ ବୁଲି ରାଜମହଲ ଛକରେ ଟ୍ରାଫିକ୍‌ କର୍ମଚାରୀଙ୍କୁ ହଇରାଣ ହରକତ କରିଥିଲା।


ଚାଲାଣ ନ କାଟି ଲାଇସେନ୍ସ ରଖିବାକୁ କହିଲା ପୁଲିସ : ରାଜମହଲ ଛକରେ ବିନା ହେଲ୍‌ମେଟ୍‌ରେ ଯାଉଥିବା ଜଣେ ଚାଳକଙ୍କୁ ପୁଲିସ ଧରିଥିଲା। ସେ ହସ୍ପିଟାଲକୁ ଯାଇଥିଲେ ଏବଂ ତାଙ୍କ ନିକଟରେ ଟଙ୍କା ନ ଥିବା କହିଥିଲେ। ହେଲେ ତାଙ୍କୁ ଚାଲାଣ କାଟୁଥିବା ପୁଲିସ ଅଧିକାରୀ ଜଣକ ଚାଲାଣ ନ ଦେଇ ଲାଇସେନ୍ସ ଦେବାକୁ କହିଥିଲେ। ସେ ମନା କରିବାରୁ ତାଙ୍କୁ ଟଙ୍କା ଯୋଗାଡ଼ କରିବାକୁ କହିଥିଲେ। ସେଥିରେ ସେ ସଫଳ ହୋଇନଥିଲେ। ପୁଲିସ କର୍ମଚାରୀ ତାଙ୍କ ଲାଇସେନ୍ସ ରଖିବା ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନିୟମ କୋହଳ : ଫାଇନ ଦବୁନିସରକାର ନିୟମ କୋହଳ କରିଛନ୍ତି। ତମେ କାହିଁକି ଆଜିଠାରୁ ଲୋକଙ୍କୁ ଧରୁଛ। ଆଜି ଛାଡ଼ି ଦିଅ। ବିମାନବନ୍ଦର ଛକରେ ଯାଞ୍ଚ ସମୟରେ ଧରାପଡ଼ିଥିବା ଜଣେ ବ୍ୟକ୍ତି ପୁଲିସ କର୍ମଚାରୀଙ୍କୁ ଏପରି କହି ଖସିବାକୁ ଉଦ୍ୟମ କରୁଥିଲେ, କିନ୍ତୁ କିଛି ସୁଫଳ ମିଳିଲାନି। ହେଲମେଟ ନପିନ୍ଧିଲେ କାଗଜପତ୍ର ଯାଞ୍ଚ ପାଇଁ ସରକାର କହିଛନ୍ତି ବୋଲି ସମ୍ପୃକ୍ତ କନେଷ୍ଟବଳ ତାଙ୍କୁ ସଫା ସଫା ଶୁଣାଇ ଦେଇଥିଲେ।
ଜୋରିମାନା ନଦେଲେ ଘରେ ଚାଲାଣ ପହଞ୍ଚିବ ବୋଲି ଜାଣିବା ପରେ ଗାଡ଼ି ଚାଳକ ଜଣକ ଏଟିଏମ୍‌ରୁ ଟଙ୍କା ଆଣି ଜୋରିମାନା ଗଣିଥିଲେ।

ଟିଭିଡିଏସ୍‌ରେ ଧରାପଡ଼ିଲେ ୪ : ରୁପାଲି ଛକରେ ଆଜିଠାରୁ ଆରମ୍ଭ ହୋଇଛି ସ୍ବୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା ଅବା ଟ୍ରାଫିକ୍ ଭାଓଲେନ୍ସ ଡିଟେକ୍ସନ୍ ସିଷ୍ଟମ୍ (ଟିଭିଡିଏସ୍‌)। ପ୍ରଥମ ଦିନରେ ଚାରି ଜଣ ବେପରୁଆ ଗାଡ଼ି ଚାଳକଙ୍କୁ ଧରିଛି ସିସିଟିଭି। ସେମାନଙ୍କ ଘର ଠିକଣାରେ ଇ-ଚାଲାଣ ପଠାଯାଇଛି। ରୁପାଲି ଛକ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ଏହି ଉଚ୍ଚ କ୍ଷମତାସମ୍ପନ୍ନ ସିସିଟିଭି ଲାଗିଛି। ଆଜିଠାରୁ ରୁପାଲି ଛକରେ ଏହା କାର୍ଯ୍ୟକାରୀ ହୋଇଥିବାବେଳେ ଚଳିତ ମାସ ଅନ୍ୟ ସ୍ଥାନରେ ଏହାକୁ କାର୍ଯ୍ୟକ୍ଷମ କରାଯିବ।

୬,୫୦୦ ଟଙ୍କା ତଣ୍ଡ ଗଣିଲେ : ବାଣୀବିହାର ଛକରେ ଟ୍ରାଫିକ୍‌ ଯାଞ୍ଚ ସମୟରେ ବିନା ହେଲ୍‌ମେଟ୍‌ ଓ ମୋବାଇଲ ଫୋନ୍‌ରେ କଥା ହେବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅକ୍ଷୟ ସେଠୀ ନାମକ ଜଣେ ଯୁବକ ଆଜି ସକାଳ ୯ଟା ସମୟରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇ ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଯାଉଥିଲେ। ଏହି ସମୟରେ ତାଙ୍କୁ ଟ୍ରାଫିକ୍ ପୁଲିସ ଧରି ୬୫୦୦ ଟଙ୍କା ଜୋରିମାନା କରିଥିଲା। ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇବା ଲାଗି ୫୦୦୦ ଟଙ୍କା, ହେଲ୍‌ମେଟ୍‌ ନଥିବାରୁ ୧୦୦୦ ଟଙ୍କା ଓ ବିପରୀତ ଦିଗରେ ଗାଡ଼ି ଚଳାଇବା ପାଇଁ ଆର୍‌ଟିଓ ପକ୍ଷରୁ ୫୦୦ ଟଙ୍କାର ରସିଦ୍‌ କଟାଯାଇଛି।
ନଜର ରଖୁଛି ସିସିଟିଭି : ଆଜି ଅନେକ ଛକରେ ପୁଲିସ ଯାଞ୍ଚ ହେଉନଥିଲେ ସୁଦ୍ଧା କିଛି ଗାଡ଼ି ଚାଳକ ନିୟମ ଉଲ୍ଲଘଂନ କରି ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। କାଲିଠାରୁ ଅନ୍ୟ ଛକମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ସେମାନଙ୍କ ଘରକୁ ପୁଲିସ ଇ-ଚାଲାଣ ପଠାଇବ ବୋଲି ଜଣାପଡ଼ିଛି। ଯେଉଁମାନେ ନିର୍ଦ୍ଧାରିତ ସମୟରେ ଆସି ଜୋରିମାନା ନଦେବେ ସେମାନଙ୍କ ନାମରେ ଜୋରିମାନା ଉପରେ ସୁଧ ଗଡ଼ିବ।

ରାଜମହଲ ଛକରେ ପୁଲିସ ମୁତୟନ : ୩ମାସ ତଳେ କାଗଜପତ୍ର ଯାଞ୍ଚ କରିବାକୁ ନେଇ ପୁଲିସ-ଜନତାଙ୍କ ମଧ୍ୟରେ ରାଜମହଲ ଛକରେ ଖଣ୍ଡଯୁଦ୍ଧ ହୋଇଥିଲା। ପୁଣି ଉକ୍ତ ଛକରେ ପୁଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲାବେଳେ କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ କମିସନରେଟ ପୁଲିସ ସତର୍କ ହୋଇଛି। ଯାଞ୍ଚ କରାଯାଉଥିବା ସ୍ଥାନରେ ବ୍ୟାପକ ପରିମାଣର ପୁଲିସ ମୁତୟନ କରାଯାଇଥିଲା।

୮୦ ସିସିଟିଭି ଅଚଳ: ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା ଅନେକ ସିସିଟିଭି ଅଚଳ ଥିବା ଜଣାପଡ଼ିଛି। ପ୍ରାୟ ୩୫୦ କ୍ୟାମେରାରୁ ୮୦ଟି ଅଚଳ ହୋଇପଡ଼ିଛି। ସିସିଟିଭିରେ ଗାଡ଼ି ଚାଳକଙ୍କୁ ଚିହ୍ନଟ କରି ଇ-ଚାଲାଣ ପଠାଇବା ପାଇଁ ପୁଲିସ ଯୋଜନା କରୁଥିବାବେଳେ ଅଚଳ ସିସିଟିଭି ଏଥିରେ ବାଧକ ସାଜିଛି।

ପ୍ରମୁଖ ଛକ ମୁକୁଳା : ରାଜଧାନୀର ପ୍ରମୁଖ ଛକଗୁଡ଼ିକ ମୁକୁଳା ପଡ଼ିଥିଲା। ନଥିଲା ପୁଲିସ ଯାଞ୍ଚ। ଜିରୋ ଟଲରାନ୍ସ ଛକ ଏଜି, କଳ୍ପନା ଭଳି ଗୁରୁତ୍ବପୂର୍ଣ୍ଣ ଛକରେ ଟ୍ରାଫିକ୍‌ ଯାଞ୍ଚ କରାଯାଉନଥିଲା। ସକାଳୁ କିଛି ‌ସ୍ବେଚ୍ଛାସେବୀ ସଂଗଠନ ଲିଫ୍‌ଲେଟ୍‌ ଦେଇ ଲୋକଙ୍କୁ ସଚେତନ କରୁଥିଲେ। ଯାଞ୍ଚ କରାଯାଉନଥିବାରୁ ନିୟମ ଉଲ୍ଲଘଂନ କରି ଚାଳକ ଯାଉନଥିବା ଦେଖାଯାଇଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଥିବା କିଛି ଚାଳକଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯାଇଥିଲା। ଚିହ୍ନଟ ଖିଲାପିଙ୍କ ନିକଟକୁ ଚାଲାଣ ପଠାଯିବ।

ନଜର ରଖୁଛି ସିସିଟିଭି : ଆଜି ଅନେକ ଛକରେ ପୁଲିସ ଯାଞ୍ଚ ହେଉନଥିଲେ ସୁଦ୍ଧା କିଛି ଗାଡ଼ି ଚାଳକ ନିୟମ ଉଲ୍ଲଘଂନ କରି ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। କାଲିଠାରୁ ଅନ୍ୟ ଛକମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ସେମାନଙ୍କ ଘରକୁ ପୁଲିସ ଇ-ଚାଲାଣ ପଠାଇବ ବୋଲି ଜଣାପଡ଼ିଛି। ଯେଉଁମାନେ ନିର୍ଦ୍ଧାରିତ ସମୟରେ ଆସି ଜୋରିମାନା ନଦେବେ ସେମାନଙ୍କ ନାମରେ ଜୋରିମାନା ଉପରେ ସୁଧ ଗଡ଼ିବ।

ରାତିରେ ବି ଚାଲିଲା ଯାଞ୍ଚ : ନିଶାସକ୍ତ ଚାଳକଙ୍କୁ ସାବାଡ଼ କରିବା ଲାଗି କମିସନରେଟ ପୁଲିସ ଆନାଲାଇଜର ଧରି ବିଭିନ୍ନ ଛକରେ ଯାଞ୍ଚ କରିଛି। ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ ସନ୍ଦେହ ଆସିଲେ ସେମାନଙ୍କୁ ଅଟକାଇ ଯାଞ୍ଚ କରାଯାଉଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଧରାପଡ଼ିଲେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ। କଳ୍ପନା, ରବି ଟକିଜ୍‌, ଲକ୍ଷ୍ମୀସାଗର ଛକରେ ପୁଲିସ ଯାଞ୍ଚକୁ କଡ଼ାକଡ଼ି କରିଛି। ପୂର୍ବରୁ ଧରପଗଡ଼ ସମୟରେ ଯେଭଳି ମଦ ବ୍ୟବସାୟ ମାନ୍ଦା ପଡ଼ିଥିଲା ପୁଣି ଯାଞ୍ଚ ଜୋର୍‌ଦାର୍‌ କରାଗଲେ ମଦ ବ୍ୟବସାୟ କମିବ। ନିଶାସକ୍ତ ଅବସ୍ଥା‌େ‌ର ଗାଡ଼ି ଚଳାଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାଦ୍ବାରା ଦୁର୍ଘଟଣାର ହାର ମଧ୍ୟ କମିବ।

ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଇବା ସଂଖ୍ୟା ଅଧିକ : ପ୍ରଥମ ଦିନରେ ଶତାଧିକ ଚାଳକ ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଇ ଜୋରିମାନା ଗଣିଛନ୍ତି। ୧-ନମ୍ବର ମାର୍କେଟ ପଟରୁ ଚାଳକ ରାଜମହଲ ତଳେ ଦେଇ ଆସିବା ସଂଖ୍ୟା ଅଧିକ ଥିଲା। ସେହିପରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରେଲୱେ ଷ୍ଟେସନକୁ ଯାଉଥିବା ବ୍ୟକ୍ତିମାନେ ଭୁଲ୍‌ ରାସ୍ତାରେ ଯାଇ ଜୋରିମାନା ଗଣିଥିଲେ।

ରାଜପଥରେ ଘଣ୍ଟାପ୍ରତି ବେଗ ୭୦, ସହର ଭିତରେ ୫୦ : ରାଜଧାନୀରେ ଗାଡ଼ିର ବେଗ ଉପରେ କମିସନରେଟ ପୁଲିସ କଟକଣା ଲଗାଇଛି। ହାଲୁକା ଯାନ ଓ ଭାରୀଯାନ ଉପରେ ବେଗ ପ୍ରତି ୫୦ ଗତିରେ ଚଳାଇବାକୁ କୁହାଯାଇଛି। ଜାତୀୟ ରାଜପଥ ପଳାଶୁଣିଠାରୁ ବାଲିକୁଦା ଉପରେ ହାଲୁକା ଏବଂ ଭାରୀଯାନ ୫୦ରୁ ୭୦ କି.ମି ବେଗରେ ଗାଡ଼ି ଚଳାଇବାକୁ କୁହାଯାଇଛି। ତା’ ଉପରକୁ ଟପିବା ଉପରେ ବାରଣ କରାଯାଇଛି। ବିଶେଷକରି ଦୁଇ ଚକିଆ ଯାନ ୫୦ରୁ ଅଧିକ ଗତିରେ ଚଳାଇବା ଉପରେ ବାରଣ କରାଯାଇଛି। ଯଦି ଏହାକୁ କେହି ଅମାନ୍ୟ କରେ କିମ୍ବା ଦ୍ରୁତଗତିରେ ଗାଡ଼ି ଚଳାଇ ଧରାପଡ଼ିଲେ ପୁଲିସ ସେମାନଙ୍କଠାରୁ ଜୋରିମାନା ଆଦାୟ ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ ପୁଲିସ ମୁଖ୍ୟାଳୟରୁ ଜଣାପଡ଼ିଛି।

ଯାଞ୍ଚରେ ବରିଷ୍ଠ ଅଧିକାରୀ ସାମିଲ : ଟ୍ରାଫିକ୍ ଯାଞ୍ଚ ନେଇ ରାଜମହଲ ଛକରେ ପୁଲିସ ଜନତା ଖଣ୍ଡଯୁଦ୍ଧ ଘଟଣା ପରେ ଆଜି ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି। ତେବେ ଏପରି ଅବସ୍ଥାରେ ପୂର୍ବ ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ପୁଲିସ ବେଶ୍ ସଜାଗ ଥିଲା। ଆଜି ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ସମେତ ଟ୍ରାଫିକ୍ ଏସିପି ଓ ବରିଷ୍ଠ ପୁଲିସ ଅଧିକାରୀ ବିଭିନ୍ନ ଛକରେ ପହଞ୍ଚି ଯାଞ୍ଚ ତଦାରଖ କରିଥିଲେ।


ଗାଡ଼ି ଛାଡ଼ି ‘ଛୁ’: ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଟ୍ରାଫିକ୍‌ ଯାଞ୍ଚ ବେଳେ ବିନା ହେଲ୍‌ମେଟ୍‌ରେ ଆସୁଥିବା ଜଣେ ଯୁବକଙ୍କୁ ପୁଲିସ ଧରିଥିଲା। ଏହା ପରେ ଯୁବକଙ୍କର ଉକ୍ତ ଟ୍ରାଫିକ୍‌ କର୍ମଚାରୀ ସହ ଯୁକ୍ତିତର୍କ କରିଥିଲା। ଚାଲାଣ କାଟୁଥିବା କର୍ମଚାରୀ ଯୁବକଙ୍କୁ ରସିଦ୍‌ଟିଏ ଧରାଇ ଦେଇଥିଲେ। ହେଲେ ଯୁବକ ଜଣଙ୍କ ରସିଦ୍‌ କିମ୍ବା ଗାଡ଼ି ନ ନେଇ ପଳାଇଥିଲେ।

ଟ୍ରାଫିକ୍‌ ଥାନା ଅଞ୍ଚଳରୁ ୨ଲକ୍ଷ ଆଦାୟ : ଦୁଇନମ୍ବର ଟ୍ରାଫିକ୍‌ ଥାନାରେ କମିସନରେଟ ପୁଲିସର ୬ଟି ଥାନା ଆସୁଛି। ରବିବାର ଗାଡ଼ି କାଗଜପତ୍ରକୁ ଛାଡ଼ି ବାକି ନିୟମ ଉଲ୍ଲଘଂନକାରୀଙ୍କୁ ଇ-ଚାଲାଣ କଟାଯାଇଛି। ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍‍ଫୋସିଟି, ନନ୍ଦନକାନନ, ଚନ୍ଦକା ଥାନା ଅଞ୍ଚଳରୁ ୧୯୭ଟି ଗାଡ଼ିରୁ ୧ଲକ୍ଷ ୯୭ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଟ୍ରାଫିକ୍‌ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖପୁର ଥାନା ଅଞ୍ଚଳର ଦୀପ୍ତିମାନ ମହାନ୍ତି ଔଷଧ କିଣିବାକୁ ମାର୍କେଟକୁ ଆସିଥିଲେ। ଛକରେ ପୁଲିସ ସହିତ ଲୋକ ଗହଳି ଦେଖି ଦୁର୍ଘଟଣା ଭାବି ସେ ଫୁଟପାଥରେ ବିପରୀତ ଦିଗରେ ଆସିଥିଲେ। ପୁଲିସ ତାଙ୍କୁ କାବୁ କରି ଜୋରିମାନା ଆଦାୟ କରିଥିଲା। ଟ୍ରାଫିକ୍‌ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଧରପଗଡ଼ରେ ସାମିଲ ହୋଇଥିଲେ।

୫ଲକ୍ଷ ଟପିଲା ଜୋରିମାନା : ୩ମାସ ଟ୍ରାଫିକ୍‌ କଟକଣା ହଟାଇ ସଚେତନତା କାର୍ଯ୍ୟକ୍ରମ ଉପରେ କମିସନରେଟ ପୁଲିସ ଗୁରୁତ୍ବ ଦେଲେ। ପ୍ରତିଦିନ ଲିଫ୍‌ଲେଟ୍‌, ଚକୋଲେଟ୍‌, ହେଲ୍‌ମେଟ୍‌ ବାଣ୍ଟିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଟ୍ରାଫିକ୍‌ ସଚେତନତା ଉପରେ କର୍ମଶାଳା କଲେ। ଟ୍ରାଫିକ୍‌ କଟକଣା ରବିବାରଠାରୁ ଲାଗୁ କରାଯିବ ବୋଲି ଟେଲିଭିଜନ୍‌ ଓ ଖବରକାଗଜରେ ପ୍ରସାରିତ ହେଲା। ହେଲେ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ଜୋରିମାନାର ପରିମାଣ ଦେଖିଲେ ପୁଲିସ ଓ ବିଭିନ୍ନ ସଂଗଠନର ମାସ ମାସ ଧରି ସଚେତନତା ଫସର ଫାଟିଥିବା ଜଣାପଡ଼ୁଛି। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ରବିବାର ଟ୍ରାଫିକ୍‌ ତନାଘନାବେଳେ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି।

 

Comments are closed.