ଓଡ଼ିଶାରେ ରେଳବାଇର ବିକାଶ ଲାଗି କେନ୍ଦ୍ର ଦେଇଛି ୨୦ ହଜାର ୨୧୩ କୋଟି ଟଙ୍କା : ଧର୍ମେନ୍ଦ୍ର ପ୍ରଧାନ

0
• ଭୁବନେଶ୍ୱର ନୂଆ ରେଳଷ୍ଟେସନ, ଖୋର୍ଦ୍ଧାରୋଡ୍‍ ମେମୁ ଟ୍ରେନ୍‍ ରକ୍ଷଣାବେକ୍ଷଣ ବ୍ୟବସ୍ଥା, ଭୁବନେଶ୍ୱର ଷ୍ଟେସନର ନୂତନ ଫୁଟ୍‍ ଓଭରବ୍ରିଜ୍‍କୁ ଉଦ୍‍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଲୋକାର୍ପଣ ହେଲା ସ୍ୱତନ୍ତ୍ର ମୋବାଇଲ ଆପ୍‍, ପୁରୀକୁ ରଥଯାତ୍ରା ସମୟରେ ଅଧିକ ଟ୍ରେନ୍‍ ଚଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ
• ଓଡ଼ିଶାରେ ରେଳ ନେଟ୍‍ୱାର୍କର ବିସ୍ତାର, ଅଧିକ ବିଦ୍ୟୁତ ଚାଳିତ ମେମୁ ଟ୍ରେନ୍‍ ଚଳାଚଳ ଲାଗି କେନ୍ଦ୍ରର ଗୁରୁତ୍ୱ
• ଚାରିବର୍ଷ ମଧ୍ୟରେ ରାଜ୍ୟରେ ରେଳ ସେକ୍ଟରର ବିକାଶ ଲାଗି କେନ୍ଦ୍ର ଦେଇଛି ୨୦ ହଜାର ୨୧୩ କୋଟି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ରେଳ ନେଟ୍‍ୱାର୍କର ବିସ୍ତାର ଏବଂ ରେଳପଥ ବିକାଶ ଉପରେ ବର୍ତମାନର କେନ୍ଦ୍ର ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ବିଦ୍ୟୁତ ଚାଳିତ ଟ୍ରେନ୍‍ (ମେମୁ) ଚଳାଚଳ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଏଥିଲାଗି କେନ୍ଦ୍ରର ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାକୁ ୨୦ହଜାର ୨୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜି (ଶନିବାର) ବାରଙ୍ଗଠାରେ ଭୁବନେଶ୍ୱର ନୂଆ ଷ୍ଟେସନକୁ ବିଧିବଦ୍ଧ ଭାବେ ଉଦ୍‍ଘାଟନ କରି କେନ୍ଦ୍ର ପେଟ୍ରୋଲିୟମ , ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।
ଶ୍ରୀ ପ୍ରଧାନ ଏହି ଅବସରରେ ଭିଡିଓ ବ୍ରିଜ୍‍ ଜରିଆରେ ଖୋର୍ଦ୍ଧା ନିକଟରେ ମେମୁ ରକ୍ଷଣାବେକ୍ଷଣ କାରଖାନା, ଭୁବନେଶ୍ୱର ରେଳଷ୍ଟେସନର ପାଦଚଲା ଓଭରବ୍ରିଜ୍‍, ପୁରୀର ବଗଲା ଧର୍ମଶାଳାରେ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧା ସେବା ତଥା ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ମୋବାଇଲ ଆପ୍‍କୁ ଲୋକାର୍ପଣ କରିଥିଲେ।

ଏହି ଅବସରରେ ବାରଙ୍ଗଠାରେ ଅନୁଷ୍ଠିତ ଉଦ୍‍ଘାଟନୀ ସମାବେଶରେ ଉଦ୍‍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଭୁବନେଶ୍ୱର ନୂଆ ଷ୍ଟେସନ, ବାଣୀବିହାର ଷ୍ଟେସନ, ମଂଚେଶ୍ୱର ଏବଂ ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ ଦ୍ୱାରା ଆଖପାଖ ଅଂଚଳର ଲୋକଙ୍କ ସାମାଜିକ- ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ଏବେ ରେଳ ମନ୍ତ୍ରଣାଳୟ ବିଦ୍ୟୁତଚାଳିତ ଟ୍ରେନ୍‍ ସହ ସ୍ୱଚ୍ଛତା ରକ୍ଷା ଲାଗି ପ୍ରତି ଟ୍ରେନ୍‍ରେ ବାୟୋ ଟଏଲେଟ୍‍ ବ୍ୟବସ୍ଥା କରୁଛନ୍ତି। ପର୍ଯ୍ୟଟକମାନଙ୍କ ସୁବିଧା ଲାଗି ନନ୍ଦନକାନନ ଏବଂ ଭୁବନେଶ୍ୱର ଷ୍ଟେସନ ମଧ୍ୟରେ ଲିଙ୍କ୍‍ ଲାଇନ୍‍ ନିର୍ମାଣ ସକାଶେ ମଧ୍ୟ ପ୍ରସ୍ତାବ ରହିଛି। ଏଥିଲାଗି ରାଜ୍ୟ ସରକାର ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଂଚଳରେ ଟ୍ରାଫିକ୍‍ ଭିଡ଼ କମାଇବା ପାଇଁ ଖୋର୍ଦ୍ଧାର ରାମେଶ୍ୱର ନିକଟରୁ ଛତିଆ ପର୍ଯ୍ୟନ୍ତ ୧୨୦ କିଲୋମିଟର ଦୀର୍ଘର ଏକ ବାଇପାସ୍‍ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାର ନୀତିଗତ ମଞ୍ଜୁରୀ ଦେଇଛନ୍ତି ଏବଂ ଏହାର ସର୍ଭେ କାର୍ଯ୍ୟ ଜାରି ରହିଛି। ସେହିପରି କାଇପଦର ଏବଂ ରାଜା ଆଠଗଡ଼ ମଧ୍ୟରେ ପ୍ରାୟ ୫୦ କିଲୋମିଟର ଦୀର୍ଘର ରେଳପଥ ନିର୍ମାଣ ପ୍ରସ୍ତାବକୁ ପୂର୍ବତଟ ରେଳବାଇ କର୍ତୃପକ୍ଷ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ଭୁବନେଶ୍ୱର ନୂଆ ଷ୍ଟେସନର ନିର୍ମାଣ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଭୁବନେଶ୍ୱର ନୂଆ ଷ୍ଟେସନରେ ଏଣିକି ୫୮୦୦୧/୫୮୦୦୨ ପୁରୀ-ହାୱଡ଼ା-ପୁରୀ ପାସେଞ୍ଜର, ୫୮୧୩୧/୫୮୧୩୨ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଏବଂ ୬୮୫୩୪/୬୮୫୩୩ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍‍ ରହଣି କରିବ। ପ୍ରତି କୋଚ୍‍ରେ ୮୦ଜଣ ଯାତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା ରହିଛି ଏବଂ ପ୍ରତି ବଗିରେ ବାୟୋ ଶୌଚାଳୟ ନିର୍ମିତ ହୋଇଛି, ଯାହାକି ଯାତ୍ରୀଙ୍କ ପାଇଁ ସୁବିଧା ପ୍ରଦାନ କରିବ। ସେହିପରି ଖୋର୍ଦ୍ଧାରୋଡ୍‍ ନିକଟରେ ମେମୁ ରକ୍ଷଣାବେକ୍ଷଣ କାରଖାନାର ନିର୍ମାଣ କାର୍ଯ୍ୟ ଲାଗି ପ୍ରାୟ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ କଟକ-ବ୍ରହ୍ମପୁର-କଟକ ଏବଂ ଅନୁଗୁଳ-ପୁରୀ-ଅନୁଗୁଳ ମେମୁ ଟ୍ରେନ୍‍ର ରକ୍ଷଣାବେକ୍ଷଣ କରାଯିବ।

ପୁରୀ ରଥଯାତ୍ରା ଲାଗି ସ୍ୱତନ୍ତ୍ର ମୋବାଇଲ ଆପ୍‍ର ଲୋକାର୍ପଣ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଯାତ୍ରୀ ତଥା ପର୍ଯ୍ୟଟକମାନେ ଏହି ଆପ୍‍ ଜରିଆରେ ଉଭୟ ସଂରକ୍ଷିତ ଓ ଅସଂରକ୍ଷିତ ଟିକେଟ୍‍ କରିପାରିବେ। ଏହାସହ କ୍ୟାଟରିଂ, ଅନୁସନ୍ଧାନ, ଆପତି ଅଭିଯୋଗ ସେବା ମଧ୍ୟ ଏହି ଆପ୍‍ରେ ଉପଲବ୍ଧ ହେବ। ଏପରିକି ରେଳ ଷ୍ଟେସନରେ ଥିବା ଡର୍ମିଟାରୀ ଏବଂ ରିଟାୟାରିଂ ରୁମ୍‍ ଲାଗି ମଧ୍ୟ ଯାତ୍ରୀମାନେ ଏହି ମୋବାଇଲ ଆପ୍‍ ଜରିଆରେ ବୁକ୍‍ କରିପାରିବେ। ଶ୍ରୀ ପ୍ରଧାନ କହିଥିଲେ ଯେ ଏ ବର୍ଷ ରଥଯାତ୍ରା ଲାଗି ମାତ୍ର ୧୮୪ଯୋଡ଼ା ଟ୍ରେନ୍‍ ଚଳାଚଳ କରିବାର ପ୍ରସ୍ତାବ ରହିଛି। ତେବେ ଏହି ସଂଖ୍ୟାକୁ ଆହୁରି ବଢାଇବା ଲାଗି ସେ ପୂର୍ବତଟ ରେଳବାଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

Leave A Reply