ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟା ; ମୁଗ୍ଧ କଲା ଓଡ଼ିଶୀ, ଅଭିଜିତଙ୍କ ସଙ୍ଗୀତ

ଉତ୍ତରଭୁବନେଶ୍ୱର : କୁଆଖାଇ ନଦୀ ପଠାରେ କୁମାର ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ତୃତୀୟ ବାଲିଯାତ୍ରା ମହୋତ୍ସବର ଆଜି ଥିଲା ଚତୁର୍ଥ ଦିବସ। ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ ଏବଂ ନୃତ୍ୟତୀର୍ଥ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟରେ ବାଲ ଗୋପାଳ। ସଙ୍ଗୀତକାର ଅଭିଜିତ୍‍ ମଜୁମଦାର ଏବଂ ସାଥୀଙ୍କ ଦ୍ୱାରା ସଙ୍ଗୀତରେ ଝୁମିଥିଲେ ଦର୍ଶକ। ସେହିପରି ବିଭିନ୍ନ ଖାଦ୍ୟ ଷ୍ଟଲ୍‌ରେ ଭିଡ଼ ପରିଲକ୍ଷିତ ହୋଇଥିଲା।
ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ତପନ ବଳିଆରସିଂ ମଞ୍ଚ ପରିଚାଳନା କରିଥିଲେ। ନିର୍ଦେଶକ ଜୀବନ ବଡୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱର ବାଲିଯାତ୍ରା ୩ବର୍ଷର ନୁହେଁ, ୫୦ବର୍ଷର ପରି ପ୍ରତୀୟମାନ ହେଉଥିବା କହିଥିଲେ। ବିଧାୟକ ସୁଶାନ୍ତ କୁମାର ରାଉତ, ଧ୍ରୁବଚରଣ ସାହୁ, ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକ, ଲକ୍ଷ୍ମଣ ରାଉତ, ମହୋତ୍ସବ କମିଟିର ଆବାହକ ଯଶୋବନ୍ତ ଓଝା, ବରିମୁଣ୍ଡ ସରପଞ୍ଚ ବୀରେନ୍ଦ୍ର ଜେନା, ସମାଜସେବୀ ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇ ବାଲିଯାତ୍ରା ଆୟୋଜକଙ୍କୁ ପ୍ରଶଂସା କରିଥିଲେ।

Comments are closed.