୫୦ଲକ୍ଷ ସୌର ଲଣ୍ଠନର ପତ୍ତା ମିଳୁନି

0

ଭୁବନେଶ୍ୱର : ଦୁର୍ଗମ ଅଞ୍ଚଳରେ ବିଦ୍ୟୁତିକରଣ ସୁବିଧା ନଥିବାରୁ ବିପିଏଲ୍‍ ବର୍ଗ ଓ ଅବହେଳିତଙ୍କୁ ଅନ୍ଧାରି ଦୁନିଆରୁ ଆଲୋକ ଟିକିଏ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ୨୦୧୩-୧୪ରେ ‘ଟିକିଏ ଆଲୋକ’ଯୋଜନା ହାତକୁ ନେଇଥିଲେ। ଆଭିମୁଖ୍ୟ ରହିଥିଲା ଯେ ଗାଁ ଗଣ୍ଡାରେ ଲୋକେ ଡିବିରି ଆଲୋକ ତଥା ଧୂଆଁରୁ ତ୍ରାହି ପାଇବେ ଏବଂ ପାଠପଢ଼ା ପିଲାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବୁଣାକାର ଲୋକେ ମଧ୍ୟ ଏହି ଯୋଜନାରେ ସୌର ଲାଇଟର ସତ୍‍ବ୍ୟବହାର କରି ଜୀବନକୁ ଆଲୋକିତ କରିବେ। ହେଲେ ୫ବର୍ଷ ପରେ ଯୋଜନାର ବାସ୍ତବ ରୂପ କିନ୍ତୁ ଓଲଟା। ଯେଉଁ ଲକ୍ଷ୍ୟ ନେଇ ସରକାର ରାଜ୍ୟର ପ୍ରାୟ ୧୨ଟି ପଛୁଆ ଜିଲାରେ ହିତାଧିକାରୀ ଚିହ୍ନଟ କରି ସୌର ଲଣ୍ଠନ ବଣ୍ଟନ କରିଥିଲେ, ସେସବୁର ଚିହ୍ନବର୍ଣ୍ଣ ନାହିଁ। କାଗଜପତ୍ରରେ ୫୦ଲକ୍ଷ ସୌର ଲାଇଟ ବଣ୍ଟନ ହୋଇଥିଲେ ହେଁ ୫ବର୍ଷ ପରେ ସୌରଲାଇଟଗୁଡିକ ବାସ୍ତବିକ ଅନ୍ଧାରରେ ହଜି ଯାଇଛି। କେଉଁଠି ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଯୋଜନା ଅଟକିଛି ତ ଆଉ କେଉଁଠି ସୌର ଲଣ୍ଠନ ନେବାର ୧୦ଦିନ ପରେ ଅଚଳ ହୋଇପଡିଛି।
ସରକାର ଯେଉଁ ଆଭିମୁଖ୍ୟ ନେଇ ସୌର ଲଣ୍ଠନ ଯୋଜନା ହାତକୁ ନେଇଥିଲେ ତାହା ଏବେ ସମ୍ପୂର୍ଣ୍ଣ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ବର୍ଷ ବର୍ଷ ଧରି ଜିଲା ଅଧିକାରୀମାନେ କେଉଁ ବର୍ଗର ହିତାଧିକାରୀଙ୍କୁ ସୌର ଲଣ୍ଠନ ବଣ୍ଟନ କରିଛନ୍ତି ତା’ର ହିସାବ ଦେଉ ନାହାନ୍ତି। ହସ୍ତତନ୍ତ କୁଟୀର ଶିଳ୍ପ ନିର୍ଦେଶାଳୟ ପକ୍ଷରୁ ଗଣ୍ଡା ଗଣ୍ଡା ଚିଠି ଲେଖା ଯାଇଥିଲେ ବି ଉତ୍ତର ମିଳୁନାହିଁ। ଏନେଇ କୁଟୀର ନିର୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ସନାତନ ନାୟକ ପୁନଶ୍ଚ ଚଳିତମାସ ୬ତାରିଖରେ ୫ଜିଲା ଶିଳ୍ପ ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡିଛନ୍ତି। ଓରେଡା ପକ୍ଷରୁ ବାରମ୍ବାର ରିପୋର୍ଟ ମଗାଯାଉଛି। ତେଣୁ ତୁରନ୍ତ ହିତାଧିକାରୀଙ୍କ ତାଲିକା ସହିତ ସ୍ଥିତାବସ୍ଥା  ରିପୋର୍ଟ ଦେବାକୁ ଶ୍ରୀ ନାଏକ ଦର୍ଶାଇଛନ୍ତି। ଏହାକୁ ନେଇ ସରକାରଙ୍କ ଟିକିଏ ଆଲୋକ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ହିତାଧିକାରୀ ଚିହ୍ନଟ ଦାୟିତ୍ୱ ପଞ୍ଚାୟତକୁ ନ୍ୟସ୍ତ କରାଯାଇଥିଲା। ପଞ୍ଚାୟତ ପକ୍ଷରୁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ଏଥିରେ ସ୍ୱୟଂସହାୟକ ଗୋଷ୍ଠୀ ଓ ଜୀବିକା ମିଶନ କର୍ମଚାରୀ ସହାୟତା କରିବେ। ତାଲିକା ପ୍ରସ୍ତୁତ ପରେ ଡିଆରଡିଏ ଅଧିକାରୀ ଯାଞ୍ଚ କରି ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଏହି ତାଲିକାକୁ ନେଇ ହିତାଧିକାରୀଙ୍କୁ ସୌର ଲଣ୍ଠନ ବଣ୍ଟନ କରାଯିବାକୁ ରହିଥିଲା। ତେବେ ତାଲିକା ପ୍ରସ୍ତୁତ ବେଳେ ୨୦୧୧ ଜନଗଣନାରେ କେତେ ପ୍ରତିଶତ ଲୋକ ଗରିବ ଶ୍ରେଣୀର ଅଛନ୍ତି ଏବଂ କେତେ ଲୋକଙ୍କ ପାଖରେ ବିଦ୍ୟୁତ୍‍ ନାହିଁ ତାକୁ ନେଇ ତାଲିକା ପ୍ରସ୍ତୁତ କରାଯାଇ ସୌର ଲଣ୍ଠନ ବଣ୍ଟନ କରାଯିବା କଥା। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ସୌର ଲଣ୍ଠନ ବିଭିନ୍ନ ଜିଲା ଶିଳ୍ପ କେନ୍ଦ୍ରକୁ ପ୍ରଦାନ କରାଯାଇଛି। ପ୍ରାୟ ୫୫୦ ଟଙ୍କାରେ ୫୦ଲକ୍ଷ ସୌର ଲଣ୍ଠନ ପାଇଁ ୨୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏହି ଯୋଜନାରେ ଲୋକେ କେତେ ସୁବିଧା ପାଇଲେ ତା’ର ଆଉ କୌଣସି ହିସାବ ମିଳୁନାହିଁ। ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ପରିବାରକୁ ବିଦ୍ୟୁତ୍‍କରଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପ୍ରଧାନମନ୍ତ୍ରୀ ୨୦୧୯ ପୂର୍ବରୁ ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ବିଦ୍ୟୁତ୍‍ ପହଞ୍ଚାଇବାପାଇଁ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ଶକ୍ତି ବିଭାଗ କାର୍ଯ୍ୟାନ୍ୱୟନ କରୁଥିବାବେଳେ ୨୦୧୯ ଜାନୁଆରୀ ପରେ ଏହି ସୌର ଲଣ୍ଠନ ତଥା ସରକାରଙ୍କ ଟିକିଏ ଆଲୋକ ଯୋଜନା ସମ୍ପୂର୍ଣ୍ଣ ଭାବେ ଅନ୍ଧାରିମୂଲକରେ ହଜିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply