ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ; ଖୁବ୍‌ଶୀଘ୍ର ଇ- ପ୍ରକୋଷ୍ଠ

ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ସୁବିଧା

ଭୁବନେଶ୍ୱର, ୧୫ା୧୧(ନି.ପ୍ର): ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଆଉ ପାଦେ ଆଗେଇଛି। ଜନଜାତି ଓ ଆଦିବାସୀଙ୍କ ଜୀବନଜୀବିକା, ଚାଲିଚଳଣି, ବେଶଭୂଷା ଖାଦ୍ୟପେୟ ଆଦି ବିଷୟରେ ବିଶ୍ବବାସୀଙ୍କୁ ଅଧିକ ପରିଚିତ କରାଇବା ଲକ୍ଷ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇ- ସଂଗ୍ରହାଳୟ ପ୍ରକୋଷ୍ଠ। ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରକୋଷ୍ଠ ପାଇଁ ଗୋଟିଏ ୨୦୦୦ ବର୍ଗଫୁଟର କୋଠରି ନିର୍ମାଣ ହୋଇଛି। ଏଠାରେ ଏକକାଳୀନ ୪୦ଜଣ ପର୍ଯ୍ୟଟକ ବସିବା ଭଳି ସୁବିଧା ରହିବ। ପ୍ରତ୍ୟେକ ଦିନ ୪ଟି ଶୋ’ ରଖାଯିବ। ଏହି ପ୍ରକୋଷ୍ଠରେ ପର୍ଯ୍ୟଟକ ଆଦିବାସୀଙ୍କ ଜୀବନୀ ବିଷୟରେ ଅବଗତ ହୋଇପାରିବେ। ଏହି ଶୋ’ରେ ୨୦ ମିନିଟର ଭିଡ଼ିଓ ପ୍ରଦର୍ଶିତ ହେବ। ଚଳିତମାସ ଶେଷ ସୁଦ୍ଧା ପ୍ରକୋଷ୍ଠ ଖୋଲାଯିବାର ଯୋଜନା ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସ୍ପର୍ଶରେ ମିଳିବ ସୂଚନା-
ସଂଗ୍ରହାଳୟରେ ପ୍ରୋଜେକ୍ସନ ମ୍ୟାପିଂ ସୁବିଧା ରହିବ। ପର୍ଯ୍ୟଟକ ପରଦାରେ ଦେଖାଯାଉଥିବା ଜିନିଷର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଆଦିବାସୀଙ୍କ ଘର, ଅଳଙ୍କାର, ବସ୍ତ୍ର, ଆସବାବପତ୍ର ଭଳି ଯେକୌଣସି ଜିନିଷର ସମସ୍ତ ସୂଚନା ମିଳିବ। ସେହି ଜିନିଷ ସ୍ପର୍ଶ କଲେ ସେଠାରେ ତା’ର ସୂଚନା ଦେବ। ଫଳରେ କାହାରି ସହାୟତା ନେବାକୁ ପଡ଼ିବ ନାହିଁ। ସେହିପରି ସଂଗ୍ରହାଳୟକୁ ଆସୁଥିବା ଦୃଷ୍ଟିହୀନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଶୀଘ୍ର ବ୍ରେଲିର ସୁବିଧା ହେବ। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଏହାର ସୁବିଧା ମିଳିପାରିବ।

ଲାଗିବ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର
ସଂଗ୍ରହାଳୟରେ ଲାଗିବ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର। ପରିସରରେ ବହୁ ଦୁର୍ଲଭ ସାମଗ୍ରୀ ରହିଛି। କୌଣସି କାରଣରୁ ହେଉ କିମ୍ବା ସର୍ଟ ସର୍କିଟରୁ ନିଆଁ ଲାଗିବା ଆଶଙ୍କା ରହିଛି। ସେଥିପାଇଁ ପରିସରରେ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ବ୍ୟବସ୍ଥା କରାଯାଉଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ ଶେଷ ହେବ।

ଜାନୁଆରୀରୁ ଲୋକନୃତ୍ୟ ପ୍ରଦର୍ଶନ
ଆସନ୍ତା ଜାନୁଆରୀରୁ ଆଦିବାସୀ ଲୋକନୃତ୍ୟ ଦେଖି ପାରିବେ ପର୍ଯ୍ୟଟକ। ପ୍ରତ୍ୟେକ ଶନିବାର ଓ ରବିବାର ଆଦିବାସୀ ଲୋକନୃତ୍ୟ ପ୍ରଦର୍ଶନୀ ହେବ। ଏହି ଦୁଇଦିନ ୩୦ମିନିଟ୍‌ ଧରି ଲୋକନୃତ୍ୟ ସଂଗ୍ରହାଳୟ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ସବୁ ଜିଲାର ଆଦିବାସୀଙ୍କ ଦ୍ବାରା ଲୋକନୃତ୍ୟ କରାଯିବ। ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

‘ନୂଆ ରୂପ ଦେବାକୁ ପ୍ରୟାସ’
ଜନଜାତି ସଂଗ୍ରହାଳୟକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଯୋଜନା ହାତକୁ ନିଆଯାଇଛି। ଆଗନ୍ତୁକଙ୍କ ସଂଖ୍ୟାକୁ ଦେଖି ଆହୁରି ସୁବିଧା ଓ ସୁଯୋଗ ଯୋଗାଇ ଦିଆଯିବ। ଖୁବ୍‌ଶୀଘ୍ର ପର୍ଯ୍ୟଟକମାନେ ଏହି ସବୁ ସୁବିଧା ପାଇପାରିବେ ବୋଲି ଅଧୀକ୍ଷକ ଡ. ଅଖିଳ ବିହାରୀ ଓତା କହିଛନ୍ତି।

 

Comments are closed.