ଆରପାରିରେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା

0

କଟକ: ବିଶିଷ୍ଟ ଶିଳ୍ପପତି ଇମ୍ଫା ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇ ଯାଇଛି । ଭୁବନେଶ୍ୱରସ୍ଥିତ ବାସଭବନରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଶୋକ ପ୍ରକାଶ କରିଛନ୍ତି । ଓଡିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ କୁହାଯାଉ ଥିବା ଶ୍ରୀପଣ୍ଡା ରାଜ୍ୟର ଶିଳ୍ପାୟନ ଓ ବିକାଶ ଦିଗରେ ନିରନ୍ତର ଉଦ୍ୟମ କରି ଆସୁଥିଲେ । ତାଙ୍କ ଅବର୍ତ୍ତମାନରେ ଓଡିଶା ଶିଳ୍ପ ଜଗତର ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଉତ୍କଳ ଚାମ୍ବରସ୍ ଅଫ୍ କମର୍ସ୍ ପକ୍ଷରୁ କୁହାଯାଇଛି । ସେ ଆଇଆଇଏମ୍ କଲିକତା, ଏନଆଇଟି ରାଉରକେଲା, ଆଇଆଇଟି ଖଡଗପୁର ଆଦି ବହୁ ଅନୁଷ୍ଠାନର ପରିଚାଳନା ବୋର୍ଡର ସଦସ୍ୟ ଥିଲେ ।

ସୂଚନାଯୋଗ୍ୟ, ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କ ପିତା ବଂଶୀଧର ପଣ୍ଡା ୧୯୩୨ ମସିହା ନଭେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଥେରୁବାଲିରେ ସେ ରାଜ୍ୟର ସର୍ବବୃହତ ଫେରୋ ଆଲଏଜ୍ କାରଖାନା-ଇମ୍ଫା ପ୍ରତିଷ୍ଠା କରିଥିଲେ । ବିଶ୍ବର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ, ମିଚିଗାନ ବୈଷୟିକ ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ଶିଳ୍ପାୟନ ବ୍ୟତୀତ କଳା, କ୍ରୀଡା, ସାହିତ୍ୟ ଓ ସମାଜ ସେବାରେ ତାଙ୍କର ଅବଦାନ ଅତୁଳନୀୟ ।

Leave A Reply