ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ :ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଅନୁଷ୍ଠିତ ହେବାକୁ ଯାଉଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେଉଛନ୍ତି ।​ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ବେଫି) ପକ୍ଷରୁ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଶ୍ରମ ମନ୍ତ୍ରାଳୟ ଏବଂ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ)ଙ୍କ ପକ୍ଷରୁ ଧର୍ମଘଟ ଏଡାଇବା ପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ସହ ​‌ହୋଇଥିବା ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ଧର୍ମଘଟ ହେଉଥିବା ଜଣାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବଡ ବ୍ୟାଙ୍କ ଗଠନ ପାଇଁ ହେଉଥିବା ଏହି ମିଶ୍ରଣ ପ୍ରଚେଷ୍ଟାକୁ ବ୍ୟାଙ୍କ କର୍ମଚାରୀ ତୀବ୍ର ବିରୋଧ କରୁଛନ୍ତି । ଏହା ହେଲେ ଦେଶରେ ଆଉ ୬ଟି ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ହୋଇଯିବ । କର୍ମଚାରୀଙ୍କ ଏହି ଧର୍ମଘଟକୁ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ (ଏଆଇଟିୟୁସି) ତାର ସମର୍ଥନ ଦେଇଛି । ଏହି ଧର୍ମଘଟରେ ଦେଶର ସାଢେ ତିନି ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ । ସଂଘ ବ୍ୟାଙ୍କ ମିଶ୍ରଣ ବ୍ୟତୀତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଏବଂ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଆଉଟ୍‌ସୋର୍ସିଂକୁ ବିରୋଧ କରୁଛି । ତେବେ ଏହି ଧର୍ମଘଟରେ ବ୍ୟାଙ୍କ ଅଫିସର ସଂଘଗୁଡିକ ସାମିଲ ​‌ହୋଇନାହାନ୍ତି । ଧର୍ମଘଟ ଯୋଗୁ ଦେଶବ୍ୟାପୀ ବ୍ୟାଙ୍କ ସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଏଟିଏମ୍‌ରେ ନଗଦ ଟଙ୍କା ଉଠାଣ ​‌ନେଇ ସେଭଳି ସମସ୍ୟା ଉପୁଜିବା ଆଶଙ୍କା ନାହିଁ।ଓଡ଼ିଶାରୁ ପ୍ରାୟ ୧୫,୦୦୦ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ ‌ବୋଲି ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ (ଏଓବିଇଏ)ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି । ଏହି ଅବସର​‌ରେ ଆଜି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀମାନେ ମାଷ୍ଟକ କ୍ୟାଣ୍ଟିନ୍‌ ଛକ ସ୍ଥିତ ପିଏନ୍‌ବିର ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ମ୍ୟାନେଜମେଣ୍ଟ ବିରୋଧୀ  ସ୍ଲୋଗାନ୍‌ମାନ ଦେଇଥିଲେ ।

Comments are closed.