ବାଲିଯାତ୍ରାକୁ ବଳିଗଲା ବାଣୀବିହାର ଯାତ୍ରା

- ଅଗ୍ନିଶମ ଓ ପୁଲିସ ନାକେଦମ - ‘ସୋଲେ’ ଫିଲ୍ମର ବୀରୁକୁ ମନେ ପକାଇଲେ ଦେଖଣାହାରୀ

ଭୁବନେଶ୍ବର: ଇତିହାସରେ ଉତ୍କଳ ବିଶ୍ୱବିଦ୍ୟାଳୟ ଯେତିକି ଲୋକପ୍ରିୟତା ଓ ଲୋକ ପରିଚିତି ହାସଲ କରି ନ ଥିଲା, ଆଜି ମାତ୍ର ୬ ଘଣ୍ଟାର ପରିସ୍ଥିତି ତା ଠାରୁ ଅଧିକ କିଛି ସୃଷ୍ଟି କରିଥିଲା। ସମସ୍ତଙ୍କ ଅଗୋଚରରେ ରଙ୍ଗଦେବା ଲାଗି ଶ୍ରମିକମାନେ ଲଗାଇଥିବା ଶିଡ଼ି ସାହାଯ୍ୟରେ ପରିଜା ପାଠାଗାର ଛାତ ଉପରକୁ ଜଣେ ଯୁବକ ଶୁକ୍ରବାର ପୂର୍ବାହ୍ନରେ ଚଢ଼ି ଯାଇଥିଲେ। ‘ସୋଲେ’ ଫିଲ୍ମର ନାୟକ ବୀରୁ (ଧର୍ମେନ୍ଦ୍ର)ଙ୍କ ଷ୍ଟାଇଲ୍‌ରେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଥିଲା। ଏହି ଘଟଣା ଜଣା ପଡିବା ପରେ ବାଣୀବିହାର ଛକ ଓ ବିଶ୍ୱବିଦ୍ୟାଳୟ ପରିସର ଏକ ପ୍ରକାର ଜାମ ହୋଇଯାଇଥିଲା। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଓ ଦେଖଣାହାରୀଙ୍କ ଭିଡ ହୋଇଯାଇଥିଲା। ଦୀର୍ଘ ୫ ଘଣ୍ଟା କସରତ କରିବା ପରେ ପ୍ରାୟ ୭୦ ଫୁଟ୍‌ ଉଚ୍ଚରେ ଥିବା ସେହି ଯୁବକଙ୍କୁ ଅଗ୍ନିଶମ ବିଭାଗ ବ୍ରାଣ୍ଟୋ ସ୍କାଏ ଲିଫ୍ଟ (ଅତ୍ୟାଧୁନିକ ଶିଡ଼ି) ସାହାଯ୍ୟରେ ଅତ୍ୟନ୍ତ ସତର୍କତାର ସହିତ ଉଦ୍ଧାର କରିଥିଲେ।

ଜଣେ ଉଦୀୟମାନ ଛାତ୍ର ଭାବେ ଆଖପାଖରେ ପରିଚିତ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ କୁମାର ବାରିକ (୩୮)ଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ସେ ଏଭଳି କରିଥିବା ପ୍ରାଥମିକ ଭାବେ ପୁଲିସ କହିଛି। ଡାକ ବିଭାଗରେ କାମ କରୁଥିବା ସୁବୋଧ ଚାକିରି ଗଲା ପରେ ସେ ମାନସିକ ଭାରସାମ୍ୟ ହରାଇଥିବା ଜଣାପଡିଛି।

Comments are closed.