ବଣାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ ଖେଳପଡିଆଠାରେ ଆଜି(ବୁଧବାର) ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା କୋଠାବାଡି ନିର୍ମାଣ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକାପ୍ଟର ଯୋଗେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ ଜିଲା ହକି ଏନ୍ତୁଡିଶାଳ ବୋଲି କହିବା ସହିତ ଓଡିଶାରେ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଓଡିଶାର ସୁନାମ ଆଣିଦେଇଛନ୍ତି ବୋଲି କହିଥିଲେ। କାଳିଆ ଯୋଜନାରେ ଓଡିଶାର ଜନସାଧାରଣ ସଫଳତା ପାଇଥିବାବେଳେ କେନ୍ଦ୍ର ସରକାର ଏହାକୁ ଚକ୍ରାନ୍ତ କରି ବନ୍ଦ କରିଦେଇଛନ୍ତି। ତାଙ୍କ ସରକାର ଆସିବାର ପ୍ରଥମଦିନରେ ହିଁ ସମସ୍ତ ଚାଷୀଙ୍କୁ ଏକକାଳୀନ ୧୦ ହଜାର ଟଙ୍କାର ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ। ନିର୍ବାଚନ ଆସିଲେ କେନ୍ଦ୍ରନେତାଙ୍କର ଓଡିଶା ମନେପଡେ, କିନ୍ତୁ ମହାବାତ୍ୟା ସମୟରେ ସେମାନେ କେଉଁଠି ଥିଲେ ବୋଲି ନବୀନ ପ୍ରଶ୍ନ କରିଥିଲେ। ସେହିପରି କେନ୍ଦ୍ର ସରକାର ୫ବର୍ଷରେ କିଛି କରି ନାହାନ୍ତି, ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ, ରାଉରକେଲାରେ ସୁପର ସ୍ପେଶିଆଲିଟି ଡାକ୍ତରଖାନା କୁଆଡେ ଗଲା ବୋଲି ନବୀନ କହିବା ସହିତ ଆଦିବାସୀ, ହରିଜନ ମାନଙ୍କୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିଦେଇଥିବା କହିଥିଲେ।

ସୁନ୍ଦରଗଡ ଜିଲାରୁ ଜଣେ ଜନଜାତୀ କେନ୍ଦ୍ରମନ୍ତ୍ରୀ ଥିବା ସତ୍ତ୍ବେ ସେ ତାଙ୍କ ହାଇକମାଣ୍ଡକୁ କିଛି କହି ପାରୁ ନାହାଁନ୍ତି। କିନ୍ତୁ ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶା ବାସୀ। ଓଡ଼ିଶାର ସାଢେ ୪କୋଟି ଜନତା ମୋର ପରିବାର, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମାନଙ୍କର ସେବା ଜାରି ରଖିବି। ଏଥିପାଇଁ ବଣାଇର ବିଧାୟକ ପ୍ରାର୍ଥୀ ରଣଜିତ କିସାନ ଏବଂ ସୁନ୍ଦରଗଡ ସାଂସଦ ପ୍ରାର୍ଥିନୀ ସୁନୀତା ବିଶ୍ୱାଳଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ସଂଙ୍ଖ୍ୟାରେ ମୋହରମାରି ଜୟଯୁକ୍ତ କରିବାକୁ ନବୀନ ଅନୁରୋଧ କରିଥିଲେ। ତାଳଚେର ବିମଳାଗଡ-ତାଳଚେର ରେଳ ଲାଇନ, ଜଙ୍ଗଲ ଜମିର ଅଧିକାର, ବଣାଇକୁ ଜିଲା ଘୋଷଣା, ବଣାଇ କଲେଜକୁ ସରକାରୀ ଘୋଷଣା କରିବା, ବଣାଇକୁ ଏନଏସି ଘୋଷଣା କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା, ରାଜାମୁଣ୍ଡାଠାରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ସ୍ଥାପନ, ବଣାଇରେ ସିଟି ଓ ବିଇଡି କଲେଜ, ଆଇଟିଆଇ, ଇଞ୍ଜିନିୟରିଂ କଲେଜ ପ୍ରଭୁତି ବଣାଇର ସ୍ଥାନୀୟ ସମସ୍ୟାକୁ ଏଡାଇଗଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରାର୍ଥୀ ରଣଜିତ କିସାନ, ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ସାଂସଦ ପ୍ରାର୍ଥିନୀ ସୁନୀତା ବିଶ୍ୱାଳ ଉଦବୋଧନ ଦେଇ ଭୋଟ ଭିକ୍ଷା କରିଥିଲେ। ଏହାପୂର୍ବରୁ ଆୟୋଜିତ ସମାବେଶକୁ ମୁଖପାତ୍ର ସୁନ୍ଦରମଣି ପ୍ରଧାନ ସଂଯୋଜନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବରିଷ୍ଠ ନେତା କୁଶ ଆପଟ, ବ୍ଲକ ସଭାପତି କୁମାର ଗୌତମ ବାରିକଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଏଥିରେ ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବ ଜନତା ଉପସ୍ଥିତ ଥିଲେ।

Comments are closed.