କିଶୋର ମନରେ ଦେଶପ୍ରେମର ଝଲକ: ପକେଟ ଖର୍ଚ୍ଚରୁ ଚଳଚ୍ଚିତ୍ର ‘ବଳିଦାନ’

ଗୁଣପୁର : ଜିରୋ କ୍ରିଏସନ ବ୍ୟାନରରେ ‘ବଳିଦାନ’ କ୍ଷୁଦ୍ର ଚଳଚ୍ଚିତ୍ରରେ ଦେଶ ପ୍ରେମର ଝଲକ। ସ୍ଥାନ ପାଇଛି ସୀମାନ୍ତରେ ବୀର ଯବାନମାନେ ସାହାସିକତାର ସହ ପାକିସ୍ତାନ ସୈନିକଙ୍କ ସହ ମୁହାଁମୁହିଁ ହେଉଥିବା ଘଟଣା। ବଣ-ପାହାଡ଼ ଘେରା ଅଞ୍ଚଳରେ ଦିନ ରାତି ଏକ କରି ଦେଶକୁ କିଭଳି ଆମ ଯବାନ ସୁରକ୍ଷା ଯୋଗାଉଛନ୍ତି ଓ ନିଜ ପରିବାର କଥାକୁ ଭୁଲିଯାଇ ଦେଶ ପାଇଁ କିଭଳି ସହିଦ ହେଉଛନ୍ତି, ସେ ସବୁ ଘଟଣାବଳିକୁ ନେଇ ଗୁଣପୁର ଅଞ୍ଚଳର କୋଡିଏ ବର୍ଷରୁ କମ୍‍ ଯୁବକ ମାନେ ତିଆରି କରିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ‘ବଳିଦାନ’। ନିଜର ପକେଟ ଅର୍ଥ ଖର୍ଚ୍ଚ କରି ନିଜସ୍ୱ ଉଦ୍ୟମରେ ୨୨ଜଣ ଯୁବକ ମିଳିମିଶି ତିଆରି କରିଛନ୍ତି ଏହି ୧୨ ମିନିଟର କ୍ଷୁଦ୍ର ସିନେମା। ଏହାର ସ୍ୱତନ୍ତ୍ରତା ଏହା ଯେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ସମସ୍ତ ମାନବ ସମ୍ବଳ ଗୁଣପୁର ଅଞ୍ଚଳରୁ ହିଁ ବ୍ୟବହାର କରାଯାଇଛି।

କାହାଣୀ ଲେଖକ ଠାରୁ ଆରମ୍ଭ କରି ନିର୍ଦେଶନା, ଅଭିନୟ, ମ୍ୟୁଜିକ୍‍, ଏଡିଟିଂ, କ୍ୟାମେରାମ୍ୟାନ, ଅଭିନୟ ପାଇଁ ଆବଶ୍ୟକ ଆସବାବ ପତ୍ର ସବୁଥିରେ ସ୍ଥାନୀୟ ଯୁବକଙ୍କ ସହାୟତା ଦ୍ୱାରା ତିଆରି ହୋଇଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର।
ଭରପୁର ଦେଶପ୍ରେମର ଝଲକ ରହିଥିବା ଚଳଚ୍ଚିତ୍ରଟି ରିଲିଜ ହୋଇଛି ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସ ଦିନ। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଯୁବକଙ୍କ ଅଭିନୟ ମନଛୁଆଁ ହୋଇଥିବା ବେଳେ ଏହା ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଯୁକ୍ତ୩ ଦ୍ୱିତୀୟ ବର୍ଷରେ ପଢିବା ସହ ସ୍ଥାନୀୟ ଏକ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟରତ ଲିଭିଂଷ୍ଟନ୍‍ ଟାକିରି ନାମକ ଜଣେ ଯୁବକ ଓ ଡିଗ୍ରୀ ପଢ଼ା ସାରି ଟ୍ୟୁସନ କରି ବଞ୍ଚୁଥିବା ନିତେଶ ରଞ୍ଜନ ନିମାଲାଙ୍କ ନିଜ ପାରିଶ୍ରମିକ ଅର୍ଥ ପ୍ରାୟ ୨୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ। ବିଭିନ୍ନ ପ୍ରକାରର ଦକ୍ଷତା ରହିଥିବା କେତେକ ଯୁବକ ଓ ଛାତ୍ରଙ୍କୁ ନେଇ ଲିଭିଂଷ୍ଟନ ଓ ନିତେଶ ପ୍ରଥମେ ଆରମ୍ଭ କରିଥିଲେ ଏଭଳି ଅନନ୍ୟ ଉଦ୍ୟମ। ଏହାକ କାହାଣୀ ରଚନା କରିଥିଲେ ଯୁକ୍ତ୩ ଦ୍ୱିତୀୟ ବର୍ଷରେ ପଢୁଥିବା ମାନସ ରଞ୍ଜନ ପାଢି ଓ ଶଙ୍କର ସାହୁ। ମାନସ ହିଁ ଏଥିରେ ନିର୍ଦେଶନା ମଧ୍ୟ ଦେଇଥିଲେ। ନିତେଶ ପାଖରେ ଥିବା ଏକ ଛୋଟିଆ କ୍ୟାମେରା ଦ୍ୱାରା ଲକି ମିସାଲ ଓ ଦ୍ୱାରିକା ପାଣିଗ୍ରାହୀ ନାମକ ଦୁଇଜଣ ଯୁବକ ସୁଟିଂ କରିଥିଲେ। ସୁଟିଂ ପରେ ଏହାର ଏଡିଟିଂ, ମିକ୍ସିଂ, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ସଂଯୋଜନା ଇତ୍ୟାଦି କାର୍ଯ୍ୟକୁ ନିଜ କମ୍ପ୍ୟୁଟରରେ ଦ୍ୱାରିକା ନିଜେ କରିଥିଲେ। ଅଧିକ ଆଧୁନିକ ବ୍ୟବସ୍ଥା ବ୍ୟବହାର ନ କରି ମଧ୍ୟ ଦ୍ୱାରିକା ଅତି ସୁନ୍ଦର ଭାବେ ଏହାର ପିକ୍‍ଚରାଇଜସନ କାମ କରିଥିଲେ। ଅନ୍ୟପକ୍ଷେ ରଡ ବେଣ୍ଡର କାମ କରୁଥିବା ରାଜେଶ ଲିମା, ପେଣ୍ଟିଂ କାମ କରୁଥିବା ଟି.ରାଜା, ଗେରେଜରେ କାମ କରୁଥିବା ପିଙ୍କୁ ଜେନା, ଜଣେ ଠିକାଦାର ପାଖରେ ଗୁମସ୍ଥା କାମ କରୁଥିବା ନିଖିଲ ପାତ୍ର, ଡ୍ରାଇଭର କାମ କରୁଥିବା ଫିରୋଜ ସୁନାସେଠି ଭଳି ଅନେକ ଯୁବକ ଓ ଛାତ୍ର ମିଶି ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥିରେ ପ୍ରାୟ ସମସ୍ତଙ୍କର କିଛି କିଛି ପାରିଶ୍ରମିକ ଖର୍ଚ୍ଚ ହୋଇଥିଲା। ନିଜେ ନିଜେ ମଲାଟରେ ବଡ ବଡ ଗନ, ରାଇଫଲ, ପିସ୍ତଲ ସବୁ ତିଆରି କରିଥିଲେ। ଭାରତ ଓ ପାକିସ୍ତାନ ଯବାନଙ୍କ ଅଲଗା ଅଲଗା ପୋଷାକ ବ୍ୟବହୃତ ହେବାକୁ ଥିବାରୁ ପାରଳାଖେମୁଣ୍ଡି ସିଆରପିଏଫ କ୍ୟାମ୍ପକୁ ଯାଇ ସେହି ଯବାନଙ୍କ ପୁରୁଣା ପୋଷାକ ଓ ସ୍ଥାନୀୟ ଏନସିସି ପିଲାଙ୍କ ପୋଷାକ ଆଣି ସୁଟିଂ ବେଳେ ପରିଧାନ କରିଥିଲେ। ବିଟ୍ସ ଡିପ୍ଲୋମା କଲେଜ ନିକଟସ୍ଥ ପାହାଡ ଓ ପାହାଡ ତଳି ଅଞ୍ଚଳରେ ଚାରିଦିନ ଓ ରାତିରେ ରହି ଚଳଚ୍ଚିତ୍ର ସୁଟିଂ କାମ ସାରିଥିଲେ। ତରବରିଆ ଭାବେ ଏହି କାର୍ଯ୍ୟ କରି ଅଗଷ୍ଟ ୧୫ରେ ରିଲିଜ ପାଇଁ ଚେଷ୍ଟା ଚାଲିବା ବେଳେ ବିଦ୍ୟୁତ ବାରମ୍ବାର କଟୁଥିଲା। ଫଳରେ ରାତି ଅଧିଆ ଇନଭଟର ଥିବା ଅନ୍ୟ ଜଣେ ବନ୍ଧୁଙ୍କ ଘରକୁ ଯିବା ବେଳକୁ ପୁଲିସ ହାବୁଡରେ ପଡି ନାନା ହଇରାଣ ହୋଇଥିବା ମଧ୍ୟ ଏହି ଯୁବକ ମାନେ କହିଛନ୍ତି। ଅନେକ ପରିଶ୍ରମ ସହ ନିଜ ବୁଦ୍ଧି, ଅର୍ଥ ଓ ସମୟ ଖର୍ଚ୍ଚ କରି ତିଆରି କରିଥିବା ଏହି ଚଳଚ୍ଚିତ୍ର ଏବେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମହଲରେ ଆଦୃତ ହେବାରେ ଲାଗିଛି। ଏ ସମ୍ପର୍କରେ ଲିଭିଂଷ୍ଟନଙ୍କ କହିବା କଥା ହେଲା ଆମ ଅଞ୍ଚଳରେ ଅନେକ ପ୍ରତିଭା ରହିଛି। କିନ୍ତୁ ବଣ ମଲି ସଦୃଶ ଏଇଠି ହିଁ ମଉଳିଯାଉଛି। ଏଣୁ ଏ ମାଟିର ପ୍ରତିଭା ଜାତିୟ ସ୍ତରକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।

Comments are closed.