ଜଳିଗଲା ୫୦ଏକରରୁ ଊର୍ଦ୍ଧ୍ବ ପାଚିଲା ଧାନ ଫସଲ

0

ରାଜଘାଟ : ବାଲେଶ୍ୱର ଜିଲା ବସ୍ତା ତହସିଲ ଅନ୍ତର୍ଗତ କୁଳିଦା ପଞ୍ଚାୟତର ଧୂଳିଉଡା ମୌଜାରେ ରବିବାର ପୂର୍ବାହ୍ନରେ ପାଚିଲା ଧାନ କ୍ଷେତରେ ନିଆଁ ଲାଗି ପ୍ରାୟ ୫୦ ଏକରରୁ ଅଧିକ ପାଚିଲା ଧାନ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ବିଲରେ ଚାଷୀ ଧାନ କାଟୁଥିବା ବେଳେ ହଠାତ ନଟାକଟା ପଞ୍ଚାୟତର ବେଲା- ଖଣ୍ଡପସା ମୌଜା ଆଡୁ ନିଆଁ ଲାଗି ଧୂଳିଉଡା ମୌଜା ଆଡକୁ ମାଡି ଆସିଥିବାର କେତେକ ଲୋକ ପ୍ରକାଶ କରିଥିଲେ। ନିଆଁ କିଭଳି ଆସିଲା ସେ ବିଷୟରେ କେହି କିଛି କହିପାରୁ ନାହାଁନ୍ତି। କୁଳିଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ସେନାପତି ବସ୍ତା ଦମକଳ ଅଫିସକୁ ଖବର ଦେଇଥିଲେ; ମାତ୍ର ନିଆଁ ଲିଭାଇବା ପାଇଁ ବିଲ ଭିତରକୁ ଦମକଳ ଯାଇପାରି ନ ଥିଲା। ତେବେ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଗଛର ଡାଳ ଦ୍ୱାରା ନିଆଁକୁ ଆୟତ କରିଥିଲେ; ମାତ୍ର ସେତେବେଳକୁ ପ୍ରାୟ ୫୦ ଏକରରୁ ଅଧିକ ପାଚିଲା ଧାନ କ୍ଷେତ ପୋଡି ପାଉଁଶ ହୋଇଯାଇଥିଲା। ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏବଂ ସନ୍ତୋଷପୁର ସେବା ସମବାୟ ସମିତିର ସଭାପତି ଅନାଦି ଦାସ ପହଞ୍ଚି ଚାଷୀଙ୍କୁ ଆଶ୍ୱାସନା ଦେବା ସହ ବାଲେଶ୍ୱର ଜିଲାପାଳ, ସାଂସଦ, ଉପଜିଲାପାଳ ଏବଂ ବସ୍ତା ତହସିଲଦାରଙ୍କୁ ଜଣାଇଛନ୍ତି। ଏଥିସର ସରକାରୀଭାବେ ଚାଷର କ୍ଷତି ପ୍ରଦାନ କରାଯିବା ସହ ରବି ଚାଷ ପାଇଁ ବିନା ସୁଧରେ ଋଣ ପ୍ରଦାନ କରାଯିବାକୁ ଦାବି କରିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କ ସହ କେତେକ ଭାଗଚାଷୀ ଥିବାର ଜଣାପଡିଛି। ଏ ବାବଦରେ ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀଙ୍କୁ ପଚାରିବାରୁ ସେ ଘଟଣାସ୍ଥଳରେ ପହଞ୍ଚିବା ସହ କହିଲେ; କେତେ ଏକର ଜମି ପୋଡି ଯାଇଛି ସଠିକ୍ ଭାବରେ ଜଣାପଡି ନାହିଁ। ସୋମବାର ଗୁଡିଖାଳ ଆରଆଇ ଏବଂ କୃଷି ବିଭାଗର କର୍ମଚାରୀ ଆସି ମାପିବା ସହ କ୍ଷୟକ୍ଷତିର ରିପୋର୍ଟ ଜିଲା ପ୍ରଶାସନ ନିକଟକୁ ପଠାଇ ଦିଆଯିବ ବୋଲି କହିଛନ୍ତି।

Leave A Reply