ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ଆଶା ଉଜ୍ଜ୍ୱଳ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ଚଳିତ ବର୍ଷଠାରୁ ଡାକ୍ତରୀ ପାଠ୍ୟକ୍ରମ ଖୋଲିବାପାଇଁ ଥିବା ଆଶା ଉଜ୍ଜ୍ୱଳ ହୋଇଛି। ଉକ୍ତ ଦୁଇ ନୂତନ ମେଡିକାଲ କଲେଜକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମ୍‍ସିଆଇ) ଅନୁମତି ପତ୍ର(ଏଲ୍‍ଓପି)ପ୍ରଦାନ ନେଇ ସମ୍ମତି ଦେଇଛି। ଆସନ୍ତା ଜୁନ୍‍ ୧୫ ତାରିଖ ପୂର୍ବରୁ ଏଲ୍‍ଓପି ମିଳିବ ବୋଲି ଏମ୍‍ସିଆଇ ନିଶ୍ଚିତ କରିଥିବାବେଳେ ସରକାରଙ୍କ ଉଦ୍ୟମ ସାର୍ଥକ ହେବାକୁ ଯାଉଛି।
ସୂଚନା ଅନୁଯାୟୀ ଗୁରୁବାର ନୂଆଦିଲ୍ଲୀଠାରେ ଏମ୍‍ସିଆଇର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ପାଇଁ ନିକଟରେ ଆସିଥିବା କେନ୍ଦ୍ରୀୟ ଟିମ୍‍ ତାଙ୍କର ରିପୋର୍ଟ ଦର୍ଶାଇଥିଲେ। ଭିତ୍ତିଭୂମିଠାରୁ ଆରମ୍ଭ କରି ଷ୍ଟାଫ୍‍ ନିଯୁକ୍ତି ଭଳି ଅଧିକାଂଶ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ଟିକେ ଊଣା ରହିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏକ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସଚିବଙ୍କ ଅଣ୍ଡରଟେକିଂ ପରେ ଏମ୍‍ସିଆଇ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜକୁ ଚଳିତବର୍ଷଠାରୁ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଯାହାଦ୍ୱାରା ରାଜ୍ୟରେ ଆଉ ୨୦୦ଡାକ୍ତରୀ ଛାତ୍ରଛାତ୍ରୀ ପଢ଼ିବା ପାଇଁ ବାଟ ଫିଟିଥିବାବେଳେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ଶିକ୍ଷାବର୍ଷରେ ନାମଲେଖା ନେଇ ଅନିଶ୍ଚିତତା ଏବେ ବି ଲାଗି ରହିଛି।

ସୂଚନାଯୋଗ୍ୟ ଯେ ଚଳିତମାସ ୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଏମ୍‍ସିଆଇକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପତ୍ର ଲେଖି ଏହି ତିନୋଟି ମେଡିକାଲ କଲେଜର ପରିଦର୍ଶନ ଲାଗି ଅନୁରୋଧ କରିଥିଲେ। ଏହାକୁ ନେଇ ଏମ୍‍ସିଆଇ ପକ୍ଷରୁ ଦୁଇଟି ଟିମ୍‍ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ପରିଦର୍ଶନ ଲାଗି ସୋମବାର ଆସିଥିବାବେଳେ ବାରିପଦାକୁ ଆସି ନଥିଲେ।

ଅନ୍ୟପକ୍ଷରେ ଆଦିବାସୀବହୁଳ ମୟୂରଭଞ୍ଜ ଜିଲା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାପାଇଁ ରାଜ୍ୟ ସରକାର ବାରିପଦାଠାରେ ୨୦୧୭-୧୮ ବର୍ଷରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ପାଠ୍ୟକ୍ରମ ଶେଷ ହେବାକୁ ଯାଉଥିବାବେଳେ ମେଡିକାଲ କଲେଜରେ ନାମଲେଖା ଓ ଦ୍ୱିତୀୟବର୍ଷର ନବୀକରଣ ନେଇ ଏମ୍‍ସିଆଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି। ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ଏମ୍‍ସିଆଇ ଟିମ୍‍ ବାରିପଦା ମେଡିକାଲ କଲେଜକୁ ପରିଦର୍ଶନରେ ଆସୁ ନଥିବାରୁ ଏନେଇ ସରକାରଙ୍କ ମୁଣ୍ଡବଥା ବଢ଼ି ଯାଇଛି। ଗତବର୍ଷ ଏହିଭଳି ଏମ୍‍ସିଆଇ ବିଳମ୍ବ କରିବା ଯୋଗୁଁ ସରକାର ସୁପ୍ରିମକୋର୍ଟ ଓଭରସାଇଟ୍‍ କମିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଓଭରସାଇଟ୍‍ କମିଟି ବାରିପଦା ମେଡିକାଲ କଲେଜକୁ ମେ’ ୧୪ ତାରିଖରେ ୧୦୦ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ କେତେକ ସର୍ତ୍ତ ରଖି ଅନୁମତି ପତ୍ର ପ୍ରଦାନ କରାଇଥିଲେ। ଅନ୍ୟପକ୍ଷରେ ଆସନ୍ତା ମେ ୬ରେ ମେଡିକାଲ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଜୁନ୍‍ ୬ରେ ଫଳ ପ୍ରକାଶ ପାଇବ ଏବଂ ୨୫ ତାରିଖରୁ ପ୍ରଥମ ପର୍ପ୍ୟାୟ କାଉନସେଲିଂ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବାରିପଦା ପାଇଁ ଏଲ୍‍ଓପି ଅପରିହାର୍ଯ୍ୟ ହୋଇପଡିଛି। ଯଦି ଚଳିତମାସ ୩୦ସୁଦ୍ଧା ଏମ୍‍ସିଆଇ ପକ୍ଷରୁ ବାରିପଦା ମେଡିକାଲ କଲେଜ ପରିଦର୍ଶନ ତଥା ତା’ର ଅନୁମତି ଲାଗି କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସରକାର ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାଯାଇଛି।

Leave A Reply