ବଜ୍ରାଘାତରେ ଭାଙ୍ଗିଲା ମନ୍ଦିର ଚୂଡ଼ା

ଘୁନସର : ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଅର୍ନ୍ତଗତ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବନ୍ଧପଡ଼ା ଗ୍ରାମରେ ଥିବା ଶିବ ମନ୍ଦିରରେ ମଙ୍ଗଳବାର ଦିନ ସକାଳେ ବଜ୍ରାଘାତ ହେବାରୁ ମନ୍ଦିରର ଚୂଡ଼ ଭାଙ୍ଗିଯିବା ସହ ମନ୍ଦିରର ଉପରୁ ତଳ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବନ୍ଧପଡ଼ା ଗ୍ରାମବାସୀଙ୍କ କହିବା ଅନୁସାରେ, ମଙ୍ଗଳବାର ଦିନ ଆକାଶ ମେଘାଚ୍ଛନ୍ନ ଥିବାବେଳେ ସକାଳ ପ୍ରାୟ ୮.୪୦ ମିନିଟ ସମୟରେ ହଠାତ ବିଜୁଳି ମାରିଥିଲା। ବିଜୁଳିଟି ସିଧା ମନ୍ଦିର ଚୂଡ଼ାରେ ମାଡ଼ହେବାରୁୁ ମନ୍ଦିର ଚୂଡ଼ ଭାଙ୍ଗିଯିବା ସହ କଳସଟି ତଳେ ପଡ଼ିଯାଇଥିଲା। ଅନ୍ୟ ପଟେ ମନ୍ଦିରର ଲିଙ୍ଗ ଦବି ଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବଜ୍ରାଘାତରେ ମନ୍ଦିର ଉପରୁ ତଳ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହେବା ସହ ମନ୍ଦିରର କାନ୍ଥ ମାଟି ଭିତରକୁ ଧସି ଯିବାରୁ ମନ୍ଦିରର କବାଟ ଖୋଲି ପାରୁନାହିଁ। ସକାଳ ସମୟର ପୂଜା ସମାପ୍ତ ହୋଇଥିବାରୁ ମନ୍ଦିରରେ କୌଣସି ଭକ୍ତ କିମ୍ବା ପୂଜକ ନଥିଲେ। ଯାହା ଫଳରେ ଧନଜୀବନ ହାନୀ ହେବାରୁ ବଞ୍ଚିଯାଇଛି। ଏହି ଶିବ ମନ୍ଦିରଟି ୭୬ବର୍ଷ ପୁରୁଣା ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ।

Comments are closed.