୧୦ ଥର ଆବେଦନ ପରେ ବି ମିଳୁନି ଘର, ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଜୟରାମ

ଲାଠୋର :ଗରିବଙ୍କୁ ଘର ଖଣ୍ଡିଏ ଦେବାପାଇଁ କେନ୍ଦ୍ରଠୁ ରାଜ୍ୟ ସରକାର ମାଳକୁ ମାଳ ଯୋଜନା ପ୍ରଣୟନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି ବିଜୁ ପକ୍କା ଘର ଆଉ ପୁଣି ମୋ କୁଡିଆ। କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଘର ଖଣ୍ଡିଏ। ଯାହା ଫଳରେ ଚାଳ ଛପର ଘରେ ବହୁ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ଲାଠୋର ତଲିପଡାର ଜୟରାମ ବରିହା। ପରିବାର କହିଲେ ତାଙ୍କର ଗୋଟିଏ ପୁଅ ଅକ୍ଷୟ ଏବଂ ଚାରିଝିଅ ଉଲାସିନୀ, ଗୀତାଞ୍ଜଳୀ, ରୀତାଞ୍ଜଳୀ, ଦୀପାଞ୍ଜଳୀ ଓ ମା ତୁଳସା ବରିହା। ଜୟରାମଙ୍କ ସ୍ତ୍ରୀ ସନ୍ତୋଷିନୀ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିସାରିଛନ୍ତି। ବଡ ଝିଅ ଉଲାସିନୀଙ୍କୁ ବେଲପଡା ବ୍ଳକ ଚିକିଲି ଗ୍ରାମ ଅନିଲ ବରିହାଙ୍କ ସହିତ ବିବାହ କରାଇଥିଲେ କିନ୍ତିୁ ବିବାହର କିଛି ଦିନ ପରେ ଅନିଲ ଉଲାସିନୀଙ୍କୁ ଛାଡି କେଉଁଆଡେ ପଳାଇବାରୁ ସେ ଆସି ଜୟରାମଙ୍କ ପାଖରେ ରହୁଛନ୍ତି। ଜୟରାମଙ୍କ ପତ୍ନୀ ତୁଲସା ବରିହା ବଞ୍ଚିଥିବା ସମୟରେ ପଞ୍ଚାୟତ ତରଫରୁ ୨୫ କେଜି ଚାଉଳ ପାଉଥିଲେ। ପୁରୁଣା ରାସନକାର୍ଡକୁ ନେଲା ପରେ ଆଉ କାର୍ଡ ପାଇଲେ ନାହିଁ କି ଚାଉଳ ପାଇଲେ ନାହିଁ। ପଞ୍ଚାୟତ ପକ୍ଷରୁ ଜୟରାମଙ୍କୁ ମାସିକ ୫ ଶହ ଟଙ୍କା ଭତ୍ତା ଏବଂ ୧୦ କେଜି ଚାଉଳ ଦିଆଯାଉଛି ଯାହା ସମୁଦ୍ରକୁ ଶଙ୍ଖେ। ଘର ଖଣ୍ଡିଏ ନଥିବାରୁ ଜୟରାମ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ୟ୍ୟନ୍ତ ଧାଇଁ ଧାଇଁ ଶେଷରେ ହତାସ ହୋଇ ଘରେ ବସିରହିଛନ୍ତି। ଜୟରାମ ପଞ୍ଚାୟତରେ ୧୦ ଥର ଆବସ ଯୋଜନାରେ ସାମିଲ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ଯାଏ ଘର ଖଣ୍ଡିଏ ପାଇ ନାହାନ୍ତି। ଗୋଟିଏ ପରେ ଗୋଟିଏ ସରପଞ୍ଚ ଆସୁଛନ୍ତି ଯାଉଛନ୍ତି କିନ୍ତୁ ଜୟରାମଙ୍କ ଭାଗ୍ୟରେ ଘର ଖଣ୍ଡିଏ ଜୁଟି ପାରୁନାହିଁ। ସରକାର ଉକ୍ତ ପରିବାରଙ୍କୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଏକ ବାସଗୃହ ଏବଂ ମାସିକ ୩୫ କେଜି ଚାଉଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀକରିଛନ୍ତି।

Comments are closed.