କଟାପାଲିରେ ଘରୋଇ ବିବାଦକୁ ନେଇ ନିର୍ମମ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଟାପାଲି ଗାଁରେ ଘରୋଇ ବିବାଦକୁ କେନ୍ଦ୍ର କରି ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁଇଜଣ ହତ୍ୟାକାରୀ ଖପ୍ରାଖୋଲ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି। ଖପ୍ରାଖୋଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସାଇନ୍‍ଟିଫିକ୍‍ ଟିମ୍‍ ଏବଂ ସନ୍ଧାନୀ କୁକୁର ଜରିଆରେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ,  କଟାପାଲି ଗ୍ରାମର ସୁରେସନ ପୁଟେଲଙ୍କ ପୁତ୍ର ନିତ୍ୟାନନ୍ଦ ପୁଟେଲ (୩୬) ବୁଧବାର ସକାଳୁ ନିତ୍ୟକର୍ମ ପାଇଁ ଗାଁ ପାଖ ପୋଖରୀକୁ ଯାଇଥିଲେ। ପୋଖରୀ କୂଳରେ ବସି ନିତ୍ୟାନନ୍ଦ ଦାନ୍ତ ଘଷୁଥିବା ବେଳେ ପଛପଟୁ ତାଙ୍କ ସମ୍ପର୍କିୟ କ୍ଷମାନିଧି ପୁଟେଲ ଏବଂ ତାଙ୍କ ସାବାଳକ ପୁତ୍ର ପ୍ରଶାନ୍ତ ପୁଟେଲ ମିଳିତ ଭାବେ ବାଉଁଶ ବାଡିରେ ଆକ୍ରମଣ କରିଥିଲେ। ଫଳରେ ନିତ୍ୟାନନ୍ଦ ପାଣିରେ ପଡିଯାଇଥିଲେ। ତାଙ୍କୁ ପାଣିରୁ ଉଠାଇ ପୁନର୍ବାର ଠେଙ୍ଗାରେ ଆକ୍ରମଣ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୋଖରୀ କୂଳରେ ମୃତ ଶରୀର ପଡିରହିଥିବା ବେଳେ ଘଟଣା ସ୍ଥଳରେ ଶହ ଶହ ଜନସାଧାରଣ ପହଞ୍ଚି ଦେଖିବାକୁ ଭିଡ ଲାଗିଥିଲା। ପରେ ଉଭୟ ହତ୍ୟାକାରୀ ପିତା ଓ ପୁତ୍ର ଖପ୍ରାଖୋଲ ଥାନାରେ ଆସି ଆତ୍ମ ସମର୍ପଣ କରିଥିବା ଜଣାପଡିଛି। ନିତ୍ୟାନନ୍ଦଙ୍କର ସାନଭାଇ ସଦାନନ୍ଦ ପୁଟେଲ (୨୫) ଏ ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି। ପାଟଣାଗଡ ଏସ୍‍ଡିପିଓ ସୁରେଶ ଚନ୍ଦ୍ର ନାଏକ, ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ସଦଳବଳେ ଘଟଣା ସ୍ଥଳରେ ଯାଇ ପହଂଚିଥିଲେ। ପରେ ବଲାଙ୍ଗିରରୁ ସାଇନଟିଫିକ୍‍ ଟିମ୍‍ ଏବଂ ପରେ ସନ୍ଧାନି କୁକୁର ଆସି ପହଂଚିଥିବା ଜଣାପଡିଛି। ଖପ୍ରାଖୋଲ ପୁଲିସ ପକ୍ଷରୁ ୩୦୨(୩୪) ଦଫାରେ ମାମଲା ରୁଜୁ କରି ଥିବା ବେଳେ ଘଟଣାର ତଦନ୍ତ ପାଇଁ ଏସ୍‍ଆଇ ପଞ୍ଚାନନ ନେଗୀଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି। ମୃତ ନିତ୍ୟାନନ୍ଦ ଦିର୍ଘଦିନ ଧରି ବାପ ପୁଅଙ୍କୁ ଧମକ ଚମକ ଦେଉଥିଲା ଏବଂ ଗାଲି ଗୁଳଜ କରୁଥିଲା। ସେଥିପାଇଁ ଆମେ ଭୟଭୀତ ହୋଇ ରହୁଥିଲୁ ବୋଲି ଉଭୟ ପିତାପୁତ୍ର ପୁଲିସ ଆଗରେ ପ୍ରକାଶ କରିଥିବା ଜଣାପଡିଛି। ଉଭୟ ପରିବାରଙ୍କ ଭିତରେ ପାରିବାରିକ ସମ୍ପର୍କ ରହିଥିବା ବେଳେ ଘର ଡିହ କୁ ନେଇ ବିବାଦ ଲାଗି ରହିଥିଲା ଏ ନେଇ ଉଭୟ ପରିବାର ମଧ୍ୟରେ ମଝିରେ ମଝିରେ ଗଣ୍ଡଗୋଳ ଲାଗିରହିଥିଲା ବୋଲି ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ମିଳିଛି।

Comments are closed.