ବିଧାନସଭା ପିଏସି ବୈଠକ ଏଜେଣ୍ଡାରେ ବାଏପାସ୍‍ ନଥିଲା

ବଲାଙ୍ଗିର : ବଲାଙ୍ଗିରରେ ଏନ୍‍ଏଚ୍‍ ୨୬ ଓ ୫୭ ଉପରେ ପ୍ରସ୍ତାବିତ ୧୧.୬୪୨ କିଲୋମିଟର ବାଏପାସ ରାସ୍ତା ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମି ମୂଲ୍ୟାୟନରେ ଭୁଲ ରହିଥିବା ବଲଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି। ବଲାଙ୍ଗିର ସହରରେ ବଢୁଥିବା ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ୭ ଜାନୁୟାରୀ ୨୦୧୪ ମସିହାରେ ବଲାଙ୍ଗିର ବାଏପାସ ପ୍ରକଳ୍ପକୁ ମଞୁରୀ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ତ ଦୂର କଥା ପ୍ରକଳ୍ପକୁ ମଞୁରୀ ମିଳିନାହିଁ। ରାଉରକେଲା ବିଧାୟକଙ୍କ ଇଚ୍ଛାଶକ୍ତି ଫଳରେ ସେଠାରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାମ ଆରମ୍ଭ କରିଥିବାବେଳେ ବଲାଙ୍ଗିରରେ ବାଏପାସ୍‍ ପ୍ରକଳ୍ପକୁ ମଞୁରୀ ମିଳିନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଶ୍ରୀ ପଣ୍ଡା ସ୍ଥାନୀୟ ଅମଲା ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ରାଶିକୁ ନେଇ ବିଭ୍ରାନ୍ତି ଦେଖାଦେଇଥିବା ବିଭିନ୍ନ ସମୟରେ ଅଭିଯୋଗ ଉଠିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ବି ହୋଇନାହିଁଁ।
ଜିଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଚିଠି ନଂ ୮୭୮ରେ ଗତ ୨ ଜୁଲାଇ ୨୦୧୮ ମସିହାରେ ତହସିଲଦାର ଦିଆଯାଇଥିବା ଚିଠିରେ କେତେକ ଗ୍ରାମ୍ୟରାସ୍ତା ସନ୍ନିକଟ ଜମିକୁ ମୂଲ୍ୟବାନ ଜମି ଭାବରେ ମୂଲ୍ୟାଙ୍କନ କରାଯାଇ କାଗଜପତ୍ରରେ ଦେଖାଯାଇଥିବା ଭୁଲ ସମ୍ପର୍କରେ ଉଲ୍ଲେଖ ରହିଛି। ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ, ଓଡିଶାଙ୍କ ଚିଠିନଂ ୪୩୮୦ରେ ଗତ ୨୫ ମେ ୨୦୧୮ ର ଉତ୍ତରରେ ୨ଜୁଲାଇ୨୦୧୮ ବଲାଙ୍ଗିର ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ରିପୋର୍ଟ ପଠାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମଳିଥିବା ତଥ୍ୟରୁ ଜଣାପଡିଛି। ଏହିଭଳି ତୃଟିପୂର୍ଣ୍ଣ ରିପୋର୍ଟ ଯୋଗୁଁ ବାଏପାସ ଜମିଅଧିଗ୍ରହଣ କ୍ଷତିପୂରଣ ରାଶିକୁ ନେଇ ବିଭ୍ରାନ୍ତି ଦେଖାଦେଇଛି। ଯାହା ଫଳରେ ଜମିଅଧିଗ୍ରହଣରେ ବିଳମ୍ବ ହେଉଛି ବୋଲି ଶ୍ରୀ ପଣ୍ଡା ଯୁକ୍ତି ବାଢିଛନ୍ତି। ଜମି ମୂଲ୍ୟାଙ୍କନରେ ଭୟଙ୍କର ତୃଟି ଥିବା ଜଣାପଡିଥିଲେ ମଧ୍ୟ ସମ୍ପୃକ୍ତ କତ୍ତୁପକ୍ଷଙ୍କ ବିରେଧରେ ବର୍ତ୍ତମାନ ସୁଦ୍ଧା କୌ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବଲାଙ୍ଗିରର ଜନ ପ୍ରତିନିଧି ମାନେ ବାଏପାସ୍‍ ପ୍ରକଳ୍ପକୁ ବାରମ୍ବାର ସମୀକ୍ଷା କରିଥିଲେ ମଧ୍ୟ ଏଭଳି ତୃଟି ସେମାନଙ୍କ ନଜରକୁ କିଭଳି ଆସିଲା ନାହିଁ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ବିଧାନସଭା ପବ୍ଲିକ ଆକାଉଣ୍ଟସ୍‍ କମିଟିର ସବ୍‍କମିଟି-୧ର ଗତ ୧୦ ଅଗଷ୍ଟ ୨୦୧୮ ମସିହା ଦିନ ଅନୁଷ୍ଠିତ ବୈଠକର ଏଜେଣ୍ଡାରେ ବଲାଙ୍ଗିର ବାଏପାସ୍‍ ନଥିଲା ବୋଲି ଓଡିଶା ବିଧାନସଭା ପକ୍ଷରୁ ପ୍ରଦତ୍ତ ସୂଚନାରୁ ଜଣାପଡିଛି। ଏହି ବୈଠକର ଏଜେଣ୍ଡାରେ ଦିନ ୧୧ଟାରେ ସୋନପୁର-ବଲାଙ୍ଗିର ରାସ୍ତା ଓ ବଲାଙ୍ଗିର-ପାଟଣାଗଡ ରାସ୍ତା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଥିବା ବେଳେ ଠିକ ସେହିପରି ୧୧ଟା ୩୦ମିନିଟ ସମୟରେ କେନ୍ଦୁଝର ଜିଲାର ବଲ୍ଡା ଲୁହା ପଥର ଖଣି ଲିଜ ପରବର୍ଦ୍ଧିତ ସମ୍ପର୍କରେ ଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଠରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ଦିନ ବଲାଙ୍ଗିରରେ ବନ୍ଦ ପାଳନ କରାଯାଇଥିଲା ଓ ତୀବ୍ର ଉତ୍ତେଜନାର ବାତାବରଣ ରହିଥିଲା। ବାଏପାସ ପ୍ରକଳ୍ପ ବିଳମ୍ବ ଯୋଗୁଁ ଅକାରଣେ ନିରୀହ ଲୋକଙ୍କ ରାଜରାସ୍ତାରେ ଜୀବନ ଯାଉଥିବା ବେଳେ ଏହି ସମସ୍ୟା କେବେ ସମାଧାନ ହେବ ବୋଲି ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଦୀର୍ଘ ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହେବା ଜିଲାର ଜନ ପ୍ରତିନିଧିଙ୍କ ଦୃଢ ଇଚ୍ଛାଶକ୍ତିର ଅଭାବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ଆଜିର ସମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମି ନୀଳମଣି ଯୋଶୀ,ଶମ୍ଭୁ ପ୍ରସାଦ ଶତପଥୀ ଏବଂ ବଲାଙ୍ଗିର ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ ଉପସ୍ଥିତ ଥିଲେ।

Comments are closed.