ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗୀର: ବଲାଙ୍ଗୀର ଜିଲା କଂସାରୀପଡାରେ ଜଣେ ନବବଧୂର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ପରିବାର ପକ୍ଷରୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଦୁଇ ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲାଙ୍ଗୀର କଂସାରୀପଡାର ବିମାନ ଗଜେନ୍ଦ୍ର ଓ ନୟାଗଡର ପୁଷ୍ପାଞ୍ଜଳି ବିମାନ। ହାତରୁ ଭଲ ଭାବେ ମେହେନ୍ଦୀ ଛାଡିନଥିଲା କି ପାଦରୁ ଅଳତା ଲିଭିନଥିଲା। କିନ୍ତୁ ପରିସ୍ଥିତି ଏମିତି କଣ ବାଧ୍ୟ କଲା ଯେ ପୁଷ୍ପାଞ୍ଜଳିକୁ ବାଛିବାକୁ ପଡିଲା ମୃତ୍ୟୁର ରାସ୍ତା। ଝୁଲନ୍ତା ଅବସ୍ଥାରେ ଘରେ ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଶ୍ୱଶୁର ଘର ଲୋକ ଏହା ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ପରିବାର ଲୋକ ପୁଷ୍ପାଞ୍ଜଳିଙ୍କୁ ଯୈାତୁକଲୋଭରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଛାନଭିନ ଚଲାଇଥିବା ବେଳେ ସ୍ୱାମୀକୁ ପୁଲିସ ଗିରଫ କରିଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ, ବଲାଙ୍ଗୀର କଂସାରୀପଡାର ବିଜୟ ଗଜେନ୍ଦ୍ରଙ୍କ ପୁଅ ବିମାନ ଗଜେନ୍ଦ୍ର ନୟାଗଡର ସୁବାସିନୀ ପରିଡାଙ୍କ ଝିଅ ପୁଷ୍ପାଞ୍ଜଳି ପରିଡାଙ୍କୁ ଗତ ଦୁଇ ମାସ ତଳେ ବିବାହ କରିଥିଲେ। ଶକ୍ତି ମୁତାବକ ସୁବାସିନୀ ଝିଅ ପାଇଁ ସମସ୍ତ ପ୍ରକାର ଯୈାତୁକ ସାମଗ୍ରୀ ପ୍ରଦାନ କରିଥିବା ବେଳେ ଦାବି ମୁତାବକ କେବଳ ଏକ ବାଇକ୍‍ ଦେଇପାରିନଥିଲେ। ତଥାପି ଜମି ବିକ୍ରି କରି ତାହା ଦେବା ପାଇଁ ପୁଷ୍ପାଞ୍ଜଳିଙ୍କ ଶାଶୁଘର ଲୋକଙ୍କୁ କହିଥିଲେ। ହେଲେ ପୁଷ୍ପାଞ୍ଜଳିଙ୍କୁ ତାଙ୍କ ଶ୍ୱଶ୍‍ୁର ଘର ଲୋକ ବାଇକକୁ ନେଇ ବିଭିନ୍ନ ପ୍ରକାର ମାନସିକ ନିର୍ଯ୍ୟାତନା ଦେଉଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଏପରିକି ସେ ପ୍ରଥମ ଥର ପାଇଁ ନିଜ ବାପଘରକୁ ଯାଇଥିବା ବେଳେ ଫେରିବା ପାଇଁ ଅମଙ୍ଗ ହୋଇଥିଲେ। ବହୁତ ବୁଝାସୁଝା ପରେ ସେ ସ୍ୱାମୀଙ୍କ ପାଖକୁ ଆସିଥିଲେ। ତେବେ ଶୁକ୍ରବାର ପୁଷ୍ପାଞ୍ଜଳି ନିଜ ବେକରେ ଶାଢୀ ଲଗାଇ ଅତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଶ୍ୱଶୁର ଘର ଲୋକ ଉଦ୍ଧାର କରି ଡାକ୍ତରଖାନା ଆଣିଥିବା ଶ୍ୱଶୁର ଘର ଲୋକ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଞ୍ଜଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକ ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କୁ ଶ୍ୱଶୁର ଘର ଲୋକ ଏହା ଏକ ସୁପରିକଲ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ବିବାହର ମାତ୍ର ଦୁଇ ମାସ ଭିତରେ ଏମିତି କଣ ହେଲା ଯେ ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରିବେ ବୋଲି ପରିବାରବର୍ଗ ପ୍ରକାଶ କରିଛନ୍ତି। ଏମିତିରେ ଆଦର୍ଶ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ବିମାନ ଗଜେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Comments are closed.