ବିଜେଡ଼ିି ଗଡ଼ରେ ଉଡିଲା ବିଜେପି ବାନା

ବଲାଙ୍ଗୀର : ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଭଲ ପଦର୍ଶନ କରି ସାରା ରାଜ୍ୟରେ ବିଜୟ ବାନା ଉଡାଇଛି। ରାଜ୍ୟରେ ମୋଦୀ ହାୱା ସତ୍ତ୍ବେ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାର ନିଶ୍ଚିତ ହୋଇଛି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବଚାନମଣ୍ଡଳୀରେ ନବୀନଙ୍କ ନିଷ୍ପତ୍ତି ଫେଲ ମାରିଛି। ୨୦୧୪ ନିର୍ବାଚନରେ ବିପୁଳ ପରିମାଣରେ ବିଜୟୀ ହୋଇଥିବା ବିଜେଡ଼ିି ଚଳିତ ଥର ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗଙ୍କ ଠାରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଭୋଟରେ ପରାଜିତ ହୋଇଛନ୍ତି। ତେବେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବଦଳାଇଥିଲା। ବିଜେଡ଼ି ଅଶାୟୀ ଥିବା ବିଧାୟକଙ୍କ ପୁତ୍ରଙ୍କୁ ଟିକଟ ନଦେଇ ନବାଗତ ବିଧାୟକ ପ୍ରାର୍ଥୀ ପ୍ରଦୀପ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଥିଲା। କିନ୍ତୁ ଏଠାରେ ଦଳର ସମସ୍ତ କୈାଶଲ କାମ କରିନଥିବା ବେଳେ ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇ ଲୋଇସିଂହା ସବୁଜ ଗଡରେ ବିଜେପି ବାନା ଉଡାଇଛନ୍ତି। ବଲାଙ୍ଗୀର ଜିଲାରେ ବିଜେପି ଏକମାତ୍ର ବିଧାନସଭା ଆସନ ଭାବେ ଲୋଇସିଂହାରେ ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗଙ୍କ ସମ୍ମୁଖରେ ବିଜେଡ଼ିି ଅବସରପ୍ରାପ୍ତ ବିଦ୍ୟୂତଯନ୍ତ୍ରୀ ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି କଂଗ୍ରେସ ମଧ୍ୟ ଏକ ସ୍ଥାନୀୟ ଯୁବକ ନବକିଶୋର ନାଏକଙ୍କୁ ପ୍ରାର୍ଥୀ କରିଥିଲା।
ଅବସରପ୍ରାପ୍ତ ପରିବେଶବିତ ଡ.ମୁକେଶ ମହାଲିଙ୍ଗ ଲୋଇସିଂହା(ସଂ) ବିଧାନସଭା ଆସନରୁ ୧୫ତମ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମିଲିଥିବା ସୂଚନା ଅନୁସାରେ, ଶ୍ରୀ ମହାଲିଙ୍ଗ ୭୧୨୬୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ପ୍ରଦୀପ ବେହେରା ସମୁଦାୟ ୫୭୫୯୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ନବକିଶୋର ନାଏକ ୪୦୦୧୫ ଖଣ୍ଡ, ଆମେଦକର ପାର୍ଟି ଅଫ ଇଣ୍ଡିଆ ପ୍ରାର୍ଥୀ ଲାଲମନ ନାଗ ୨୬୦୦ ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ବଳରାମ ସା ୧୭୧୩ ଖଣ୍ଡ, ଜଗଦିଶ ଚନ୍ଦ୍ର ବିଭାର ୧୦୮୦ ଖଣ୍ଡ, ବିପିନ କୁଶଲିଆ ୭୨୮ ଖଣ୍ଡ, ମନୋରଞ୍ଜନ କୁମ୍ଭାର ୨୪୦୯ ଖଣ୍ଡ ଭୋଟ ପାଇଥିବା ସୂଚନା ମିଲିଛି। ସେହିପରି ଏହି ନିର୍ବାଚନମଣ୍ଡଳୀରେ ସମୁ୍‍ଦାୟ୧୫୨୯ ଖଣ୍ଡ ନୋଟା ଭୋଟ ପଡିଥିବା ସୂଚନା ମିଲିଛି। ଚଳିତ ନିର୍ବାଚନରେ ୧ଲକ୍ଷ୭୬ହଜାର୬୮୧ ଟି ଇଭିଏମ ଭୋଟ ଓ ୨୮୫ଟି ପୋଷ୍ଟାଲ ଭୋଟ ପଡିଥିବା ବେଳେ ୨୧୫ ଖଣ୍ଡ ପୋଷ୍ଟାଲ ଭୋଟ ବିଜେପି ସପକ୍ଷରେ ରହିଥିଲା।
ସୂଚନା ଯୋଗ୍ୟଯେ, ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେଡ଼ିି ୨୨ହଜାର ୮୫୪ ଭୋଟରେ ବିଜୟୀ ହୋଇଥିଲା। ପୂର୍ବରୁ ୨୦୦୦ ସାଧାରଣ ନିର୍ବାଚନରେ ଶେଷଥର ଓ ପ୍ରଥମ ଥର ପାଇଁ ବାଲଗୋପାଳ ମିଶ୍ର ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଏହା ପରେ ଏହି ଆସନ କଂଗ୍ରେସ ଖାତାକୁ ଯାଇଥିଲା। ପରବର୍ତ୍ତୀ ସମୟରେ ଲଗାତାର ଦୁଇଟି ନିର୍ବାଚନରେ ବିଜେଡ଼ି ଏହି ଆସନରୁ ବିଜୟୀ ହୋଇ ଗଡ଼ ସୃଷ୍ଟି କରିଥିଲା। କିନ୍ତୁ ଚଳିତ ନିର୍ବାଚନରେ ଏହି ଗଡ଼କୁ ଭାଙ୍ଗି ବିଜେପି ବାନା ଉଡାଇବାରେ ସଫଳ ହୋଇଛନ୍ତି ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ।

Comments are closed.