ଝୁରି ଝୁରି ଆଖି ବୁଜିଲେ ବାପା, କାନ୍ଧ ଦେଇପାରିଲାନି ପୁଅ

0

ବଲାଙ୍ଗିର : ଗୁଳିକାଣ୍ଡ ମାମଲାରେ ଗିରଫ କରିନେଲା ପୁଲିସ। ଜେଲ୍‌ ହାଜତ ଭିତରକୁ ଚାଲିଗଲା ପୁଅ। ପୁଅ ଫେରି ଆସିବ ବୋଲି ତା’ ବାଟକୁ ଅନେଇ ରହିଥିଲେ ବାପା। ହେଲେ ଆଶା ଆଶାରେ ହିଁ ରହିଗଲା। ପୁଅକୁ ଝୁରି ଝୁରି ଆଖି ବୁଜିଦେଲେ ସେ। ଶେଷ ଥର ପାଇଁ ବି ବାପାଙ୍କ ମୁହଁ ଚାହିଁ ପାରିଲାନି ଜେଲ୍‌ ଭିତରେ ଥିବା ପୁଅ। ଇତି ମଧ୍ୟରେ ବାପାଙ୍କ ମୃତ୍ୟୁକୁ ୭ ଦିନ ବିତି ଗଲାଣି। ହେଲେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଓ ଓକିଲଙ୍କ କାର୍ଯ୍ୟବନ୍ଦ ଯୋଗୁଁ ପୁଅକୁ ମିଳି ପାରୁନି ଜାମିନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଆଲୋଚନାର ବିଷୟ ହୋଇଛି ।
ଶାସ୍ତ୍ରୀନଗର ଅଞ୍ଚଳର ଦିଲିପ ସିଂ(୨୫) ଭୋଇ। ଗତ କିଛି ମାସ ତଳେ ଟିଟିଲାଗଡ ରାସ୍ତାରେ ଜଣେ ଯୁବକଙ୍କୁ ଗୁଳି କରାଯାଇଥିଲା। ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବଲାଙ୍ଗିର ଟାଉନ ପୁଲିସ ଗତ ସେପ୍ଟେମ୍ବର ୧ ତାରିଖରେ ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଶାସ୍ତ୍ରୀନଗରର ଦିଲିପ। ଘଟଣାକୁ ପ୍ରାୟ ତିନି ମାସ ବିତି ସାରିଲାଣି। ଦିଲିପଙ୍କ ନାମରେ ୩୦୭ ଦଫା ଲଗାଇଛି ପୁଲିସ। ଫଳରେ ତାଙ୍କ ମାମଲାର ବିଚାର ଜିଲା ଦୌରାଜଜଙ୍କ ପାଖରେ ରହିଛି। କିନ୍ତୁ ଗତ ୩ ତାରିଖରୁ ବଲାଙ୍ଗିରରେ ଚାଲିଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଯୋଗୁଁ ଜିଲା ଦୌରାଜଜଙ୍କ କୋର୍ଟ ବନ୍ଦ ରହିଛି। ସେହିପରି ଓକିଲମାନେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାର ପ୍ରଭାବରେ ଅନେକ ମାମଲା ପଡି ରହିଛି। ସେଥିମଧ୍ୟରୁ ଅଭିଯୁକ୍ତ ଦିଲିପଙ୍କ ମାମଲା ବି ପଡିରହିଛି। କିନ୍ତୁ ଇତିମଧ୍ୟରେ ଦିଲିପଙ୍କ ବାପା କଳାକାହ୍ନୁ ଭୋଇ (୫୫)ଙ୍କ ମୃତ୍ୟୁ ହୋଇଛି। କିନ୍ତୁ ତାଙ୍କର ଜାମିନ ହୋଇପାରିଲା ନାହିଁ। ଶେଷଥର ପାଇଁ ମଧ୍ୟ ବାପା ପୁଅକୁ ଓ ପୁଅ ବାପାକୁ ଦେଖିପାରିଲେ ନାହିଁ । କୋର୍ଟ ବନ୍ଦ ଥିବାରୁ ବାପାଙ୍କ ଶୁଦ୍ଧିକାର୍ଯ୍ୟରେ ମଧ୍ୟ ଦିଲିପ ସାମିଲ ହେବା ନେଇ ଆଶଙ୍କା ଦେଖାଦେଇଛି।
କେବଳ ଦିଲିପ ନୁହନ୍ତି, ଏମିତି ଅନେକ ବିଚାରଧୀନ କଏଦୀ ବଲାଙ୍ଗିର ଜେଲରେ ରହିଛନ୍ତି। ଯେଉଁମାନଙ୍କ ମୁକ୍ତି କାଗଜ ଜିଲା ଦୌରାଜଜଙ୍କ ପାଖରେ ଅଟକି ରହିଛି । ସୂଚନା ଅନୁସାରେ, ବଲାଙ୍ଗିର ଜେଲରେ ୩୯୨ଜଣ ଅଭିଯୁକ୍ତ ରହିବାର ସୁବିଧା ରହିଛି। ବର୍ତ୍ତମାନ ସମୟରେ ଜେଲରେ କିଛି ସଙ୍ଗୀନ ମାମଲାରେ ସଂପୃକ୍ତ ଅପରାଧୀଙ୍କ ସହିତ ସମୁଦାୟ ୩୬୨ ଜଣ ରହିଛନ୍ତି । ଏଥିମଧ୍ୟରୁ ୧୧୦ ଜଣଙ୍କ ଶୁଣାଣି ହୋଇସାରିଥିବା ବେଳେ ୨୫୨ ଜଣ ଅଭିଯୁକ୍ତ ବିଚାରାଧୀନ କଏଦୀ ଭାବେ ଦିନ କାଟୁଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗିର ଜେଲର ସଞ୍ଜୟ ବର୍ମାଙ୍କ କହିବା ଅନୁସାରେ, ଛୋଟ ଛୋଟ ମାମଲାର ଅଭିଯୁକ୍ତ ମାନଙ୍କୁ ସର୍ତ୍ତମୂଳକ ଜାମିନ ଏସଡିଜେଏମ କୋର୍ଟରୁ ହିଁ ମିଳି ଯାଉଥିବାରୁ ବିଶେଷ ସମସ୍ୟା ହେଉନାହିଁ। କିନ୍ତୁ ଜିଲା ଦୌରାଜଜଙ୍କ ପାଖରେ ଥିବା ମାମଲାର ଅଭିଯୁକ୍ତ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହା ସହିତ ଆନ୍ଦୋଳନ ପରେ ହାଇକୋର୍ଟଙ୍କ ଜାମିନ ଆଦେଶ ଜରିଆରେ ପ୍ରାୟ ୮/୧୦ ଜଣଙ୍କୁ ଜାମିନରେ ଛଡ଼ା ଯାଇଥିବା କହିଛନ୍ତି ଜେଲର ଶ୍ରୀ ବର୍ମା। ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରିଥିବା ବେଳେ ଏବେ କ୍ଷତିଗ୍ରସ୍ତ ନ୍ୟାୟିକ ବ୍ୟବସ୍ଥାର ମଧ୍ୟ ଚିତ୍ର ସାମ୍ନାକୁ ଆସିଛି । କିନ୍ତୁ ଏହାର ସମାଧାନ ପାଇଁ ପ୍ରଶାସନ, ରାଜ୍ୟ ସରକାର କି କେନ୍ଦ୍ର ସରକାର ପ୍ରୟାସ କରି ନାହାନ୍ତି। ସମସ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି। ଏହି ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା। ଦିଲିପଙ୍କ ଭଳି ଆଉ କେତେଜଣ ପ୍ରଭାବିତ ହେଲା ପରେ ସରକାର ଚେଇଁବେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

Leave A Reply