ବଜରଙ୍ଗଙ୍କ ସହ ଦୀପାଙ୍କୁ ଖେଳରତ୍ନ ; ୧୯ ଜଣଙ୍କୁ ଅର୍ଜୁନ

ନୂଆଦିଲ୍ଲୀ : ଏଥର ୨ ଜଣ କ୍ରୀଡ଼ାବିତ୍‌ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। କୁସ୍ତି ଚମ୍ପିଆନ୍ ବଜରଙ୍ଗ ପୁନିଆଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଶୁକ୍ରବାର ଘୋଷଣା କରା ଯାଇଥିବା ବେଳେ ଶନିବାର ଘୋଷଣା କରାଯାଇଛି ଯେ ଖ୍ୟାତନାମା ପାରା ଆଥ୍‌ଲେଟ୍‌ ଦୀପା ମଲ୍ଲିକ ମଧ୍ୟ ଖେଳରତ୍ନ ପୁରସ୍କାର ପାଇବେ। ଏହାସହ ୧୯ ଜଣ କ୍ରୀଡ଼ାବିତ୍ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓ କ୍ରିକେଟର ରବୀନ୍ଦ୍ର ଜାଡ଼େଜା ରହିଛନ୍ତି। ଏହାସହ କ୍ରୀଡ଼ା ପ୍ରଶିକ୍ଷଣରେ ପାରଦର୍ଶିତା ପାଇଁ ୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଶନିବାର ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇଛି।
ପ୍ରଥମ ଭାରତୀୟ ମହିଳା ଭାବେ ଦୀପା ମଲ୍ଲିକ ପାରାଲିମ୍ପିକ୍‌ସ ପଦକ ଜିତି ପାରିଥିଲେ। ୪୮ ବର୍ଷ ବୟସ୍କା ଦୀପା ମଲ୍ଲିକ ୨୦୧୬ ରିଓ ପାରାଲିମ୍ପିକ୍‌ସରେ ସଟ୍‌ପୁଟ୍‌ରେ ରୌପ୍ୟପଦକ ଜିତିଥିଲେ। ରୋଗରେ ପୀଡ଼ିତ ହୋଇ ୧୭ ବର୍ଷ ତଳେ ଦୀପା ଚାଲିବାର କ୍ଷମତା ହରାଇବା ପରେ ୩୬ ବର୍ଷ ବୟସରେ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ। ୨୦୧୨ରେ ଦୀପା ଅର୍ଜୁନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ବହୁ ଭାରତୀୟ ମହିଳାଙ୍କ ପାଇଁ ଦୀପା ମଲ୍ଲିକ ହେଉଛନ୍ତି ପ୍ରେରଣା। ଅର୍ଜୁନ ପୁରସ୍କାର ପାଇଁ ଘୋଷିତ ୧୯ ଜଣିଆ କ୍ରୀଡ଼ାବିତ୍‌ ତାଲିକାରେ କ୍ରିକେଟର ରବୀନ୍ଦ୍ର ଜାଡ଼େଜା ରହିଛନ୍ତି। ବାମହାତି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଅଦ୍ୟାବଧି ୧୫୬ଟି ଦିନିକିିଆ ମ୍ୟାଚ୍ ଖେଳି ୨୧୨୮ ରନ୍ କରିବା ସହ ୧୭୮ଟି ୱିକେଟ ନେଇଛନ୍ତି। ୪୧ଟି ଟେଷ୍ଟମ୍ୟାଚ୍‌ରୁ ଜାଡ଼େଜା ୧୪୮୫ ରନ୍‌ କରିବା ସହ ୧୯୨ଟି ୱିକେଟ ନେଇଛନ୍ତି। ୪୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଜାଡ଼େଜା ୩୨ଟି ୱିକେଟ ନେବା ସହ ୧୩୫ ରନ୍ କରିଛନ୍ତି। ମହିଳା କ୍ରିକେଟର ପୁନମ୍ ଯାଦବ ମଧ୍ୟ ଅର୍ଜୁନ ପୁରସ୍କାର ତାଲିକାରେ ଅଛନ୍ତି। ଦୌଡ଼କୁଦରେ ଭଲ ପ୍ରଦର୍ଶନ କରିବା ଯୋଗୁଁ ସ୍ବପ୍ନା ବର୍ମନ, ତେଜିନ୍ଦର ପାଲ ସିଂହ ତୁର୍ ଓ ମହମ୍ମଦ ଅନାସ୍ ଅର୍ଜୁନ ପୁରସ୍କାର ପାଇବେ। ଭାରତୀୟ ଫୁଟ୍‌ବଲ ଦଳର ଗୋଲ୍‌ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁ, ହକି ଖେଳାଳି କେ. ଚିଙ୍ଗ୍‌ଲେନ୍‌ସାନା ସିଂହ, କବାଡ଼ି ଖେଳାଳି ଅଜୟ ଠାକୁର, ମହିଳା ବକ୍ସର ସୋନିଆ ଲାଠର, ସୁଟର ଅଞ୍ଜୁମ୍ ମୌଦଗିଲ, ଟେବୁଲ ଟେନିସ୍ ଖେଳାଳି ହରମିତ ଦେଶାଇ ପ୍ରମୁଖ ଅର୍ଜୁନ ପୁରସ୍କାର ପାଇବେ।
କ୍ରୀଡ଼ା​‌ ପାଇଁ ଜୀବନବ୍ୟାପି ଅବଦାନ ଲାଗି ୫ ଜଣ ଧ୍ୟାନଚାନ୍ଦ ପୁରସ୍କାର ପାଇବେ। ସେମାନେ ହେଲେ ହକିରେ ମାନୁଏଲ୍‌ ଫ୍ରେଡ୍‌ରିକ୍‌ସ, ଟେବୁଲ ଟେନିସ୍‌ରେ ଅରୂପ ବସାକ୍, କୁସ୍ତିରେ ମନୋଜ କୁମାର, ଟେନିସ୍‌ରେ ନୀତିନ କୀର୍ତ୍ତନେ ଓ ତୀରନ୍ଦାଜୀରେ ଲାଲ୍‌ରେମ୍ ସାଙ୍ଗା। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବାକୁ ଥିବା ୩ ପ୍ରଶିକ୍ଷକ ହେଲେ ବ୍ୟାଡ୍‌ମିଣ୍ଟନରେ ବିମଳ କୁମାର, ଟେବୁଲ ଟେନିସରେ ସନ୍ଦୀପ ଗୁପ୍ତା ଓ ଦୌଡ଼କୁଦରେ ମହିନ୍ଦର ସିଂହ ଧିଲୋଁ। ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଏଥର ପଞ୍ଜାବ ବିଶ୍ବ ବିଦ୍ୟାଳୟ (ଚଣ୍ଡିଗଡ଼), ଗୁରୁ ନାନକଦେବ ବିଶ୍ବବିଦ୍ୟାଳୟ (ଅମୃତସର) ଓ ପଞ୍ଜାବୀ ବିଶ୍ବବିଦ୍ୟାଳୟ (ପାତିଆଲା) ପାଇବେ।

ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର
ବଜରଙ୍ଗ ପୁନିଆ (କୁସ୍ତି)
ଦୀପା ମଲ୍ଲିକ୍‌ (ପାରା ଆଥଲେଟ୍‌)
ଦ୍ରୋଣାଚାର୍ଯ୍ୟ ପୁରସ୍କାର
ବିମଳ କୁମାର (ବ୍ୟାଡମିଣ୍ଟନ)
ସନ୍ଦୀପ ଗୁପ୍ତା (ଟେବୁଲ୍‌ ଟେନିସ୍‌)
ମହିନ୍ଦର ସିଂହ ଧିଲନ୍‌ (ଆଥଲେଟିକ୍‌)
ଅର୍ଜୁନ ପୁରସ୍କାର
ପ୍ରମୋଦ ଭଗତ (ପାରା ବ୍ୟାଡ୍‌ମିଣ୍ଟନ)
ତାଜିନ୍ଦରପାଲ୍‌ ସିଂହ ତୁର୍‌ (ଆଥଲେଟିକ୍‌)
ମହମ୍ମଦ ଆନାସ୍‌ ୟାହିୟା (ଆଥଲେଟିକ୍‌)
ଏସ୍‌. ଭାସ୍କରନ୍‌ (ସୁନ୍ଦର ସ୍ବାସ୍ଥ୍ୟ)
ସୋନିଆ ଲାଥେର୍‌ (ବକ୍ସିଂ)
ରବୀନ୍ଦ୍ର ଜାଡେଜା (କ୍ରିକେଟ୍‌)
ଚିଙ୍ଗଲେନ୍‌ସାନା ସିଂହ (ହକି)
ଅଜୟ ଠାକୁର (କବାଡ଼ି)
ଗୌରବ ସିଂହ ଗିଲ୍ (ମୋଟର ସ୍ପୋର୍ଟସ୍‌)
ଅଞ୍ଜୁମ୍‌ ମୌଦ୍‌ଗିଲ୍‌ (ସୁଟିଂ)
ହରମିତ୍‌ ଦେଶାଇ (ଟେବୁଲ ଟେନିସ୍‌)
ପୂଜା ଧାଣ୍ଡା (କୁସ୍ତି)
ଫୌଆଦ୍‌ ମିର୍ଜା (ଅଶ୍ବଚାଳନା)
ଗୁରପ୍ରୀତ୍‌ ସିଂହ ସାନ୍ଧୁ (ଫୁଟବଲ)
ପୁନମ ଯାଦବ (କ୍ରିକେଟ୍‌)
ସ୍ବପ୍ନା ବର୍ମନ (ଆଥଲେଟିକ୍‌)
ସୁନ୍ଦର ସିଂହ ଗୁର୍ଜାର (ପାରା ଆଥଲେଟ୍‌)
ସାଇ ପ୍ରଣୀତ (ବ୍ୟାଡମିଣ୍ଟନ)
ସିମରନ୍‌ ସିଂହ ସେରଗିଲ୍‌ (ପୋଲୋ)

Comments are closed.