ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି

0

ନୂଆଦିଲ୍ଲୀ : ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ସୋମବାର ସନ୍ଧ୍ୟାରୁ ଚିକିତ୍ସାଧୀନ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସଂକ୍ରମଣ କମିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ବୋଲି ଏମ୍‍ସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ବାଜପାୟୀଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥାଯଥ କାର୍ଯ୍ୟ କରୁଛି। ଚିକିତ୍ସାର ସୁଫଳ ମିଳିଛି; ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଖାନାରେ ରହିବାକୁ ପଡିବ ବୋଲି ଏମ୍‍ସ ପକ୍ଷରୁ ସୂଚନା ଦିଆଯାଇଛି। ବୃକ୍‍କ ଓ ପରିସ୍ରା ନଳୀରେ ସଂକ୍ରମଣ କାରଣରୁ ୯୩ ବର୍ଷ ବୟସ୍କ ବାଜପାୟୀଙ୍କୁ ଏମ୍‍ସରେ ଭର୍ତ୍ତି କରାଯାଇଥିଲା।

ଏମ୍ସ ନିର୍ଦେଶକ ତଥା ଦୀର୍ଘ ଦୁଇ ଦଶନ୍ଧି ଧରି ବାଜପାୟୀଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପଟେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦଳୀୟ ନେତା ଏବଂ କର୍ମୀମାନେ ପୂଜାର୍ଚ୍ଚନା କରିଛନ୍ତି ।

ପୂର୍ବତନ ପ୍ରଧନମନ୍ତ୍ରୀ ଡ଼ ମନମୋହନ ସିଂହ ଓ  ଏଚ.ଡି ଦେବେଗୌଡା ମଙ୍ଗଳବାର ଏମ୍ସ ଯାଇ ବାଜପାୟୀଙ୍କୁ ସାକ୍ଷାତ କରିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

ସେହିପରି ଆରଏସଏସ ମୁଖ୍ୟ ମୋହନ ଭାଗବତ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା,ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ  ଅଶ୍ବିନୀ କୁମାର ଚୌବେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କଲରାଜ ମିଶ୍ର ପ୍ରମୁଖ ବାଜପାୟୀଙ୍କୁ ସାକ୍ଷାତ କରିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଏମ୍ସ ନିର୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି।

Leave A Reply