ବାହୁଡ଼ା ପ୍ରସ୍ତୁତି: ଆଜି ରଥ ଦକ୍ଷିଣ ମୋଡ଼

0

ପୁରୀ: ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ବାହୁଡା ପ୍ରସ୍ତୁତି। ଗୁରୁବାର ତିନିରଥ ଦକ୍ଷିଣମୋଡ କରାଯିବ। ଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ତିନିରଥ ନାକଚଣା ଦ୍ବାରକୁ ନିଆଯିବ। ଆଗାମୀ ୨୨ତାରିଖ ଦିନ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହୁଡାବିଜେ କରିବେ। ଗୁରୁବାର ଶ୍ରୀଜୀଉଙ୍କ ସକାଳଧୂପ ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ରଥକୁ ବିଜେ କରି‌େ‌ବ। ଏହାପରେ ରଥ ଦକ୍ଷିଣମୋଡ କରାଯିବ। ଏଥିପାଇଁ ଶରଧାବାଲିରେ ଅଧିକ ବାଲି ପକାଯିବା ସହ ପ୍ରସ୍ତୁତି କାର୍ଯ୍ୟ ଶେଷହୋଇଛି। ରଥ ଦକ୍ଷିଣମୋଡ ସମୟରେ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଘେରଦଉଡି ଦାୟିତ୍ବରେ ପୁଲିସ ଫୋର୍ସ ରହିବେ। ସନ୍ଧ୍ୟାସୁଦ୍ଧା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ ହେବାର କାର୍ଯ୍ୟକ୍ରମ ରିହଛି।

ତୁଟିଲାନି ପୋଡ଼ପିଠା ବିବାଦ

ତୁଟିପାରୁନି ପୋଡ଼ପିଠା ଭୋଗ ବିବାଦ। ମହାପ୍ରଭୁଙ୍କ ବାହୁଡାବିଜେ ସମୟରେ ରଥରେ କିଏ ପୋଡ଼ପିଠା କରିବ ସେଥିନେଇ ଦ୍ବନ୍ଦ ଦେଖାଦେଇଛି। ବିବାଦ କୋର୍ଟରେ ଯାଇ ପହଞ୍ଚିଛି। ତେଣୁ ଦୁଇ ଦାବିଦାର ପୋଡ଼ପିଠା ଭୋଗ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ବିଶ୍ବନାଥ ମିଶ୍ରଙ୍କୁ ଅନୁମତି ଦିଆଯାଇଥିବା ବେଳେ ପୁରୁଷାନୁକ୍ରମିକ ସେବା ଅଧିକାର ଥିବା ମନୋରଞ୍ଜନ ମିଶ୍ର ସେଥିରେ ଆପତ୍ତି ଦର୍ଶାଇଛନ୍ତି। ଗତବର୍ଷ ଏପରି ବିବାଦ ଯୋଗୁଁ ଦୁଇଜଣ ପୋଡ଼ପିଠା ଭୋଗ କରିଥିଲେ। ମନୋରଞ୍ଜନଙ୍କ ପକ୍ଷରୁ କୋର୍ଟରେ ରୁଜୁ ହୋଇଥିବା ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ଜାରି କରାଯାଇଛି। ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ବାହୁଡା ବିଜେ କରିବା ବେଳେ ମାଉସୀମା’ଙ୍କ ପକ୍ଷରୁ ରାସ୍ତାରେ ପୋଡପିଠା କରାଯିବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ଏହି ସେବା ଚାଲି ଆସିଛି। ଗବେଷକଙ୍କ ମତରେ ପୂର୍ବରୁ ବଡ଼ଦାଣ୍ଡରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ତେଣୁ ପ୍ରଭୁ ୬ଟି ରଥରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରୁଥିଲେ। ତିନୋଟି ରଥ ଶ୍ରୀମନ୍ଦିର ସିଂହଦ୍ବାରରୁ ନଦୀ ପର୍ଯ୍ୟନ୍ତ ଯାଉଥିଲା। ସେଠାରେ ମହାପ୍ରଭୁ ରଥରୁ ଓହ୍ଲାଇ ମାଉସୀମା’ ମନ୍ଦିରରେ କିଛିସମୟ ବିଶ୍ରାମ ନେଉଥିଲେ।
ଏହାପରେ ନଦୀ ପାର ହୋଇ ବଳଗଣ୍ଡି ଛକରୁ ଅନ୍ୟ ୩ଟି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ନଦୀ ଶୁଖିଯିବା ସହ ପିଚୁରାସ୍ତା ହେବାପରେ ତିନୋଟି ରଥରେ ପ୍ରଭୁ ଘୋଷଯାତ୍ରା କରୁଛନ୍ତି। ତେଣୁ ଭାଇଭଉଣୀଙ୍କ ସହ ଶ୍ରୀଜଗନ୍ନାଥ ବାହୁଡା ବିଜେ କରିବା ବେଳେ ମାଉସୀମା’ ମନ୍ଦିର ସମ୍ମୁଖରେ ପୋଡପିଠା ଭୋଗ କରାଯାଇ ଆସୁଛି। ଆଗାମୀ ବାହୁଡାଯାତ୍ରା ଦିନ ମନୋରଞ୍ଜନ ଓ ବିଶ୍ବନାଥ ପୋଡ଼ପିଠା କରିବେ ବୋଲି ସୂଚନା ଦେଇଛନ୍ତି।

ଚାଲୁ ଚାଲୁ ଚକା ଆଖି

ହେ ଚକାନୟନ ଅଗତିର ଗତି ଦିନ ଦୁଃଖନାଶନ। ନୀଳକନ୍ଦରବାସୀ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଦେଶ, ଦେଶ ବାହରୁ ଧାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରି ବଡ ଦେଉଳ ଆଡକୁ ଚାଲିଥିଲେ ଜଣେ ଶ୍ରଦ୍ଧାଳୁ । କାନ୍ଧରେ ଭକ୍ତର ଝୁଲା ମୁଣି । ଗୋଟିଏ ହାତ ମୁଣିରେ ମନ କାଳିଆ ପାଖରେ । ମନର ଠାକୁର କାଳିଆଙ୍କୁ ଦର୍ଶନ କଲେ ମଧ୍ୟ ସୁନାର ବଡ ଦେଉଳକୁ ନ ଦେଖିଲେ ପୁରୀ ଆସିବା ଅଧୁରା ହୋଇଯିବ ବୋଲି କହିଛନ୍ତି ଜ୍ୟୋତିର୍ମୟ ପାଲ। ସୁଦୂର ବେଙ୍ଗାଲୁରୁ ସହରରୁ ସେ ଆସିଛନ୍ତି କେବଳ ରଥଯାତ୍ରା ଦେଖିବାକୁ ।

ବଡଦାଣ୍ଡେ ବଜାଏ ବଂଶୀ

ଶ୍ରୀକ୍ଷେତ୍ର ବଡଦାଣ୍ଡରେ କିଏ ଭାବରେ ଦୌଡୁଛିତ କିଏ ଅଭାବରେ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଛି । ଜୀବନର ନାମ ଯନ୍ତ୍ରଣା ବଞ୍ଚିବାର ନାମ ସଂଗ୍ରାମକୁ ମୂଳମନ୍ତ୍ରକରି ସୁଦୂର ମହାରାଷ୍ଟ୍ରରୁ ମନସୁର୍‌ ଧାଇଁ ଆସିଛନ୍ତି ପୁରୀଧାମକୁ ।
ଗୋପଦାଣ୍ଡରେ କଳାକୃଷ୍ଣ କାଳିଆ କାହ୍ନୁଙ୍କ ବଂଶୀ ସ୍ୱନ ଶୁଣି ଗୋପପୁରବାସୀ ଉଚ୍ଛନ୍ନ ହେଉଥିଲେ । ହେଲେ ଏଠି କାଳିଆର ବଡଦାଣ୍ଡରେ ଅଭାବ ମେଣ୍ଟାଇବାକୁ ବଂଶୀ ବଜାଇ ଗ୍ରାହକଙ୍କୁ ଆକୃଷ୍ଟ କରି ବିକ୍ରିକରି ପେଟ ପୋଷିବା ପାଇଁ କାନ୍ଧରେ ବୋହି ଚାଲିଛନ୍ତି ବଂଶୀର ଭାର। ମହାରାଷ୍ଟ୍ରରୁ ସେ ରଥପାଇଁ ଆସିଛନ୍ତି ଓ ବିହାରରୁ ବଂଶୀ ମଗାଇ ବିକ୍ରି କରୁଛନ୍ତି । ବଂଶୀ ଗୋଟିକୁ ୧୦ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ଷା ଯୋଗୁଁ ବେପାର ମାନ୍ଦାଥିଲା ଏବେ ପାଗ ଅନୁକୂଳ ଥିବାରୁ ଭାବର ବଡଦାଣ୍ଡରେ ଅଭାବ ପାଇଁ ବଂଶୀ ବିକୁଛି ବୋଲି ସେ କହିଛନ୍ତି ।

Leave A Reply