ମାଲେସିଆ ମାଷ୍ଟର୍ସ ସେମିରେ ସାଇନା

0

କୁଆଲାଲମ୍ପପୁର : ଏଠାରେ ଖେଳାଯାଉଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ସାଇନା ନେହୱାଲ୍‌। ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ୭ମ ସିଡ୍‌ ସାଇନା ଜାପାନର ନିଜୋମି ଓକୁହାରାଙ୍କୁ ସିଧାସଳଖ ୨୧-୧୮, ୨୩-୨୧ ଗେମ୍‌ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ସାଇନାଙ୍କ ମୁକାବିଲା ସ୍ପେନର କାରୋଲିନା ମାରିନ୍‌ଙ୍କ ସହ ହେବ। ସାଇନା ୫ଥର ମାରିନ୍‌ଙ୍କୁ ପରାସ୍ତ କରିଥିବା ବେଳେ ୧୦ଥର ତାଙ୍କ ଠାରୁ ପରାସ୍ତ ହୋଇଥିଲେ। ସୂଚନାଥାଉକି ସାଇନା ୨୦୧୭ରେ ଏହି ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୧ରେ ରନର୍ସଅପ୍‌ ହୋଇଥିଲେ।
କ୍ବାର୍ଟର ଫାଇନାଲର ପ୍ରଥମ ଗେମ୍‌ରେ ସାଇନା ଏବଂ ଓକୁହାରାଙ୍କ ମଧ୍ୟରେ ବେଶ୍‌ ସଂଘର୍ଷ ଦେଖିବାକୁ ମିଳିଥିଲା। ଏକଦା ଉଭୟ ଖେଳାଳି ୯-୯ ପଏଣ୍ଟରେ ସମାନ ସ୍ଥିତିରେରହିଥିଲେ। ଏହାପରେ ଓକୁହାରା କ୍ରମାଗତ ଭାବେ ୬ ପଏଣ୍ଟ ହାସଲ କରି ଆଗୁଆ ହୋଇଯାଇଥିଲେ। ତେବେ ସାଇନା ଧୈର୍ଯ୍ୟ ନ ହରାଇ ଖେଳିବା ସହ ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ଗେମ୍‌ ମୂଳରୁ ସାଇନା ୪-୨ ପଏଣ୍ଟରେ ଆଗୁଆ ହୋଇଯାଇଥିଲେ। ତେବେ ଓକୁହାରା ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ସମୟରେ ୮-୫ରେ ଆଗୁଆ ହେବାରେ ସକ୍ଷମ ହୋଇଥିଲେ। ମଧ୍ୟାନ୍ତର ବେଳକୁ ସାଇନା ୧୪-୧୨ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ଓକୁହାରା ଲଢୁଆ ପ୍ରଦର୍ଶନ କରି ୬ ପଏଣ୍ଟ ହାସଲ କରି ୧୮-୧୪ରେ ଆଗୁଆ ହୋଇଥିଲେ। ସାଇନା ମଧ୍ୟ ଭଲ ପ୍ରଦର୍ଶନ କରି ଗେମ୍‌କୁ ୧୯-୧୯ ପଏଣ୍ଟରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଏହାପରେ ଓକୁହାରାଙ୍କ ଭୁଲ୍‌ର ଫାଇଦା ଉଠାଇ ସାଇନା ବିଜୟୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ପୁରୁଷ କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଭାରତର କିଦାମ୍ବି ଶ୍ରୀକାନ୍ତ କୋରିଆର ସନ୍‌ ୱାନ୍‌ ହୋଙ୍କ ଠାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨୩-୨୧, ୧୬-୨୧, ୧୭-୨୧ ଗେମ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।

Leave A Reply