ସ୍ୱାଭାବିକ ଅବସ୍ଥାକୁ ଫେରୁଛି ବଡ଼ସାହି

0

::୭ଟି ପଞ୍ଚାୟତରେ ରିଲିଫ ବଣ୍ଟନ
::ସମସ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ
::ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟରେ ଧାନଚାଷୀଙ୍କ ବିକ୍ଷୋଭ
ବଡ଼ସାହି : ସାମୁଦ୍ରିକ ଝଡ଼ ତିତ୍‍ଲି ପ୍ରଭାବରେ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କମିବା ପରେ ବଡ଼ସାହି ବ୍ଲକରେ ସ୍ୱଭାବିକ ଅବସ୍ଥା ଫେରିବାକୁ ଲାଗୁଛି। ଦୁଇଦିନ ଧରି ବ୍ଲକର ୭ଟି ପଞ୍ଚାୟତର ୧୬ଖଣ୍ଡ ଗାଁର ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ରବିବାର ସମସ୍ତ ଗ୍ରାମକୁ ଯୋଗାଯୋଗ ସମ୍ଭବ ହୋଇଛି। ଗଙ୍ଗାହାର ନଦୀ ବନ୍ୟା ଜଳରେ ଶାଳଗାଁ, ମାନଗୋବିନ୍ଦପୁର, ମାଣତ୍ରୀ, ଭୀମିଦା, ପଟିସାରୀ, ଛେଳିଆ(କ) ଓ ସୁହାଗପୁର ପଞ୍ଚାୟତର ୧୬ଖଣ୍ଡ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ଆଶ୍ରୟ ସ୍ଥଳୀରେ ଥିବା ୫୫୦ଜଣ ଘରକୁ ଫେରିଛନ୍ତି। ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯାଉଛି।
ସେହିପରି ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ଓ ପୁର୍ତ୍ତ ବିଭାଗର ଯନ୍ତ୍ରୀ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ପରବର୍ତ୍ତୀ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶିକ୍ଷାନୁଷ୍ଠାନ ଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ ପଞ୍ଚାୟତ ପକ୍ଷରୁ ସଂଗ୍ରହ କରିବାକୁ ବିଡ଼ିଓ ରବିନ୍ଦ୍ର କୁମାର ପ୍ରଧାନ କହିଛନ୍ତି। ବନ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ଖୁବ ଶୀଘ୍ର ସରକାରୀ ଯୋଜନାରେ ବାସଗୃହ ଯୋଗାଇବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ବିଧାୟକ ଗଣେଶ୍ୱର ପାତ୍ର ବିଡ଼ିଓଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ଜଳବନ୍ଦୀ ଥିବା ପରିବାର ବନ୍ୟା ପାଣି କମିବା ପରେ ଜନଜୀବନ ସ୍ୱଭାବିକ ହୋଇଛି। ବନ୍ୟାଜଳ ହାସ୍ର ପାଇବା ପରେ ଯୋଗାଯୋଗ ବିଚ୍ଛିନ୍ନ ରାସ୍ତା ସ୍ୱାଭାବିକ ହୋଇଛି। ତେବେ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଧାନ ଚାଷୀଙ୍କ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଛି। ଉଭୟନଦୀ ସଂଲଗ୍ନ ୨୧ଟି ପଞ୍ଚାୟତର ପ୍ରାୟ ୭୫ରୁ ଊର୍ଦ୍ଧ୍ବ ଗ୍ରାମର ଏକର ଏକର ଜମି ବନ୍ୟା ଜଳରେ ବୁଢ଼ି ରହିଛି। ଧାନ ଗଛ ଗର୍ଭ ଧାରଣ ସମୟରେ ବନ୍ୟା ପାଣି ପଶିବା ଫଳରେ ଧାନ ଅମଳ ଆଶା ହରାଇ ଚିନ୍ତାରେ ସେମାନେ ରହିଛନ୍ତି। କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ରିପୋର୍ଟରେ ତାଳମେଳ ରହୁ ନଥିବାରୁ ପ୍ରତିବର୍ଷ କ୍ଷତିପୂରଣ ବା ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ କ୍ଷେତ୍ର ପରିଦର୍ଶନ ସାଙ୍ଗକୁ ରିପୋର୍ଟ ପ୍ରସ୍ତୁତ ପାଇଁ ମାଣତ୍ରୀ ପଞ୍ଚାୟତର ଶତାଧିକ ଚାଷୀ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମସ୍ତଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ସେମାନେ ତହସିଲଦାର, ମାନଗୋବିନ୍ଦପୁର ଲ୍ୟାମ୍ପ୍ସ ଏମଡ଼ି ଓ ଏଆରସିଏସଙ୍କୁ ପ୍ରଦାନ କରିଛନ୍ତି। ବାରମ୍ବାର କ୍ଷତି ସହୁଥିବା ଏହି ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବିଚାର କରା ନଗଲେ ସମସ୍ତେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply