ସିରିଜ୍ ଚୋରିର ପର୍ଦ୍ଦାଫାଶ: ଗହଣା ଦୋକାନୀ ସମେତ ୨ଗିରଫ

0

ବଡ଼ସାହି : ବଡ଼ସାହି ଥାନା ଅଞ୍ଚଳରେ ଘଟିଥିବା ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍‍। ଶନିବାର ବଡ଼ସାହି ଥାନାଧିକାରୀ ଜୟନାରାୟଣ ଖଣ୍ଡାଇ ସାମ୍ବାଦିକଙ୍କୁ ଏହା ଜଣାଇଛନ୍ତି। ବିଭିନ୍ନ ସ୍ଥାନରୁ ଚୋରି/ଲୁଟ ଗହଣା ଓ ମୋବାଇଲ ଜବତ କରିବା ସହ ଜଣେ ଗହଣା ଦୋକାନୀଙ୍କ ସମେତ ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଣ୍ଡାଇ କହିଛନ୍ତି। ସେମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ଓ ୩କେଜିରୁ ଊର୍ଦ୍ଧ୍ବ ରୂପା ଅଳଙ୍କାର ଜବତ କରାଯାଇଛି। ଜବତ ହୋଇଥିବା ରୂପା ଗହଣାର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୫ହଜାର ଟଙ୍କା ହେବ ବୋଲି ସେ କହିଛନ୍ତିି। ଅଭିଯୁକ୍ତମାନେ ହେଲେ ପ୍ରତାପପୁର ଗ୍ରାମର ଗହଣା ଦୋକାନୀ ବାବୁ ଓରଫ ସୁକୁମାର ମହାପାତ୍ର(୩୫) ଓ ଦୁର୍ଗାପୁର ପଞ୍ଚାୟତ, ଦଲକି ଗ୍ରାମର ଗୌରାଙ୍ଗ ମହାକୁଡ଼(୩୦)।

ସୂଚନାମୁତାବକ, ବିଗତ ଦିନରେ ବଡ଼ସାହି ଥାନା ଅଧୀନ କୋଚିଲାପଦା ଗ୍ରାମର ବିନୋଦିନୀ ସାହୁ, ପଥରା ଗ୍ରାମର ଲକ୍ଷ୍ମୀପ୍ରିୟା ମହାନ୍ତ ଓ ଆମ୍ବଡାଳି ଗ୍ରାମର ଚନ୍ଦ୍ରଭାନୁ ଦାଶଙ୍କ ଘରୁ  ଚୋରମାନେ ଗହଣା ସମେତ ମୋବାଇଲ ଚୋରି କରିଥିଲେ। ପୁଲିସ ମାମଲା ରୁଜୁ ପୂର୍ବକ ତଦନ୍ତ ଜାରି ରଖିଥିଲା। ତେବେ ବାଲେଶ୍ୱର ଜିଲା ରେମୁଣା ଥାନାର ଦଳଗହୀରା ଗ୍ରାମର ବିଜୟ ବେହେରାଙ୍କୁ ବେତନଟୀ ପୁଲିସ ଗିରଫ କରିବା ପରେ ସିରିଜ୍‍ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଦଲକି ଗ୍ରାମର ଗୌରାଙ୍ଗ ବେତନଟୀରେ ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏକ ଚୋରି ମୋବାଇଲ କିଣି ବ୍ୟବହାର କରୁଥିଲେ। ମୋବାଇଲ ଟ୍ରାକିଂ ପରେ ପୁଲିସ୍‍ ତାଙ୍କ ପାଖରେ ପହଞ୍ଚି ଏହି ସଫଳତା ପାଇଥିଲା। ଏହା ପରେ ବଡ଼ସାହି ଥାନା ପ୍ରତାପପୁର ଗ୍ରାମର ଗହଣା ଦୋକାନୀ ସୁକୁମାରଙ୍କ ପର୍ଯ୍ୟନ୍ତ ପୁଲିସ୍‍ ପହଞ୍ଚିଥିଲା। ତାଙ୍କ ଘରେ ଓ ଦୋକାନରେ ଥିବା ରୂପା ଗହଣା ଓ ତରଳାଇ ରଖିଥିବା ରୂପାକୁ ପୁଲିସ ଜବତ କରିଛି। ବିଭିନ୍ନ ଥାନା ଇଲାକାରେ ଚୋରି ହେଉଥିବା ଗହଣା ଗୁଡିକ ଦୃବୁର୍ତ୍ତଙ୍କ ଠାରୁ କମ୍‍ ଦାମରେ କିଣି ସେ ବେପାର ଚଳାଇଥିଲେ। ଚୋରି ସାମଗ୍ରୀକୁ ତରଳାଇ ପୁନର୍ବାର ନୂତନ ରୂପ ଦେଇ ବିକ୍ରି କରିଥାନ୍ତି। ଗିରଫ ପରେ ଚୋରମାନେ ସୁକୁମାର ପୁଲିସ୍‍ ନିକଟରେ ଏହା ସ୍ୱୀକାର କରିଛନ୍ତି। ଚୋରି ହେବାର କିଛି ଘଣ୍ଟା ମଧ୍ୟରେ ଦୁବୃର୍ତ୍ତମାନେ ଗହଣା ପହଞ୍ଚାଇ ଥାନ୍ତି। ତେବେ ଦୀର୍ଘ ଦିନ ଧରି ସୁକୁମାରଙ୍କ ଏପରି କାର୍ଯ୍ୟକଳାପରେ ଲିପ୍ତ ରହି ଚୋରଙ୍କୁ ଚୋରି ପାଇଁ ପ୍ରବର୍ତ୍ତାଇବା ସହ ଚୋରି ସାମାଗ୍ରୀର ଭାଗ ନେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏପରିକି ପ୍ରତାପ ପୁର ବ୍ୟାଙ୍କ ଡକାୟତି ଓ କୋଚିଲା ଖୁଣ୍ଟା ଛକ ଟାୱାରରୁ ବ୍ୟାଟେରୀ ଚୋରିରେ ସମ୍ପୃକ୍ତ ଥିବା ବିଜୟ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଚୋରି ହୋଇଥିବା ମୋବାଇଲ ସମେତ ଅନ୍ୟ ୨ଟି ମୋବାଇଲ ମଧ୍ୟ ପୁଲିସ୍‍ ଜବତ କରିଛି। ଏହି ଚୋରିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୁବଶୀଘ୍ର ଗିରଫ କରିବ ବୋଲି ବଡ଼ସାହି ଥାନାଧିକାରୀ ପ୍ରକାଶ କରିଛନ୍ତି।

Leave A Reply