ଦୁର୍ନିତୀ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଡ଼ସାହି: ଜାରକାଣୀ ପଞ୍ଚାୟତରେ ଚାଲିଥିବା ଦୁର୍ନିତୀ, ମନମୁଖି ବ୍ୟବସ୍ଥା ଓ ପାତର ଅନ୍ତର ନୀତିକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମଙ୍ଗଳବାର ପଞ୍ଚାୟତ କାର୍ୟ୍ୟାଳୟରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରଣିତ ବିଭିନ୍ନ ଯୋଜନା ଅଧିକାରୀଙ୍କ ମନମୁଖି ବ୍ୟବସ୍ଥା ଓ ନିର୍ବାଚିତ ପ୍ରତିନିଧିଙ୍କ ପାତର ଅନ୍ତର ନୀତି ଯୋଗୁଁ ସଠିକ ଭାବେ କାର୍ୟ୍ୟକାରୀ ହେଉନାହିଁ। ଫଳରେ ବହୁ ହିତାଧିକାରୀ ସରକାରୀ ଅନୁଦାନରୁ ବଞ୍ଚିତ ହେଉଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପ୍ରକୃତ ହିତାଧିକାରୀଙ୍କୁ ମିଳୁନଥିବା ବେଳେ ହରିଶ୍ଚନ୍ଦ୍ର ସହାୟତା ଓ ୨୦୧୬ଆର୍ଥିକ ବର୍ଷରୁ ୨୦୧୯ପର୍ୟ୍ୟନ୍ତ ଆସିଥିବା ଅର୍ଥ କମିଶନ ଅନୁଦାନ ରାଶିରେ ଦୁର୍ନିତୀ କରାଯାଇଛି ବୋଲି ଗ୍ରାମବାସୀ ଏକତ୍ର ହୋଇଥିବା ଗ୍ରାମବାସୀ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରକଳ୍ପ ପଞ୍ଜିକରଣ କରାନଯାଇ ମନମୁଖି ଭାବେ ଏହାର ଦୁରୂପଯୋଗ କରାଯାଉଛି। ବାର୍ଷିକ ଯୋଜନା ଖସଡା ପ୍ରସ୍ତୁତ କରୁନଥିବା ବେଳେ ନିର୍ବାଚିତ ପ୍ରତିନିଧିମାନେ ସୁହାଇଲା ଭଳି କାର୍ୟ୍ୟକ୍ରମ କରୁଥିବା ଗ୍ରାମବାସୀ କହିଛନ୍ତି। ପଞ୍ଚାୟତ ପକ୍ଷରୁ ନିଲାମ ହେଉଥିବା ରାଶି ଆଦାୟ ନକରିବା, ଅନୁଦାନ ରାଶିକୁ ମନମୁଖି ଖର୍ଚ୍ଚକରିବା, କଂକ୍ରିଟ ରାସ୍ତା ଓ ଗାଧୁଆତୁଠ କାର୍ୟ୍ୟକୁ ଅତି ନିମ୍ନମାନର ଦର୍ଶାଇ ବିଲ ଉଠାଇବା ଓ ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ଅବଲମ୍ବନ କରିବା ଆଦି ବିଭିନ୍ନ ସମସ୍ୟାର ତଦନ୍ତ ଦାବି କରି ପଞ୍ଚାୟତବାସୀ ଉତ୍ତ୍ୟକ୍ତ ହୋଇ ପୂର୍ବାହ୍ଣ ୧୦ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ପଞ୍ଚାୟତ କାର୍ୟ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଅଫିସ କାର୍ୟ୍ୟ ଅଚଳ ହୋଇପଡ଼ିଥିଲା। କେହି ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚି ନଥିଲେ। ତେବେ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇ କାର୍ୟ୍ୟାଳୟରୁ ତାଲା ଖୋଲିଥିଲେ। ଭାରପ୍ରାପ୍ତ ବିଡିଓ ବସନ୍ତ ପୃଷ୍ଟି କହନ୍ତି ଘଟଣା ସମ୍ପର୍କରେ ସୂଚନା ପାଇଥିବା କହିଛନ୍ତି। ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଭତ୍ତା ପ୍ରଦାନ କରାଯିବ କହିଥିବା ବେଳେ ଦୁର୍ନିତୀ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.