ମାଇକ୍ରୋ ଫାଇନାନ୍ସ ଶାଖା ପରିଚାଳଙ୍କୁ ଅଟକ ; ଚଲାଇ ଚଲାଇ ଥାନାକୁ ଆଣିଲେ ଉତ୍ତ୍ୟକ୍ତ ମହିଳା

ବଡ଼ସାହି: ଋଣ କିସ୍ତି ଟଙ୍କା ଆଦାୟ କରିବାକୁ ଆସିଥିବା ସମସ୍ତା ନାମକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକଙ୍କୁ ସୋମବାର  ବିଭିନ୍ନ ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଉତ୍ତ୍ୟକ୍ତ ସଦସ୍ୟାଗଣ ଅଟକ ରଖି ବଡ଼ସାହି ଥାନାକୁ ଆଣିଛନ୍ତି। ସେମାନଙ୍କ ନାମରେ ଋଣ ନେଇ ଟଙ୍କା ହଡପ କରିଥିବା ଅଭିଯୁକ୍ତଙ୍କ ପରିବର୍ତ୍ତେ ସଦସ୍ୟାମାନଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଆସିଥିବା ଏହି ପରିଚାଳକ ଜଣଙ୍କ ସେମାନଙ୍କ ଆକ୍ରଶର ଶିକାର ହେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ସାଜିଛି।

ସୂଚନା ଅନୁଯାୟୀ,  ସୁହାଗପୁର ପଞ୍ଚାୟତ ଗୁହାଳଡିହି ଓ ଗୌଡ଼ମୁଣ୍ଡଳି ଗ୍ରାମରେ ଦୁଇ ବର୍ଷ ପୂର୍ବେ ମାଇକ୍ରୋ ଫାଇନାନ୍ସ ପକ୍ଷରୁ ଏସ୍‍ଏସ୍‍ଜି ଗ୍ରୁପର ସଦସ୍ୟାମାନଙ୍କୁ ଋଣ ଯୋଗାଇ ଦେଇଥିଲେ। ଟିମ୍‍ ଲିଡ଼ର କୁହାଯାଉଥିବା ଗ୍ରାମର ଜନୈକା ସଭାନେତ୍ରୀଙ୍କ ସ୍ୱାମୀଙ୍କ ପ୍ରରୋଚନାର ଶିକାର ହୋଇ ୪୬ଜଣ ମହିଳା ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ଫଟୋ ଦେଇଥିଲେ। ଯାହା ଜରିଆରେ ଅଭିଯୁକ୍ତ ଜଣଙ୍କ ଋଣ ପାଇଁ ଆବେଦନ କରିଥିଲେ। କିଛି ଦିନ ପରେ ଋଣ ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ମଧ୍ୟ ହୋଇଥିଲା। ପରେ ଅଭିଯୁକ୍ତ ଦମ୍ପତ୍ତି ଏହି ଟଙ୍କାକୁ ଚତୁରତାର ସହ ୧୯ଜଣ ମହିଳାଙ୍କ ନିକଟରୁ ଆଦାୟ କରି ଋଣ ସମ୍ପର୍କିତ କାଗଜପତ୍ର ଠିକ ହେବା ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲେ। ଦୁଇ ବର୍ଷ ଧରି ମହିଳାମାନେ ଟଙ୍କା ଆଣିବାକୁ ଗଲେ ମିଛସତ କହି ଠକି ଚାଲିଥିଲେ। ସଂସ୍ଥା ପକ୍ଷରୁ କର୍ମଚାରୀମାନେ ମାସକୁ ଦୁଇ ଥର ସମ୍ପୃକ୍ତ ଦମ୍ପତ୍ତିଙ୍କ ଘରକୁ ଯାଇ ସୁଧ ସହିତ କିସ୍ତି ଟଙ୍କା ନେଇ ଯାଉଥିଲେ। ମାତ୍ର କିଛି ଦିନ ପୂର୍ବେ ଅଭିଯୁକ୍ତ ସଭାନେତ୍ରୀଙ୍କ ସ୍ୱାମୀ ଲକ୍ଷାଧିକ ଟଙ୍କା ନେଇ ଫେରାର ହେବା ପରେ ଫାଇନାନ୍ସର କର୍ମଚାରୀମାନେ ଋଣ ଦେଇଥିବା ମହିଳାମାନଙ୍କୁ ଭେଟି ଟଙ୍କା ଆଦାୟ ପାଇଁ ତାଗିଦ ଆରମ୍ଭ କରିଥିଲେ। ଘଟଣା ପ୍ରଚାରିତ ହେବା ପରେ ମହିଳାମାନେ ଏକଜୁଟ ହୋଇ ୧୦ଦିନ ପୂର୍ବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‍ ପକ୍ଷରୁ କୌଣସି ପଦକ୍ଷେପ ନେବା ପୂର୍ବରୁ ସୋମବାର ସଂସ୍ଥାର ବାରିପଦା ଶାଖା ପରିଚାଳକ ୩ଜଣ କର୍ମଚାରୀଙ୍କ ସହିତ ସୁଧ ଓ କିସ୍ତି ଟଙ୍କା ଆଦାୟ କରିବାକୁ ଆସିଥିବା ବେଳେ ଉତ୍ତ୍ୟକ୍ତ ମହିଳାମାନେ ଘେରିଥିଲେ। ଦୀର୍ଘ ଦିନ ଧରି ଋଣ ଟଙ୍କା ବାବଦରେ ଜଣାଇ ନଥିବା ବେଳେ ଟଙ୍କା କେଉଁଠୁ ପରିଶୋଧ କରିବୁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ପରିଚାଳକ ଜଣଙ୍କ ନିଜ ଜିଦ୍‍ରେ ଅଟଳ ରହିବାରୁ ଶେଷରେ ମହିଳା ମାନେ ତାଙ୍କୁ ଗ୍ରାମ ଠାରୁ ୩କିମି ଚଲାଇ ଚଲାଇ ଆଣି ବଡ଼ସାହି ଥାନାରେ ଜିମା ଦେଇଥିଲେ। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରତାରିତ ମହିଳାମାନେ ଭିଡ଼ ଜମାଇଛନ୍ତି। ତେବେ ନ୍ୟାୟ ନମିଳିଲେ ଋଣ ବୋଝ ବଢିବା ଚିନ୍ତାରେ ମହିଳାମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ସୌଦାମିନୀ ଶଙ୍ଖୁଆଳ, ପ୍ରମିଳା ପାତ୍ର, ସବିତା ବେହେରା, ସରସ୍ୱତୀ ବେହେରା, ବାସନ୍ତୀ ବେହେରା, ଶାରଦା ବିନ୍ଧାଣୀ, ବିଜୟ ବିନ୍ଧାଣୀ ଓ ସୁମତୀ ଦେହୁରୀ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ବଡ଼ସାହି ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟ କହନ୍ତି ‘ରାଜ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ବିଭିନ୍ନ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରୁ କମ୍‍ ସୁଧରେ ଋଣ ନେଇ କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ରୋଜଗାର କରିବାର ବାଟ ଦେଖାଯାଉଛି। ମାତ୍ର କିଛି ଖଳପ୍ରକୃତିର ଲୋକଙ୍କ ପ୍ରରୋଚନାରେ ପଡି ଗାଁ ଗଣ୍ଡାର ନିରୀହ ମହିଳାମାନେ ଠକାମୀର ଶିକାର ହେଉଛନ୍ତି। ଏପରି ଅଭିଯୋଗ ପାଇ ସେ ତଦନ୍ତ କରୁଛନ୍ତି କହିଛନ୍ତି’।

Comments are closed.