ଗୋ-ପୂଜାର ନିଆରା ପରମ୍ପରା ‘ବାନ୍ଦଣା ପର୍ବ’

ବଡ଼ସାହି:ରବିବାର କାର୍ତ୍ତିକ ଅମାବାସ୍ୟା। ଆଲୋକର ପର୍ବ ଦୀପାବଳି। ତ୍ରୟୋଦଶୀରୁ ଧନତେରାସ୍ ଓ ଧନ୍ୱନ୍ତରୀ ଜୟନ୍ତୀ, ଚତୁର୍ଦ୍ଦଶୀରେ ନରକ ନାଶିନୀ ଚତୁର୍ଦ୍ଦଶୀ ପାଳିତ ହେଉଥିବା ବେଳେ ଦୀପାବଳି ପରଦିନ ପ୍ରତିପଦାରେ ଗୋବର୍ଦ୍ଧନ ପୂଜା ଓ ଦ୍ୱିତୀୟାରେ ଯମ ଦ୍ୱିତୀୟା ବା ଭୈୟାଦୁଜା ପାଳିତ ହୋଇଥାଏ। ୫ଦିନ ଭିନ୍ନଭିନ୍ନ ପରମ୍ପରାରେ ପର୍ବ ସବୁ ପାଳିତ ହୋଇଥାଏ। ଲଘୁଚାପ ଜନିତ ବର୍ଷା ଛାଡ଼ି ଯିବା ପରେ ମୟୂରଭଞ୍ଜ ଜିଲାରେ ମୁଣ୍ଡା, ଭୂମିଜ, ବାଥୁଡ଼ି, ଲୋଧା, ମାହାଲି, କାଳନ୍ଦି, ବଗାଳ, କୁମ୍ଭାର, କମାର, ଓରାଙ୍ଗ, ଗଣ୍ଡ ଓ କୁଡୁମୀ ସମ୍ପ୍ରଦାୟର ଲୋକଙ୍କର ‘ବାନ୍ଦଣା ପର୍ବ’ ଓ ସାନ୍ତାଳ ସମ୍ପ୍ରଦାୟର ଲୋକଙ୍କ ‘ସହରାୟ ପର୍ବ’ ପାଳନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଏଥି ପାଇଁ ମୟୂରଭଞ୍ଜ ଜିଲା ଉତ୍ସବ ମୁଖର ହୋଇ ଉଠିଛି।
ଉତ୍ସବରେ ସମସ୍ତେ ମା’କାଳୀଙ୍କୁ ଧନଦେବୀ ଓ ବନଦେବୀର ପ୍ରତୀକ ଭାବେ ପୂଜା କରିଥାନ୍ତି। ପ୍ରକୃତି ବିଶ୍ୱାସୀ କୁଡୁମୀ ସମ୍ପ୍ରଦାୟର ଲୋକେ ଚାଷ କାର୍ୟ୍ୟକୁ ଜୀବନ ଧାରଣର ପନ୍ଥା ଭାବେ ବାଛି ନେଇ ଥିବାରୁ ନିଜର ଧନ ସମ୍ପତ୍ତିର ମୁଖ୍ୟ ସହାୟତା ପ୍ରଦାନ କରୁଥିବା ଗୋ-ସମ୍ପଦଙ୍କୁ ଏହି ଅବସରରେ ପୂଜା କରିବା ସେମାନଙ୍କର ଏକ ନିଆରା ପରମ୍ପରା। କୁଡୁମୀ ମାନେ ବାନ୍ଦଣା ପର୍ବକୁ ୩ଟି ପର୍ୟ୍ୟାୟରେ ପାଳନ କରିଥାନ୍ତି। ପ୍ରଥମ ଦିନ ପୂଜାକୁ ଗୋଠପୂଜା କୁହାଯାଇଥାଏ। ଦୀପାବଳି ଅପରାହ୍ଣରେ ଗୋ-ଧୂଳି ସମୟରେ ଏହା ପାଳନ କରାଯାଇଥାଏ। ଗାଁ ମୁଣ୍ଡ ପଡ଼ିଆ ବା ଖୋଲାସ୍ଥାନରେ ଗୋବର ଦ୍ୱାରା ଲିପାଯାଇ ଶିବ, ପାର୍ବତି ଓ ବାସୁଆ ଷଣ୍ଡ ଚିତ୍ର ଚାଉଳରେ ଅଙ୍କାଯାଇ ଷଣ୍ଡର କୁଜରେ ଦେଶୀ କୁକୁଡ଼ା ଅଣ୍ଡା ରଖାଯାଇଥାଏ। ଗ୍ରାମର ନାୟା ବା ପୂଜକ ପାରମ୍ପାରିକ ପୂଜାନୀତି ସମ୍ପୂର୍ଣ୍ଣ କରିବା ପରେ ଗୋଠରୁ ଫେରୁଥିବା ଗୋରୁପଲଙ୍କୁ ସେହି ପୂଜାସ୍ଥଳୀ ଦେଇ ଛଡ଼ା ଯାଇଥାଏ। ଯେଉଁ ଗୋରୁ ଖୁରାରେ ବାଜି ଅଣ୍ଡାଟି ଭାଙ୍ଗିବ ସେହି ଗୋରୁର ମାଲିକ ନିଜକୁ ଭାଗ୍ୟବାନ ମଣିଥାନ୍ତି। ତାଙ୍କର ଆମନ୍ତ୍ରଣରେ ସେହି ସନ୍ଧ୍ୟାରେ ସମସ୍ତ ଗ୍ରାମବାସୀ ଆଥିତ୍ୟ ଗ୍ରହଣ ପୂର୍ବକ ଭୋଜିଭାତ ଖାଇ ତାଙ୍କ ଘରୁ ଧେଙ୍ଗୁଆନ ବା ସ୍ୱତନ୍ତ୍ର ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥାନ୍ତି। ମାଦଳର ତାଳେତାଳେ ନାଚଗୀତର ଆସରରେ ଭଜିଥାନ୍ତି ଗ୍ରାମବାସୀ। ପୂଜକ ଗୋରୁ ମାଲିକଙ୍କ ଠାରୁ ନୂଆ ଲୁଗା ପାଇ ଅଣ୍ଡା ଭାଙ୍ଗିଥିବା ଗୋରୁ ସେହରେ ନାଲି ରଙ୍ଗ ଲଗାଇଦିଅନ୍ତି। କେତେକ ସ୍ଥାନରେ ପୂଜା ସମୟରେ ବଳିପ୍ରଥା ନଜିର ରହିଛି। ତହିଁ ପରଦିନ ଆରମ୍ଭ ହୋଇତାଏ ଗରୟା ପୂଜା। ଏହି ଦିନ କୁଡୁମୀମାନେ ଧର୍ମ ତଥା ପ୍ରକୃତିକୁ ପୂଜା କରନ୍ତି। ସାନ୍ତାଳମାନେ ଡ଼ାଡ଼ିବୁରୁ ଓ ହେମାଲବୁରୁ(ଗ୍ରାମଦେବୀ)ଙ୍କୁ ପୂଜା କରୁଥିବା ବେଳେ ଅନ୍ୟ ସମ୍ପ୍ରଦାୟର ଲୋକେ ସେମାନଙ୍କର ନିର୍ଦ୍ଦିଷ୍ଟ ଦେବାଦେବୀ ଯଥା, ପାଉଳି, ଲିଳୋର, କପିଲା, ସୁରଭି, ଛାନ୍ଦନଦଡ଼ି, ବାନ୍ଧନଦଡ଼ି, ବାଦଲ୍ମା, ଘଡ଼ଘଡ଼ିମା, ଝଟକାମା ଓ ଦହିଭାରୁଆମାଙ୍କୁ ପୂଜା କରିଥାନ୍ତି। ଏହି ଦିନ ସମସ୍ତେ ପ୍ରକୃତି ମାଧ୍ୟମରେ ଶିବପାର୍ବତୀଙ୍କୁ ପୂଜା କରୁଥିଲେ ହେଁ ସମସ୍ତ ଦାଣ୍ଡରୁ ଗୁହାଳ ପର୍ୟ୍ୟନ୍ତ ସ୍ୱତନ୍ତ୍ର ଲଟା ପାନିଆ କ୍ଷୀରରେ ଝୋଟି ପକାଯାଇଥାଏ। ଯାହାକୁ ଦାଣ୍ଡିଆ ଝୁଟି କୁହାଯାଏ। ଏଥି ସହିତ ଘରର ବୋହୁମାନେ ସକାଳୁ ଗାଧୋଇ ଓଦାଲୁଗାରେ ଚୂନା ତିଆରି କରି ଗୁଡ଼ ଘିଅରେ ସ୍ୱତନ୍ତ୍ର ଗରୟା ପିଠା ତିଆରି କରନ୍ତି। ଗୁହାଳରେ କଇଁଫୁଲର ସାଜସଜ୍ୟା କରି ଏହି ପିଠାକୁ ନିର୍ମିତ ଠାକୁର ଗାରୟା ତଥା ବଡ଼ପାହାଡ଼ଙ୍କ ଠାରେ ଭୋଗ ଲଗାନ୍ତି। ଏଥି ସହିତ କୁକୁଡ଼ା ବଳି ବା ବାଗୁଦ ମୌଳିକ ସଂଖ୍ୟାନୁସାରେ ଦିଅନ୍ତି। ଗୋବର୍ଦ୍ଧନପୂଜା ଅନୁଯାୟୀ ସନ୍ଧ୍ୟାରେ ଗୋରୁଗାଇଙ୍କ ଶିଙ୍ଗରେ ତେଲଘିଅ ଲଗାଇ ନୂଆଧାନ ଗଛର ମଉଡ଼ ବା ମୁକୁଟ ପିନ୍ଧାଇ ବନ୍ଦାପନା କରିଥାନ୍ତି। ପର୍ବର ଶେଷ ଦିନ ଅନୁଷ୍ଠିତ ହୋଇଥାଏ ଗୋରୁ ଖୁଣ୍ଟା ତଥା ଗୋରୁଚୁମା ପର୍ବ। ଭୂତ, ପ୍ରେତ, ଡ଼ାହାଣୀ ପ୍ରଭୃତି ଦୁଷ୍ଟଶକ୍ତିଙ୍କ ପ୍ରଭାବରୁ ଗୋଜାତିକୁ ରକ୍ଷା ପାଇଁ ମେଥି, ଭାଲିଆ ଓ ସୋରିଷ ଆଦି ଏକ ମାଟିପାତ୍ର ସରାରେ ରଖି ନୂତନ ଲୁଗା ପରିଧାନ ପୂର୍ବକ ଗୃହକର୍ତ୍ତୀ ଜାଳିଥାନ୍ତି। ସେଥିରୁ ନିର୍ଗତ ଧୂଆଁକୁ ଗୋରୁଗାଇଙ୍କ ଦେହରେ ସ୍ପର୍ଶ କରାଯାଏ। ଯାହାକୁ ନିମଛାନ୍ କୁହାଯାଏ ଏହାପରେ ବଳଦଙ୍କୁ ନେଇ ଆରମ୍ଭ ହୋଇଥାଏ ଗୋରୁ ଖୁଣ୍ଟା। ବିଭିନ୍ନ ଚିତାରେ ଅଙ୍କିତ ବଳଦଙ୍କୁ ଉତ୍ତମଭାବେ ଖାଇବାକୁ ଦିଆଯାଇ ଶକ୍ତ ଦଉଡ଼ି ବା ପଘାରେ ଗାଁ ରାସ୍ତାରେ ନିଜନିଜ ଘର ସମ୍ମୁଖରେ ପୋତା ଯାଇଥିବା ଖୁଣ୍ଟରେ ବନ୍ଧାଯାଏ। ବଣଜଙ୍ଗଲରେ ଚରିବୁଲୁଥିବା ଗୋରୁଗାଈଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ସହିତ ସାହାସୀ ଉଦେଶ୍ୟରେ ମାଦଳ, ନାଚ ଓ ଗୀତର ତାଳରେ ତାଲିମ ଦିଆଯାଏ। ସମ୍ପତି କଳଲଙ୍ଗଳର ବ୍ୟବହାର, ଗୋ-ସମ୍ପଦର କ୍ଷୟ ଓ ଆଧୁନିକ ଚଳଣିରେ ଏହି ପର୍ବ ଫିକା ପଡ଼ିବାକୁ ଲାଗିଥିବା ବେଳେ ଜିଲାର କୁଡୁମୀ ବହୁଳ ଗ୍ରାମରେ ଏହି ପରମ୍ପରା ଏବେ ବି ରହିଛି। ‘ଆମଦେର୍ ବାପ୍ ଠାକୁବାପ୍ ରାଏ ବାନ୍ଦ୍ନା ପରବ ମାନି ଆସିଛେନ୍, ଆମ୍ରାଏ ମାନଛି। ଯେହେତୁ ଏଖନ୍ ସବାଏ ଉଡ଼ିଆ ଚଲ୍ନି ଚଲାତେ ଖୁଛେନ୍ ଆମଦେର୍ ଛାନାପୁନାରାଏ କି କର୍ବେନ୍ ଉଟା ତ ଜାନିନାଏଁ’ ନେଇ ବଡ଼ସାହି ବ୍ଲକ ଆଗୁଆଡ଼ ଗ୍ରାମର ମହେନ୍ଦ୍ର ମହାନ୍ତ, ନିତ୍ୟାନନ୍ଦ ମହାନ୍ତ ଓ ଗଣେଶ୍ୱର ମହାନ୍ତ କହନ୍ତି। ଅନ୍ୟପକ୍ଷରେ ଆଧୁନିକ ଚାଲିଚଳଣିରେ କୁଡୁମୀ ଯୁବଗୋଷ୍ଠୀ ନିଜର ପରମ୍ପରାର ଗୁରୁତ୍ୱ ପ୍ରତି ଅନାଗ୍ରହ ଏକ ଅଶୁଭ ସଙ୍କେତ ବୋଲି ରଙ୍ଗମାଟିଆ ମହାବିଦ୍ୟାଳୟର ଅଧ୍ୟାପକ ଯୋଗେଶ୍ୱର ମହାନ୍ତ ମତ ଦିଅନ୍ତି। ମୟୂରଭଞ୍ଜରେ ୨୮ତାରିଖ ସୋମବାର ଗୋଠପୂଜା, ୨୯ତାରିଖ ମଙ୍ଗଳବାର ଗୋବର୍ଦ୍ଧନ ପୂଜା, ୩୦ତାରିଖ ବୁଧବାର ବନ୍ଦାଣ ଓ ୩୧ତାରିଖ ଗୋରୁଖୁଣ୍ଟା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତ କହିଛନ୍ତି।

Comments are closed.