ବଡ଼ସାହି:ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ ହେଲେ ୪ହଜାର ସଦସ୍ୟ

0

ବଡ଼ସାହି : କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ବାଦ ପଡିଥିବା ପ୍ରକୃତ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ବଡ଼ସାହି ବ୍ଲକର ୧୩୩୦ ପରିବାର ସାମିଲ ହୋଇଛନ୍ତି। ମଙ୍ଗଳବାର ଏହି ପରିବାରକୁ ରେସନ କାର୍ଡ ପ୍ରଦାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, ସାଂସଦ ପ୍ରତିନିଧି ରାକେଶ କୁମାର ମହାପାତ୍ର ଓ ବାରିପଦା ବିଧାୟକ ତଥା ଉପବାଚସ୍ପତିଙ୍କ ପ୍ରତିନିଧି କେଶବ ଚନ୍ଦ୍ର ସାହୁ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ଼ ପ୍ରଦାନ କରିଥିଲେ। ମୋଟ ୧୩୬୧ ପରିବାର ଚିହ୍ନଟ ହୋଇଥିବା ବେଳେ ୪୧୦୯ ସଦସ୍ୟ ରାଜ୍ୟ ସରକାର ପ୍ରଦତ୍ତ ରେସନକାର୍ଡ ଦ୍ୱାରା ଉପକୃତ ହେବେ। ୨୦୧୪ ମସିହାରୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ଓଡିଶାର ବହୁ ପ୍ରକୃତ ହିତାଧିକାରୀ ବାଦ ପଡିଥିଲେ। ସେମାନଙ୍କ ବାବଦରେ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ସେଥି ପ୍ରତି ଧ୍ୟାନ ନଦେବାରୁ ଓଡିଶା ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି ବୋଲି ବିଧାୟକ କହିଥିଲେ। ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଏଣିକି କିଲୋ ପ୍ରତି ୧ଟଙ୍କାରେ ରେସନ କାର୍ଡ ମାଧ୍ୟମରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ମେଳାରେ ୮୫୨ଜଣ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟା ଯାଇଥିବା ବେଳେ ଅନ୍ୟମାନଙ୍କୁ ନିଜନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଇଦିଆଯିବ ବୋଲି ଜଣାପଡ଼ିଛି। ୩୦ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମେଳାରେ ଯୋଗ ଦେଇଥିଲେ। ଶେଷରେ ଯୋଗାଣ ଅଧିକାରୀ ସୁଧାଂଶୁ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply