ମୁକ୍ତିଲାଭ କଲା ଆୟୁଷ୍ମାନଙ୍କ ‘ଆର୍ଟିକିଲ-୧୫’

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍ଟିକିଲ-୧୫’ ଶୁକ୍ରବାର ମୁକ୍ତିଲାଭ କରିଛି। ଭାରତୀୟ ସମ୍ବିଧାନର ଧାରା-୧୫କୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଅନୁଭବ ସିହ୍ନାଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେହିଭଳି ଈଶା ତଲଓ୍ବାର, ସୟାନୀ ଗୁପ୍ତା, କୁମୁଦ ମିଶ୍ର ପ୍ରମୁଖ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର ଟ୍ରେଲର ମେ’ ୩୦ରେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରଥମ ଥର ପାଇଁ ଆୟୁଷ୍ମାନ ପୁଲିସ ଚରିତ୍ରରେ ଅଭିନୟ କରିଛନ୍ତି। ପୂର୍ବରୁ ଏନେଇ ଆୟୁଷ୍ମାନ କହିଥିଲେ, ପ୍ରଥମଥର ପାଇଁ ସେ ପୁଲିସ୍ ଅଧିକାରୀ ଚରିତ୍ରରେ ଅବତୀର୍ଣ୍ଣ। ଲକ୍ଷ୍ନୌରେ ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପୁଲିସ୍ ଅଧିକାରୀଙ୍କ ସହ ନିୟମିତ ଭାବେ ମିଳାମିଶା କରୁଥିଲେ। ତାଙ୍କ ମତରେ ସେ ପୁଲିସ୍ ଅଧିକାରୀଙ୍କୁ ନକଲ କରିବାକୁ ଚାହୁଁନଥିଲେ। ବରଂ ପରଦା ଉପରେ ଜଣେ ପୁଲିସ୍ ଅଧିକାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ଆତ୍ମସନ୍ତୋଷ ଦେବାକୁ ଚାହୁଁଥିଲେ। ପୁଲିସ୍ ଅଧିକାରୀମାନଙ୍କ କାମ କେତେ କଷ୍ଟ, ତାହା ସେ ସେମାନଙ୍କ ମିଶିବା ପରେ ଜାଣିପାରିଥିଲେ। ଦିନରାତି ସବୁସମୟରେ ସେମାନଙ୍କୁ ସତର୍କ ରହିବାକୁ ପଡ଼େ। ଆୟୁଷ୍ମାନଙ୍କ ମତରେ କିଛି ଘଣ୍ଟା ପାଇଁ ପରଦା ଉପରେ ଅଭିନୟ କରିବା ମୋ ପାଇଁ ଚ୍ୟାଲେଞ୍ଜ୍ ଥିଲା। ପୁଲିସ୍ ଅଧିକାରୀମାନେ ତାଙ୍କ ଚାକିରି ଜୀବନରେ କେତେ ଚ୍ୟାଲେଞ୍ଜ୍ ନେଇଥାନ୍ତି, ତାହା ଆମେ କେହି ଅନୁମାନ ମଧ୍ୟ କରିପାରିବାନି ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ଆର୍ଟିକିଲ-୧୫ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି ଅଖିଳ ବ୍ରହ୍ମାଣ୍ଡ ଏକତା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିସହ ସିନେମାର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସଂଗଠନ ପକ୍ଷରୁ ଆଇନଗତ ନୋଟିସ୍ ଜାରି କରାଯିବା ସହ ସିନେମାରେ ଥିବା ଆପତ୍ତିଜନକ ଅଂଶକୁ କାଟିଦେବା ପାଇଁ ଦାବି କରାଯାଇଥିଲା।

Comments are closed.