ସ୍ୱାସ୍ଥ୍ୟ ସେବା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର ସରକାର

0

ନୂଆଦିଲ୍ଲୀ:ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କ ପାଇଁ ଆଧାର କାର୍ଡ ଆବଶ୍ୟକ। କିନ୍ତୁ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ପାଇଁ ଆଧାର ବାଧ୍ୟତାମୂଳକ କରାଯାଉଛି ବୋଲି ଅଭିଯୋଗ ଆସିବା ପରେ ମନ୍ତ୍ରାଳୟ ପକ୍ଷରୁ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଛି।
ଆୟୁଷ୍ମାନ ଯୋଜନା ପାଇଁ ଆଧାର ବାଧ୍ୟତାମୂଳକ। ଯଦି ହିତାଧିକାରୀଙ୍କ ଆଧାର କାର୍ଡ ନାହିଁ ତେବେ ସେ ସେଥିପାଇଁ ଆବେଦନ କରିଥିବା ପ୍ରମାଣ ଦାଖଲ କରିବାକୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗତ ୪ ତାରିଖରେ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅସନ୍ତୋଷ ଦେଖାଦେଇଥିଲା। ତେଣୁ କେନ୍ଦ୍ର ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସ୍ପଷ୍ଟୀକରଣରେ କୁହାଯାଇଛି ଯେ ହିତାଧିକାରୀଙ୍କ ପରିଚୟ ପ୍ରମାଣ ନିଶ୍ଚିନ୍ତ କରିବା ପାଇଁ ବୀମା ସଂସ୍ଥାଙ୍କୁ ଆଧାର ମାଗିବାକୁ ନିର୍ଦେଶ ଦିଆଯାଇଥିଲା। ବିଜ୍ଞପ୍ତିରେ ଚିଠା ନିର୍ଦେଶ ଜାରି ହୋଇଥିଲା। ଏହା ଚୂଡ଼ାନ୍ତ ନିର୍ଦେଶ ନୁହେଁ। ଆଧାର ପାଇଁ କାହାକୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ଆଧାର ନଥିଲେ ରାସନ୍‍ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଦେବାକୁ ବିଜ୍ଞପ୍ତିରେ କୁହାଯାଇଥିଲା। ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ ସଂସ୍ଥାଙ୍କୁ ସେମାନଙ୍କ କାର୍ଯ୍ୟାଳୟ ନିକଟରେ ଆଧାର ପଞ୍ଜିକରଣ କେନ୍ଦ୍ର ଖୋଲିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଆଧାର ଥାଉ ବା ନଥାଉ ସମସ୍ତଙ୍କୁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧ ପରିକର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା କହିଛନ୍ତି।

Leave A Reply