ଆଜି ଆସିବ ଅଯୋଧ୍ୟା ରାୟ

ୟୁପି ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନବିଚାରପତି ସୁରକ୍ଷା ସମୀକ୍ଷା

-ୟୁପିରେ ଅଭୂତପୂର୍ବ ସୁରକ୍ଷା, ସାର୍ବଜନୀନ ସୂଚନା ପ୍ରଣାଳୀ କାଏମ
-ସାମାଜିକ ଗଣମାଧ୍ୟମ ଉପରେ ତୀକ୍ଷ୍ଣ ନଜର, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ
-୧୬,୦୦୦ ସୁରକ୍ଷାକର୍ମୀ ମୁତୟନ, ଉଡୁଛି ଡ୍ରୋନ୍ କ୍ୟାମେରା, ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ
-ପାଞ୍ଚ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ସୁରକ୍ଷା ବଢ଼ିଲା, ଜାମ୍ମୁ-କାଶ୍ମୀରରେ ୧୪୪
-ଶାନ୍ତି-ସଦ୍‌ଭାବନା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ/ଲକ୍ଷ୍ନୌ : ବହୁଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ରାୟ ଆଜି ପ୍ରକାଶ ପାଇବ।  ଶନିବାର ସାଢେ ୧୦ଟା ସମୟରେ ସର୍ବୋଚ୍ଚ ଅଦାଲତ ଏହି ରାୟ ଶୁଣାଇବେ। ଆସନ୍ତାକାଲି ପାଇଁ ସୁପ୍ରିମକୋର୍ଟର କଜ୍‌ଲିଷ୍ଟରେ ଏହି ମାମଲା ସ୍ଥାନ ପାଇଛି। ରାୟପ୍ରକାଶର ଦିନକ ପୂର୍ବରୁ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଅଯୋଧ୍ୟା ସମେତ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାୟ ପ୍ରକାଶ ପରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ସୁନିଶ୍ଚିତ କରିବାକୁ ଜଷ୍ଟିସ ଗୋଗଇ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରି ଓ ପୁଲିସ ମହାନିର୍ଦେଶକ ଓମ୍ ପ୍ରକାଶ ସିଂହଙ୍କ ସହିତ ବୈଠକ ସମୟରେ କହିଛନ୍ତି। ରାୟ ଯାହାବି ଆସୁ ତାହାକୁ କୌଣସି ପକ୍ଷ ହାର କିମ୍ବା ଜିତ୍‌ ରୂପେ ଗ୍ରହଣ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶରେ ଶାନ୍ତି, ସଦ୍‌ଭାବ ଓ ସୌହାର୍ଦ୍ଧ ବଜାୟ ରଖିବାକୁ ମୋଦୀ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଅଯୋଧ୍ୟା ରାୟ ଆଜି ଆସିବାକୁ ଥିବାରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓ ଉତ୍ତରପ୍ରଦେଶର ଆଦିତ୍ୟନାଥ ଯୋଗୀ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛନ୍ତି। ବିବାଦୀୟ ସ୍ଥଳରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଟ୍‌ କରାଯାଇଛି। ରାଜ୍ୟ ସରକାର ୧୨ହଜାର ସୁରକ୍ଷାକର୍ମୀ ମୁତୟନ କରିଥିବାବେଳେ ୪୦୦୦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରାଯାଇଛି। ଉତ୍ତରପ୍ରଦେଶର ସମସ୍ତ ସ୍କୁଲ କଲେଜକୁ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଏହାବ୍ୟତୀତ ମଧ୍ୟପ୍ରଦେଶ ଓ ଦିଲ୍ଲୀର ମଧ୍ୟ ସ୍କୁଲକୁ ବନ୍ଦ ରଖାଯାଇଛି। ପ୍ରଧାନ ବିଚାରପତିଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା ସହିତ ମାମଲା ଶୁଣାଣି କରୁଥିବା ୫ ଜଣିଆ ପୀଠର ଅନ୍ୟ ବିଚାରପତିଙ୍କୁ ସ୍ବତନ୍ତ୍ର ସୁରକ୍ଷା ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଛି।
ଦେଶର ବିଭିନ୍ନ ସମୟରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି। ଉତ୍ତର ପ୍ରଦେଶର କେତେକ ସ୍ଥାନ ସମେତ ଜାମ୍ମୁ-କାଶ୍ମୀରରେ ଆଜି ଅର୍ଦ୍ଧରାତ୍ରରୁ ୧୪୪ ଧାରା ଲାଗୁ କରାଯାଇଛି। ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ମଦଦୋକାନ ଗୁଡିକୁ ବନ୍ଦ ରଖିବା ଲାଗି ନିର୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସମସ୍ତ ଜିଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଅଯୋଧ୍ୟା ଓ ସମଗ୍ର ରାଜ୍ୟରେ କଟକଣା ଲାଗୁ କରାଯାଇଛି। କୌଣସି ସ୍ଥାନରେ ୪ଜଣ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ଫେସବୁକ୍‌, ହ୍ବାଟ୍ସଆପ, ଟ୍ବିଟର ଭଳି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଉପରେ ମଧ୍ୟ କଡା ନଜର ରଖାଯାଇଛି। ସୋସିଆଲ ମିଡିଆରେ କୌଣସି ପ୍ରକାର ଗୁଜବ ପ୍ରଚାରକୁ ରୋକିବା ଲାଗି ବ୍ୟବସ୍ଥା କରାଯାଇଛି। କୌଣସି ଅସାମାଜିକ ବ୍ୟକ୍ତି, ଗୋଷ୍ଠୀ ଯେଭଳି ରାୟପ୍ରକାଶ ପରେ ଧାର୍ମିକ ଭାବନାକୁ ଉସୁକାଇବା ଲାଗି ଅପଚେଷ୍ଟା ନକରନ୍ତି, ସେଥିପ୍ରତି ବିଶେଷ ଗୁରୁତ୍ବ ଦିଆଯାଇଛି। ମୋବାଇଲ ଫୋନ୍‌କଲ୍‌ ଗତିବିଧି ଉପରେ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୀକ୍ଷ୍ଣ ନଜର ରଖିଛି। ଜନସାଧାରଣଙ୍କୁ ସଠିକ୍ ତଥ୍ୟ ଓ ସୂଚନା ପ୍ରଦାନ କରିବା ଲାଗି ଉତ୍ତରପ୍ରଦେଶ ସରକାର ଏକ ସାର୍ବଜନୀନ ସୂଚନା ପ୍ରଣାଳୀ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ ଜରୁରୀ ବୈଠକ ମଧ୍ୟ ହୋଇ ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡାକଡ଼ି କରାଯାଇଛି। ଅଯୋଧ୍ୟାର ବିଭିନ୍ନ ଅଞ୍ଚଳକୁ ଏକ ପକେଟ୍‌ରେ ବିଭକ୍ତ କରାଯାଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଯୋଧ୍ୟା ସମେତ ୟୁପି ଆକାଶମାର୍ଗରେ ଡ୍ରୋନ୍ କ୍ୟାମେରା ଉଡାଯାଇ ସୁରକ୍ଷା ବ୍ୟବସ୍ଥାର ସମସ୍ତ ଗତିବିଧି ଉପରେ ଦୃଷ୍ଟି ନିବଦ୍ଧ କରାଯାଇଛି। ମହାରାଷ୍ଟ୍ର ସରକାର ମଧ୍ୟ ଅଯୋଧ୍ୟା ରାୟ ପୂର୍ବରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପୂର୍ବକ ଗୁଇନ୍ଦା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।
ଆଜିର ବୈଠକରେ ଅଯୋଧ୍ୟାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରଧାନ ବିଚାରପତି ଶ୍ରୀ ଗୋଗଇ ଆଜି ନିର୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ସହିତ ଅନ୍ୟ କୌଣସି ପ୍ରକାର ସହାୟତା ଦରକାର ପଡିଲେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଆଯିବ ବୋଲି ପ୍ରଧାନ ବିଚାରପତି କହିଥିଲେ। ଅପରାହ୍ଣରେ ପ୍ରଧାନ ବିଚାରପତିଙ୍କ ପ୍ରକୋଷ୍ଠରେ ଏହି ବୈଠକ ହୋଇଥିଲା। ଅନ୍ୟପକ୍ଷରେ ରାୟକୁ କୌଣସି ଜୟ-ପରାଜୟ ଦୃଷ୍ଟିରେ ନନେବାକୁ ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ ଏନେଇ ଦେଶବ୍ୟାପୀ ଶାନ୍ତିବଜାୟ ରଖିବାକୁ ନିବେଦନ କରାଯାଇଛି। ଏହାକୁ ବିଜୟ କିମ୍ବା ପରାଜୟ ରୂପେ କୌଣସି ଦଳ, ସଂଗଠନ କିମ୍ବା ପକ୍ଷ ଗ୍ରହଣ ନକରିବାକୁ ସନ୍ଥ ରାମବେଦାନ୍ତି ନିବେଦନ କରିଛନ୍ତି। ସମସ୍ତ ହିନ୍ଦୁ ଓ ମୁସଲମାନ ଭାଇ ଆପୋଷ ସଦ୍‌ଭାବନାର ସହିତ ଏହାକୁ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଅନୁରୂପ ମତାମତ ମଧ୍ୟ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଅନୁରୋଧ କରିଛି। ରାୟ ପ୍ରକାଶ ପରେ କୌଣସି ରାଜ୍ୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାରମାନଙ୍କୁ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତକାଲିଠାରୁ ଆଡ଼ଭାଇଜରୀ ଜାରି କରିସାରିଛି। ଶୁକ୍ରବାର ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ସମସ୍ତ ନେତା, ମନ୍ତ୍ରୀ, ସମର୍ଥକଙ୍କୁ ନିବେଦନ କରି ଅଯୋଧ୍ୟା ରାୟ ଉପରେ କୌଣସି ବିବାଦୀୟ ବିବୃତ୍ତି ନଦେବାକୁ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଏହି ମାମଲାର ୪୦ ଦିନ ଧରି ଦୈନିକ ଶୁଣାଣି କରି ଗତ ୧୬ ତାରିଖ ଦିନ ରାୟ ସଂରକ୍ଷିତ ରଖିଥିଲେ। ନଭେମ୍ବର ୧୭ରେ ଜଷ୍ଟିସ୍‌ ଗୋଗଇଙ୍କ ଅବସର ଥିବାରୁ ଏହା ପୂର୍ବରୁ ରାୟ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଥିଲା। ପୂର୍ବର ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ଜମି ବିବାଦ ଉପରେ ରାୟ ଦେଇ ଏହାକୁ ତିନି ଭାଗରେ ତିନିଟି ପକ୍ଷକୁ ବାଣ୍ଟିବାକୁ ନିର୍ଦେଶ ଦେଇଥିଲେ। ଏବେ ସୁପ୍ରିମକୋର୍ଟରେ ଏହାର ଅନ୍ତିମ ଫଇସଲା ଉପରେ ଦେଶବ୍ୟାପୀ ନଜର ରହିଛି।

Comments are closed.