ବିଚାରର ନବୋଦୟ

ଅଯୋଧ୍ୟା ରାୟ ଯୁଗାନ୍ତକାରୀ

ଭାରତର ଜାତୀୟ ଜୀବନରେ ଅଯୋଧ୍ୟା ପ୍ରସଙ୍ଗ ଏକ ସଂକ୍ରମିତ କ୍ଷତ ଥିଲା। ସ୍ବାଧୀନ ଭାରତ ମୋଗଲ ଶାସନକାଳର ଏଇ କ୍ଷତକୁ ଉତ୍ତରାଧିକାର ସୂତ୍ରରେ ପାଇଥିଲା। ଆସ୍ଥା ଓ ବିଶ୍ବାସ ସହ ଜଡ଼ିତ ଏହି ପ୍ରସଙ୍ଗଟି ରାଜନୈତିକ ରୂପନେଇ ସମୟକ୍ରମେ ଦେଶରେ ଏକ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିବା ସହ ଧାର୍ମିକ ବିଭେଦ, ହିଂସା ଓ ଅଶାନ୍ତିର ଦାବାନଳ ସୃଷ୍ଟି କରିଥିଲା। ଶେଷରେ ଘଟଣାର ଏକ ନ୍ୟାୟିକ ସମାଧାନ ଘଟିଛି। ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ସମ୍ବିଧାନ ପୀଠଙ୍କ ଐତିହାସିକ ରାୟ ଫଳରେ ବିବାଦର ସମାଧାନ ଘଟିଛି। ରାମଙ୍କ ଜନ୍ମସ୍ଥଳୀ ଭାବେ ବିବେଚିତ ହେଉଥିବା ଅଯୋଧ୍ୟାର ସେଇ ବିବାଦୀୟ ସ୍ଥାନରେ ଏବେ ରାମମନ୍ଦିର ନିର୍ମାଣ ହେବ ଏବଂ ମୁସଲମାନ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟ ଏକ ପ୍ରମୁଖ ସ୍ଥାନରେ ଭବ୍ୟ ମସଜିଦ୍‌ ନିର୍ମାଣ ପାଇଁ ପାଞ୍ଚ ଏକର ଜମି ସରକାର ଯୋଗାଇ ଦେବେ। ଏହି ପ୍ରସଙ୍ଗ ସହିତ ଦୁଇ ସଂପ୍ରଦାୟର ଆସ୍ଥା ଓ ବିଶ୍ବାସ ଜଡ଼ିତ ଥିଲା। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କିନ୍ତୁ କହିଛନ୍ତି ଯେ ଆସ୍ଥା ଅପେକ୍ଷା ଐତିହାସିକ ତଥ୍ୟକୁ ଗୁରୁତ୍ବ ଦେଇ ବିବାଦର ସମାଧାନ କରାଯାଇଛି। ଦୀର୍ଘ ସତୁରି ବର୍ଷ ପରେ ଏକ ଜଟିଳ ବିବାଦର ସମାଧାନ ସୁପ୍ରିମକୋର୍ଟ କରିପାରିଥିବାରୁ ଧନ୍ୟବାଦାର୍ହ; କାରଣ ଉଭୟ ପକ୍ଷ ଏହି ରାୟକୁ ମାନି ନେଇଛନ୍ତି। ମୁସଲମାନ ପକ୍ଷ ସାମାନ୍ୟ ମନ ଊଣା କରିଥିଲେ ମଧ୍ୟ ରାୟରେ କୌଣସି ପକ୍ଷ ହାରି ଯାଇନାହାନ୍ତି ବୋଲି କହିବାର ଅର୍ଥ ସେମାନେ ଅଦାଲତଙ୍କ ଫଇସଲାକୁ ଗ୍ରହଣ କରିନେଇଛନ୍ତି।
ଏହି ମାମଲାରେ ସର୍ବୋଚ୍ଚ ଅଦାଲତ, ପ୍ରଧାନ ବିଚାରପତି ଏବଂ ତାଙ୍କ ନେତୃତ୍ବରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ହିଁ ପ୍ରକୃତ ନାୟକ ପ୍ରମାଣିତ ହୋଇଛନ୍ତି। ନ୍ୟାୟପାଳିକାର ପ୍ରବଳ ଇଚ୍ଛାଶକ୍ତି, ପରିଶ୍ରମ, ନିଷ୍ଠା ଓ ଆଗ୍ରହ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏକାଦିକ୍ରମେ ୪୦ ଦିନ ଧରି ମାମଲାର ଶୁଣାଣି କରି ଅଦାଲତ ଇତିହାସ ସୃଷ୍ଟି କରିବାସହ ଭାରତୀୟ ସମ୍ବିଧାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ରାଷ୍ଟ୍ରୀୟ ମର୍ଯ୍ୟାଦାର ଟେକ ରଖିଛନ୍ତି। ବିବିଧତା ମଧ୍ୟରେ ଏକତା, ବିଭିନ୍ନ ଧର୍ମ ଓ ସଂପ୍ରଦାୟ ମଧ୍ୟରେ ସଦ୍‌ଭାବନା ଓ ସଂପ୍ରୀତି ପ୍ରତିଷ୍ଠା ତଥା ଭାରତୀୟ ଧର୍ମନିରପେକ୍ଷ ବ୍ୟବସ୍ଥାକୁ ଏଇ ରାୟ ନୂଆ ପରିଚୟ ଦେଇଛି। ସବୁ ଧର୍ମ ପ୍ରତି ସମ ବିଚାରର ରାଷ୍ଟ୍ରୀୟଧାରା ଏହାଦ୍ବାରା ଦୃଢ଼ୀଭୂତ ହୋଇଛି।
ଅଯୋଧ୍ୟା ବିବାଦ ଭାରତ ପାଇଁ କେବଳ ଏକ ଯନ୍ତ୍ରଣାଦାୟୀ କ୍ଷତ ନଥିଲା, ଏହା ମଧ୍ୟ ଆମ ସାଂପ୍ରଦାୟିକ ସଦ୍‌ଭାବ ଓ ସମାବେଶୀ ବିକାଶ କ୍ଷେତ୍ରରେ ଏକ କଳା ଅଧ୍ୟାୟ ହୋଇ ରହିଥିଲା। ଏହା ଧାର୍ମିକ ଉତ୍ତେଜନା ଓ ଧର୍ମଭିତ୍ତିକ ରାଜନୀତିକୁ ଇନ୍ଧନ ଯୋଗାଉଥିଲା। ସମଗ୍ର ଦେଶ ଅଯୋଧ୍ୟା ବିବାଦକୁ ନେଇ କ୍ଲାନ୍ତ, ଅବସନ୍ନ ଓ ନିରାଶ ଥିଲେ। ଦୁଇପକ୍ଷ ସମେତ ସମଗ୍ର ଦେଶବାସୀ ଏହି ବିବାଦରୁ ଅବିଳମ୍ବେ ମୁକ୍ତି ଚାହୁଁଥିଲେ। ଶେଷରେ ସର୍ବୋଚ୍ଚ ଅଦାଲତଙ୍କ ଅତ୍ୟାଗ୍ରହ ଓ ଉତ୍ତମ ପକ୍ଷଙ୍କ ସହଯୋଗରେ ବିବାଦର ଆନନ୍ଦଦାୟକ ଅନ୍ତ ଘଟିଛି। ସରକାର ମଧ୍ୟ ଏଇ ପ୍ରସଙ୍ଗରେ ଆବଶ୍ୟକ ଗଠନମୂଳକ ଭୂମିକା ଗ୍ରହଣ କରିଛନ୍ତି। ସବୁ ରାଜନୈତିକ ଦଳ, ସଂଗଠନ, ଗଣମାଧ୍ୟମ, ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଭାରତବାସୀ ଏହି ରାୟକୁ ସ୍ବାଗତ କରି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଶକ୍ତି, ନ୍ୟାୟପାଳିକାର ଗରିମା ଏବଂ ଭାରତର ବିବିଧତାପୂର୍ଣ୍ଣ ଐକ୍ୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏକ ପ୍ରମୁଖ ଜାତୀୟ ପ୍ରସଙ୍ଗରେ ଏଭଳି ରାଷ୍ଟ୍ରୀୟ ଐକ୍ୟ ଓ ସଂହତି ପ୍ରକାଶ ପାଇବା ବିରଳ ଘଟଣା। ଏହା ଭାରତର ମହାନ ସଂସ୍କୃତି ଓ ସଭ୍ୟତାର ବିଶେଷତ୍ବକୁ ଆଉଥରେ ସାରା ବିଶ୍ବ ଆଗରେ ଉପସ୍ଥାପିତ କରି ପ୍ରଶଂସାଭାଜନ ହୋଇଛି।
ଦେଶର ସ୍ବାର୍ଥ, ମତପନ୍ଥ, ଆସ୍ଥା ଓ ବିଶ୍ବାସ ଆଦି ସବୁ ବିଚାରର ଊର୍ଦ୍ଧ୍ବରେ। ଗଣତାନ୍ତ୍ରିକ ଭାରତ ଏବେ ବିଶ୍ବର ଏକ ଆଧୁନିକ ଅନ୍ୟତମ ମହାଶକ୍ତି। ଦେଶର ନାଗରିକଙ୍କୁ ମଣିଷଭାବେ ଗଢ଼ିତୋଳି ବିଶ୍ବ ଦରବାରରେ ଭାରତକୁ ପ୍ରତିଷ୍ଠିତ ଏବଂ ଅପରା‌େ‌ଜୟ କରିବାର ଯେଉଁ ସଂକଳ୍ପ ସରକାର ଆରମ୍ଭ କରିଛନ୍ତି ତାହା ନୂଆ ଭାରତ ଗଠନର ସାରାଂଶ। ଏକ ନୂଆଭାରତରେ ଧର୍ମ, ଜାତି, ସଂପ୍ରଦାୟ, ଅଞ୍ଚଳ, ଭାଷା ଓ ଅନ୍ୟାନ୍ୟ କଥାକୁ ନେଇ ବିବାଦ ଏବଂ ହିଂସାର ସ୍ଥାନ ନାହିଁ। ପୁରୁଣା ବିବାଦକୁ ଗଣ୍ଠି ପକାଇ ଧରି କଳିତକରାଳ କହିବା ଓ ନିଜନିଜ ମଧ୍ୟରେ ଲଢ଼ିବା ସଭ୍ୟ ସମାଜର ଲକ୍ଷଣ ନୁହେଁ। ଅତୀତର ତ୍ରୁଟିବିଚ୍ୟୁତି ଓ କ୍ଷତକୁ ନ ଭୁଲିଲେ ଆମେ ଆଗକୁ ଯାଇପାରିବା ନାହିଁ। ଏକତା ଆମର ଶକ୍ତି, ସଦ୍‌ଭାବନା ଆମର ଅଭ୍ୟାସ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଆମର ଜୀବନ। ଏହାକୁ ପାଥେୟ କରି ଆମେ ଭାରତବାସୀ ଆଗକୁ ଚାଲିଲେ ଦେଶ ଅବଶ୍ୟ ଅଗ୍ରଗତି କରିବ। ଅଯୋଧ୍ୟା ବିବାଦ ଏବେ ଇତିହାସ। ଏଭଳି ପୁରୁଣା ଘଟଣାକୁ ଅନ୍ୟତ୍ର କେଉଁଠି ଆଉ ଉଖୁରା ନ’ଯାଉ। ତିକ୍ତ ଅଧ୍ୟାୟର ଅବସାନ ଘଟାଇ ଶାନ୍ତି, ସମୃଦ୍ଧି, ସଦ୍‌ଭାବନା ଓ ସହଯୋଗର ଏକ ନୂଆ ଅଧ୍ୟାୟ ଆରମ୍ଭରେ ସବୁ ଦେଶବାସୀଙ୍କ ସହଯୋଗ ଗୁରୁତ୍ବ ରଖେ। ସବୁ ଧର୍ମ,ମତ ପନ୍ଥ ଓ ବିଶ୍ବାସର ଜୟ ହେଉ। ଭାରତର ନବୋଦୟ ଘଟୁ।