ପୁଣି ଅଯୋଧ୍ୟା : ୩୦୦୦ ଶିବସେନା କର୍ମୀଙ୍କ ସହ ଅଯୋଧ୍ୟାରେ ଉଦ୍ଧବ

0
-ଭୟଭୀତ ନୋହୁଁ; ଅଯୋଧ୍ୟା ଛାଡ଼ିବୁ ନାହିଁ: ମୁସଲମାନ ନେତା, -ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ପୁଲିସ, ଅର୍ଦ୍ଧସାମରିକବାହିନୀ ମୁତୟନ

ଅଯୋଧ୍ୟା  : ରାମମନ୍ଦିର ନିର୍ମାଣକୁ ନେଇ ରାଜନୈତିକ ଦଳଗୁଡିକର ଦାବି କ୍ରମଶଃ ଉଗ୍ର ହେବାରେ ଲାଗିଛି। ଅଯୋଧ୍ୟା ବିଶ୍ୱ ହିନ୍ଦୁ ପରିଷଦ ତଥା ଶିବସେନା ନେତାମାନଙ୍କ ସମାଗମସ୍ଥଳ ପାଲଟିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶନିବାର ଦୁଇଦିନିଆ ଅଯୋଧ୍ୟା ଗସ୍ତରେ ପହଞ୍ଚିଛନ୍ତି। ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ୩୦୦୦ ଶିବସେନା ସମର୍ଥକ ମହାରାଷ୍ଟ୍ରରୁ ଆସି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‍ପି) ପକ୍ଷରୁ ରବିବାର ଏଠାରେ ଏକ ଧର୍ମ ସଭା ଆହ୍ୱାନ କରାଯାଇଛି। ଏଥିରେ ୨ ଲକ୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍‍ଏସ୍‍ଏସ୍‍) କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ ଜନସମାବେଶ ଦ୍ୱାରା କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ଏଠାରେ ୧୪୪ ଧାରା ଜାରି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି। ଅନ୍ୟପଟେ ଏତେ ସଂଖ୍ୟାରେ ହିନ୍ଦୁ ସମର୍ଥକଙ୍କ ସମାଗମରେ ଏଠାକାର ମୁସଲମାନମାନେ ଭୟଭୀତ ନୁହନ୍ତି ଏବଂ ସେମାନେ ଅଯୋଧ୍ୟା ଛାଡି ଯିବେ ନାହିଁ ବୋଲି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି।
ପୂର୍ବ ଘୋଷଣା ଅନୁସାରେ ପତ୍ନୀ ତଥା ଦଳର ମହିଳାବାହିନୀ ମୁଖ୍ୟ ରଶ୍ମି ଓ ପୁତ୍ର ତଥା ଯୁବବାହିନୀ ମୁଖ୍ୟ ଆଦିତ୍ୟଙ୍କ ସହିତ ଉଦ୍ଧବ ଏଠାରେ ପହଞ୍ଚିବା ପରେ ଲକ୍ଷ୍ମଣ କିଲାଠାରେ ପୂଜାର୍ଚ୍ଚନା କରିଛନ୍ତି। ଅଯୋଧ୍ୟାର ସରଯୂ ନଦୀଠାରେ ସେ ସନ୍ଧ୍ୟା ୫ଟା୧୫ରେ ଆରତି କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଠିକ୍‍ ଏହି ସମୟରେ ମହାରାଷ୍ଟ୍ରରେ ସମସ୍ତ ସେନା ଶାଖା ଏବଂ ଦଳର ୟୁନିଟଗୁଡିକ ପକ୍ଷରୁ ଆରତି କରାଯାଇଛି। ଉଦ୍ଧବ ନିଜ ସହିତ ପୁଣେସ୍ଥିତ ଶିବନେରୀ ଦୁର୍ଗର କିଛି ମୂର୍ତ୍ତିକା ଆଣି ଆସିଛନ୍ତି ଯାହାକୁ ସେ ରାମ ଜନ୍ମଭୂମିଠାରେ ପୁରୋହିତମାନଙ୍କ ପ୍ରଦାନ କରିବେ। ବିଜେପି ରାମମନ୍ଦିର ନିର୍ମାଣକୁ ନେଇ ନାନା ବୟାନବାଜି କରିବା ଅପେକ୍ଷା ନିର୍ମାଣ ତାରିଖ ଘୋଷଣା କରୁ ବୋଲି ଉଦ୍ଧବ କହିଛନ୍ତି। ରବିବାର ସେ ରାମ ମନ୍ଦିର ଦର୍ଶନ କରିବେ ଏବଂ ପରେ ଏକ ଶୋଭାଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି; କିନ୍ତୁ ତାଙ୍କୁ ଶୋଭାଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ନିକଟରୁ
କୌଣସି ଅନୁମତି ପ୍ରଦାନ କରାଯାଇ ନ ଥିବା ଅଯୋଧ୍ୟା ମେୟର ଋଷିକେଶ ଉପାଧ୍ୟାୟ ପ୍ରକାଶ କରିଛନ୍ତି। ରାମମନ୍ଦିର ନିର୍ମାଣ ନେଇ ବିଜେପିକୁ ଏହାର ନିର୍ବାଚନୀ ପ୍ରତିଶ୍ରୁତି ସ୍ମରଣ କରାଇବା ତାଙ୍କର ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଉଦ୍ଧବ ପୂର୍ବରୁ କହିଥିଲେ। ବାବ୍ରି ମସ୍‍ଜିଦ ମାତ୍ର ୧୫ ମିନିଟରେ ଭଙ୍ଗ କରାଯାଇଥିଲା, ରାମମନ୍ଦିର ନିର୍ମାଣ ଲାଗି ଅଧ୍ୟାଦେଶ ଆଣିବାକୁ କାହିଁକି ସମୟ ଲାଗୁଛି ବୋଲି ସେ ବିଜେପିକୁ ପ୍ରଶ୍ନ କରିଥିଲେ। ଏଥିସହ ‘ସମସ୍ତଙ୍କ ଗୋଟିଏ ସ୍ୱର, ପ୍ରଥମେ ମନ୍ଦିର ପରେ ସରକାର’ ବୋଲି ସେ ଏକ ନୂତନ ସ୍ଲୋଗାନ ଦେଇଥିଲେ।
ଅନ୍ୟପଟେ ଭିଏଚ୍‍ପିର ଧର୍ମସଭା ୧୯୯୨ରେ ବାବ୍ରି ମସ୍‍ଜିଦ ଭଙ୍ଗ ପରଠାରୁ ଅନୁଷ୍ଠିତ ହେଉଥିବା ସବୁଠାରୁ ବଡ଼ ସଭା ହେବ ବୋଲି କୁହାଯାଉଛି। ଏହି ସଭାରେ ଆର୍‍ଏସ୍‍ଏସ୍‍ର ୨ ଲକ୍ଷ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଭାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ ବୋଲି କୁହାଯାଉଛି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ହଠାତ୍‍ ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେପି, ଭିଏଚ୍‍ପି ଓ ଶିବସେନା ତତ୍ପର ହୋଇ ଉଠିବା ପରିପ୍ରେକ୍ଷୀରେ ବାବ୍ରି ମସ୍‍ଜିଦର ଇକବାଲ ଅନସାରୀ କହିଛନ୍ତି, ସହରର ମୁସଲମାନମାନେ ଶାନ୍ତି ଚାହାନ୍ତି। ଆଯୋଧ୍ୟାରେ ଲୋକେ ଗୋଟିଏ ପଟକୁ ଢଳିଲେ ପରିସ୍ଥିତି କ’ଣ ହେବ ତାହା ସମସ୍ତେ ବୁଝିବା ଉଚିତ। ସେହିଭଳି ଅଯୋଧ୍ୟାରେ କେବଳ ହିନ୍ଦୁ ସମର୍ଥକମାନେ ଏକତ୍ର ହୋଇଥିବା କାରଣରୁ ମୁସଲମାନମାନେ ସହର ଛାଡିବେ ନାହିଁ ବୋଲି ଏହି ସମ୍ପ୍ରଦାୟର ଅନ୍ୟ ଜଣେ ପ୍ରମୁଖ ବ୍ୟକ୍ତି କହିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି କେବଳ ଭୋଟ ପାଇଁ ନାଟ କରୁଛି। ଅଯୋଧ୍ୟା ଏକ ବିବାଦୀୟ ଅଞ୍ଚଳ ହୋଇଥିବାରୁ ଏଭଳି ବିଶାଳ ଜନସମାବେଶ ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଅପରପକ୍ଷରେ ସୁରକ୍ଷା ଓ ଶାନ୍ତିରକ୍ଷା ପାଇଁ ୩୫ ଜଣ ବରିଷ୍ଠ ପୁଲିସ ଅଧିକାରୀ, ୧୬୦ ଇନ୍ସପେକ୍ଟର ଏବଂ ୭୦୦ କନ୍‍ଷ୍ଟେବଳ ଅଯୋଧ୍ୟାରେ ମୁତୟନ ହୋଇଥିବା ରାଜ୍ୟ ପୁଲିସ ମୁଖପାତ୍ର ସୂଚନା ଦେଇଛନ୍ତି। ଏତଦ୍‍ଭିନ୍ନ ୪୨ କମ୍ପାନୀ ପ୍ରାଦେଶିକ କନ୍‍ଷ୍ଟାବୁଲାରୀ, ୫କମ୍ପାନୀ ରାପିଡ ଆକ୍ସନବାହିନୀ ଏବଂ ଏକାଧିକ ଆତଙ୍କବାଦ ନିରୋଧୀ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଏଥିସହ ଡ୍ରୋନ ଦ୍ୱାରା ବିଭିନ୍ନ ସ୍ଥାନ ଉପରେ ଦୃଷ୍ଟିରଖାଯାଇଛି। ଆବଶ୍ୟକ ହେଲେ ସେନା ପଠାଇବାକୁ ସୁପ୍ରିମକୋର୍ଟଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିବେଦନ କରିଛନ୍ତି। ଉତ୍ତରପ୍ରଦେଶ ମନ୍ତ୍ରୀ ଓ.ପି ରାଜବର ଏହାକୁ ସମର୍ଥନ କରିଛନ୍ତି। ଅପରପକ୍ଷରେ ବହୁଜନସମାଜ ପାର୍ଟି ମୁଖ୍ୟ ମାୟାବତୀ ଏହି ସମାବେଶକୁ ସମାଲୋଚନା କରିଛନ୍ତି। ଶାସକ ଦଳର ବିଫଳତାକୁ ଘୋଡ଼ାଇବା ଉଦ୍ଦେଶ୍ୟରେ ଏହି ନାଟକବାଜି ଚାଲିଛି ବୋଲି ସେ ଆକ୍ଷେପ କରିଛନ୍ତି। ଉଲ୍ଲେଖ ଯେ ନିର୍ବାଚନ ପୂର୍ବରୁ ରାମମନ୍ଦିର ନିର୍ମାଣ ଲାଗି ଅଧ୍ୟାଦେଶ ଆଣିବାକୁ ବିଜେପି ଉପରେ ଏହାର ନେତୃବୃନ୍ଦ ଓ ମଠାଧୀଶମାନେ ଚାପ ପକାଉଛନ୍ତି। ସୁପ୍ରିମକୋର୍ଟ ଜାନୁଆରୀରେ ରାମମନ୍ଦିର- ବାବ୍ରି ମସ୍‍ଜିଦ ବିବାଦ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।

Leave A Reply