ଅଯୋଧ୍ୟା ମାମଲା ରାୟ ଆଜି

0

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଗୁରୁତ୍ୱପୂର୍ଣ୍ଣ ଅଯୋଧ୍ୟା ସଂକ୍ରାନ୍ତ ମାମଲାର ରାୟ ଗୁରୁବାର ପ୍ରକାଶ ପାଇବ। ଅଯୋଧ୍ୟା ପ୍ରସଙ୍ଗରେ ଥିବା ଏକାଧିକ ଆବେଦନ ଉପରେ ବିଚାର ବୃହତ୍ତର ସାମ୍ବିଧାନିକ ପୀଠରେ କରାଯିବା କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ନିଷ୍ପତ୍ତି ହେବ। ଏଥିସହିତ ଯେ କୌଣସି ସ୍ଥାନରେ ନାମଜ ପାଠ ହୋଇପାରିବ କି ନାହିଁ ସେ ସମ୍ପର୍କରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଏସ୍‍. ଅବଦୁଲ ନଜିରଙ୍କ ପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି। ୧୯୯୨ରେ ବାବ୍ରି ମସ୍‍ଜିଦ ଭଙ୍ଗାଯିବା ପରେ ୨୦୧୦ରେ ଏଲ୍ଲାହାବାଦ ହାଇକୋର୍ଟ ଅଯୋଧ୍ୟାସ୍ଥିତ ବିବାଦୀୟ ମସଜିଦ୍‍ ଜମିକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ତିନି ଭାଗରେ ବିଭକ୍ତ କରିଥିଲେ। ଏହାର ପ୍ରମୁଖ ଅଂଶ ହିନ୍ଦୁଙ୍କ ଭାଗରେ ପଡ଼ିଥିଲା। ଏହି ରାୟ ପ୍ରତିବାଦରେ ଉଭୟ ଗୋଷ୍ଠୀ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏବେ ଏହି ଜମି କାହାର ତାହା ଚୂଡ଼ାନ୍ତ ହେବ। ଏହାଛଡ଼ା ୧୯୯୪ରେ ସର୍ବୋଚ୍ଚ ନ୍ୟାୟାଳୟ କେବଳ ମସଜିଦ୍‍ରେ ନୁହେଁ; ଯେ କୌଣସି ସ୍ଥାନରେ ନମାଜ ପାଠ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ଏଥିସହିତ ମସ୍‍ଜିଦ ପାଇଁ ଉଦ୍ଦିଷ୍ଟ ଜମିକୁ ସରକାର ଚାହିଁଲେ ଦଖଲକୁ ନେଇପାରିବେ ବୋଲି କହିଥିଲେ। ଏହି ରାୟ ପ୍ରତିବାଦରେ ମଧ୍ୟ ମାମଲା ଦାୟର ହୋଇଥିଲା। ପ୍ରକାଶ ପାଇବାକୁ ଥିବା ଉକ୍ତ ରାୟ ୨୦୧୯ ସାଧାରଣ ନିର୍ବାଚନକୁ ବହୁ ଭାବେ ପ୍ରଭାବିତ କରିବ ବୋଲି କୁହାଯାଉଛି।

Leave A Reply