ପୁଣି ଅୱେସୀଙ୍କ ବିବାଦୀୟ ମନ୍ତବ୍ୟ କହିଲେ ‘ମତେ ମୋର ମସଜିଦ ଦରକାର’

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟରେ ସମଗ୍ର ଦେଶବାସୀଙ୍କ ମନରେ ନୂତନ ଉତ୍ସାହ ଭରିଦେଇଛି। ସମସ୍ତେ ଉଚ୍ଚ ନ୍ୟାୟଳୟର ରାୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ରାୟରେ ଅସନ୍ତୁଷ୍ଟ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମର ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ। ଶୁକ୍ରବାର ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରର ଖବର ସେ ଟ୍ବିଟ୍ କରି ଲେଖିଛନ୍ତି ‘ମତେ ମୋର ମସଜିଦ ଦରକାର’। ଭାରତର ସୁପ୍ରିମକୋର୍ଟ ପ୍ରାୟ ୫୦୦ ବର୍ଷ ପୁରୁଣା ଏହି ବିବାଦୀୟ ଘଟଣାର ସମାଧାନ କରିବା ପରେ ମଧ୍ୟ ଏହାକୁ ନେଇ ଅସନ୍ତାଷ ବ୍ୟକ୍ତ କରିଛନ୍ତି ଅୱେସୀ। ସୁପ୍ରିମକୋର୍ଟ ତାଙ୍କ ରାୟରେ ବିବାଦୀୟ ଜମିକୁ ରାମଲାଲାଙ୍କ ମନ୍ଦିର ତିଆରି କରିବାକୁ ଅନୁମତି ଦେଇଥିବା ବେଳେ ମୁସଲମାନ ମାନଙ୍କୁ ମସଜିଦ ପାଇଁ ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ପ୍ରାୟ ସମସ୍ତ ପକ୍ଷ ମାନିନେଇଛନ୍ତି । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟର ପରେ ପରେ ଅୱେସୀ ଏକ ପ୍ରେସ୍ କନଫରେନ୍ସ ଡକାଇ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ କରି କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଭୁଲ୍ ହୋଇପାରେ? ଏହା ସହ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିବା ୫ ଏକର ଜମି ଆମକୁ ଦରକାର ନାହିଁ । ମୁସଲମାନ ମାନେ ଗରିବ ହୋଇପାରନ୍ତି କିନ୍ତୁ ଆମେ ଟଙ୍କା ଆଦାୟ କରି ମସଜିଦ ନିର୍ମାଣ କରିପାରିବୁ ବୋଲି ମଧ୍ୟ କହିଥିଲେ । ଯେଉଁମାନେ ମସଜିଦ ଭାଙ୍ଗିଥିଲେ ସେମାନେ ହିଁ ମନ୍ଦିର ନିର୍ମାଣ ଟ୍ରଷ୍ଟରେ ରହିଥିବା ଅୱେସୀ ଅଭିଯୋଗ କରିଛନ୍ତି।

Comments are closed.