ହାଲେପ ପରାସ୍ତ ; କ୍ବାର୍ଟରରେ ଜୋକୋଭିକ୍‌ ଓ ସେରେନା

0

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିନରେ ମହିଳା ସିଙ୍ଗଲ୍‌ସରେ ସବୁଠାରୁ ବଡ ବିପର୍ଯ୍ୟୟ ଘଟିଛି। ମହିଳା ସିଙ୍ଗଲ୍‌ସରେ ବିଶ୍ବର ୧ ନମ୍ବର ଖେଳାଳି ରୋମାନିଆର ସିମୋନା ହାଲେପ୍‌ ଓ ୪ ନମ୍ବର ପୁରୁଷ ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡାର ଜେରେଭ୍‌ଙ୍କୁ ପ୍ରିକ୍ବାର୍ଟର ପର୍ଯ୍ୟାୟରୁ ବିଦାୟ ନେବାକୁ ପଡିଛି। ଆମେରିକାର ସେରେନା ୱିଲିୟମ୍‌ସ ପ୍ରିକ୍ବାର୍ଟରରେ ହାଲେପ୍‌ଙ୍କୁ ପରାସ୍ତ କରିଥିବାବେଳେ ଜାପାନର ନାଓମି ଓସାକା, ଚେକ୍‌ ରିପବ୍ଲିକ୍‌ର କ୍ୟାରୋଲିନା ପ୍ଲିସ୍କୋଭା, ୟୁକ୍ରେନର ଏଲିନା ଶ୍ବିତୋଲିନା, ନୋଭାକ୍‌ ଜୋକୋଭିକ୍‌, କେଇ ନିଶିକୋରି, ମିଲୋସ ରାଓନିକ୍‌ ଓ ଲୁକାସ ପୌଲି ପ୍ରମୁଖ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ସୋମବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସ ପ୍ରିକ୍ବାର୍ଟର ମୁକାବିଲାରେ ୧୬ଶ ସିଡ୍‌ ସେରେନା ୬-୧, ୪-୬, ୬-୪ ସେଟ୍‌ରେ ହାଲେପ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୪୭ ମିନିଟ ଧରି ଚାଲିଥିଲା। ପ୍ରଥମ ଗେମରେ ହାଲେପ୍‌ ଥରେ ମାତ୍ର ସେରେନାଙ୍କ ସଭିସ ବ୍ରେକ କରିଥିଲେ ସୁଦ୍ଧା ସେରେନା ଏହାକୁ ୬-୧ରେ ଜିତିଥିଲେ। ତେବେ ହାଲେପ୍‌ ଲଢୁଆ ପ୍ରଦର୍ଶନ ବଳରେ ଦ୍ବିତୀୟ ଗେମ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍‌ର ୭ମ ଗେମରେ ହାଲେପ୍‌ଙ୍କ ସର୍ଭିସ ବ୍ରେକ କରି ସେରେନା ଏହାକୁ ୬-୪ରେ ଜିତି କ୍ବାର୍ଟରରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲରେ ସେରେନା ଚେକ୍‌ ରିପବ୍ଲିକ୍‌ର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ଭେଟିବେ। ୭ମ ସିଡ୍‌ ପ୍ଲିସ୍କୋଭା ପ୍ରିକ୍ବାର୍ଟରରେ ୧୮ଶ ସିଡ୍‌ ସ୍ପେନର ଗାର୍ବାଇନ ମୁଗୁରୁଜାଙ୍କୁ ସିଧାସଳଖ ୬-୩, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।
ସୋମବାର ମହିଳା ସିଙ୍ଗଲ୍‌ସର ଅନ୍ୟ ଏକ ପ୍ରିକ୍ବାର୍ଟର ମ୍ୟାଚରେ ୪ର୍ଥ ସିଡ୍‌ ଜାପାନର ନାଓମି ଓସାକା ୪-୬, ୬-୩, ୬-୪ ସେଟ୍‌ରେ ୧୩ଶ ସିଡ୍‌ ମାନ୍ୟତାପ୍ରାପ୍ତ ଲାଟ୍‌ଭିଆର ଆନାସ୍ତାସିଆ ସେଭାସ୍ତୋଭାଙ୍କୁ ପରାସ୍ତ କରିଛନ୍ତି। ଓସାକା ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ଦୁଇଟି ସେଟ୍‌ରେ ଚମତ୍କାର ପ୍ରଦର୍ଶନ କରି ଏହାକୁ ୬-୩, ୬-୪ରେ ଜିତି କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କରିପାରିଛନ୍ତି। କ୍ବାର୍ଟର ଫାଇନାଲରେ ଓସାକା ୬ଷ୍ଠ ସିଡ୍‌ ୟୁକ୍ରେନର ଏଲିନା ଶ୍ବିତୋଲିନାଙ୍କୁ ଭେଟିବେ। ପ୍ରିକ୍ବାର୍ଟରରେ ଶ୍ବିତୋଲିନା ୬-୨, ୧-୬, ୬-୧ ସେଟ୍‌ରେ ୧୭ଶ ସିଡ୍‌ ଆମେରିକାର ମାଡିସନ କେୟିସଙ୍କୁ ପରାସ୍ତ କରିଛନ୍ତି। ଶ୍ବିତୋଲିନା କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆନ ଓପନରେ କ୍ବାର୍ଟର ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି। ଉଭୟ ଖେଳାଳି ଗୋଟିଏ ଲେଖାଏଁ ସେଟ୍‌ ଜିତିବାପରେ ନିର୍ଣ୍ଣାୟକ ତୃତୀୟ ସେଟ୍‌ରେ ଶ୍ବିତୋଲିନା ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ।

ସୋମବାର ପୁରୁଷ ସିଙ୍ଗଲ୍‌ସର ଏକ ପ୍ରିକ୍ବାର୍ଟର ମ୍ୟାଚରେ ଟପ୍‌ ସିଡ୍‌ ମାନ୍ୟତାପ୍ରାପ୍ତ ନୋଭାକ୍‌ ଜୋକୋଭିକ୍‌ ୬-୪, ୬-୭, ୬-୨, ୬-୩ ସେଟ୍‌ରେ ୧୫ଶ ସିଡ୍‌ ରୁଷର ଡାନିଲ ମେଦଭେଦେଭ୍‌ଙ୍କୁ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲରେ ସେ ୮ମ ସିଡ୍‌ ଜାପାନର କେଇ ନିଶିକୋରିଙ୍କୁ ଭେଟିବେ। ପ୍ରିକ୍ବାର୍ଟରରେ ନିଶିକୋରି ସଂଘର୍ଷପୂର୍ଣ୍ଣ ପାଞ୍ଚଟିକିଆ ସେଟ୍‌ରେ (୬-୭, ୪-୬, ୭-୬, ୬-୪, ୭-୬) ୨୩ଶ ସିଡ୍‌ ସ୍ପେନର ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ପରାସ୍ତ କରିଛନ୍ତି।
ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ପ୍ରିକ୍ବାର୍ଟର ମୁକାବିଲାରେ ବିଶ୍ବର ୪ ନମ୍ବର ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡାର ଜେରେଭ୍‌ଙ୍କୁ ପରାସ୍ତ କରି ୧୬ଶ ସିଡ୍‌ କାନାଡାର ମିଲୋସ ରାଓନିକ୍‌ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ରାଓନିକ୍‌ ସିଧାସଳଖ ୬-୧, ୬-୧, ୭-୬ ସେଟ୍‌ରେ ଜେରେଭ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ଦୁଇଟି ସେଟ୍‌ରେ ରାଓନିକ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ସେଟ୍‌ରେ ଉଭୟ ଖେଳାଳି ୬ଟି ଲେଖାଏଁ ଗେମ ଜିତିବା ଫଳରେ ଏହା ଟାଇବ୍ରେକର ସ୍ଥିତିକୁ ଯାଇଥିଲା। ରାଓନିକ ଏଥିରେ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲରେ ସେ ୨୮ଶ ସିଡ୍‌ ଫ୍ରାନ୍ସର ଲୁକାସ ପୌଲିଙ୍କୁ ଭେଟିବେ। ଅନ୍ୟ ଏକ ପ୍ରିକ୍ବାର୍ଟରରେ ପୌଲି ୬-୭, ୬-୪, ୭-୫, ୭-୬ ସେଟ୍‌ରେ ୧୧ଶ ସିଡ୍‌ କ୍ରୋଏସିଆର ବୋର୍ନା କୋରିକ୍‌ଙ୍କୁ ପରାସ୍ତ କରିଛନ୍ତି।

Leave A Reply