ଇଂଲଣ୍ଡ ପରାସ୍ତ ; ଆସେସ୍ ଟ୍ରଫି ବଜାୟ ରଖିଲା ଅଷ୍ଟ୍ରେଲିଆ

0

ମାଞ୍ଚେଷ୍ଟର  : ଇଂଲଣ୍ଡକୁ ୧୮୫ ରନ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଆସେସ୍ ଟ୍ରଫି ବଜାୟ ରଖିପାରିଛି । ୨୦୦୧ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ମାଟିରେ ଆସେସ୍ ଟ୍ରଫି ବଜାୟ ରଖିବାରେ ଅଷ୍ଟ୍ରେଲିଆ ସମର୍ଥ ହୋଇଛି। ରବିବାର ସମାପ୍ତ ହୋଇଥିବା ୪ର୍ଥ ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚ୍‌କୁ ୫ମ ଦିନର ଶେଷ ଘଣ୍ଟା ପର୍ଯ୍ୟନ୍ତ ନେଇ ଯାଇଥିଲେ ହେଁ ପରାଜୟରୁ ବର୍ତ୍ତି ପାରିନାହିଁ। ଏହି ଟେଷ୍ଟମ୍ୟାଚ୍‌ରେ ଘରୋଇ ଇଂଲଣ୍ଡକୁ ୧୮୫ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ୨ୟ ଇନିଂସରେ ୩୮୩ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଅନ୍ତିମ ଦିନର ଶେଷ ଘଣ୍ଟାରେ ୨ୟ ଇନିଂସରେ ୧୯୭ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ୫ମ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି। ଗତଥର ଏହା ଆସେସ୍ ଜିତିଥିବାରୁ ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଜିତି ସିରିଜ୍‌କୁ ୨-୨ରେ ଡ୍ର ରଖିଲେ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍ ବଜାୟ ରଖିବ।
୩୮୩ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ତା’ର ୨ୟ ଇନିଂସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ୪ର୍ଥ ଦିନରେ ପ୍ରଥମ ଓଭରରେ ପ୍ୟାଟ୍ କମିନ୍‌ସ କ୍ରମାଗତ ୨ଟି ବଲ୍‌ରେ ରୋରି ବର୍ନସ ଓ ଅଧିନାୟକ ଜୋ ରୁଟ୍‌ଙ୍କୁ ଆଉଟ କରି ଦେଇଥିଲେ। ରବିବାର ୫ମ ଦିନ ସକାଳୁ ଜୋ ଡେନ୍‌ଲି ଓ ଜେସନ୍ ରୟ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ୬୬ ରନ୍‌ର ଭାଗିଦାରୀ କରିବା ପରେ ଜେସନ୍ ରୟ ୩୧ ରନ୍‌କରି ଆଉଟ ହୋଇଥିଲେ। ପରେ ବେନ୍‌ ଷ୍ଟୋକ୍‌ସ (୧)ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ ପ୍ୟାଟ୍‌ କମିନ୍‌ସ। ଏହିପରି ୭୪ ରନ୍‌ରେ ଇଂଲଣ୍ଡ ୪ଟି ୱିକେଟ ହରାଇଥିବା ବେଳେ ୪ଟିଯାକ ୱିକେଟ ପ୍ୟାଟ୍‌ କମିନ୍‌ସ ନେଇଥିଲେ। ଅର୍ଦ୍ଧଶତକ ପୂରଣ ପରେ ଜୋ ଡେନ୍‌ଲି ୫୩ ରନ୍‌କରି ଆଉଟ ହୋଇଥିଲେ। ଜନି ବେୟାରଷ୍ଟୋ ଓ ଜୋସ୍ ବଟ୍‌ଲର ୩୪ ରନ୍ ଯୋଡ଼ିଥିଲେ। ବଟ୍‌ଲର ୪ଟି ଚୌକା ସହ ୩୪ ରନ୍‌କରି ବିଦାୟ ନେଇଥିଲେ। ବେୟାରଷ୍ଟୋ ୨୫ ରନ୍ କରିଥିଲେ। ଜୋଫ୍ରା ଆର୍ଚର ୧ ରନ୍‌କରି ନାଥାନ୍ ଲାୟନ୍‌ଙ୍କ ୨ୟ ଶିକାର ହୋଇଥିଲେ। ୧୭୩ ରନ୍‌ରେ ଇଂଲଣ୍ଡ ୮ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ତେବେ କ୍ରେଗ୍ ଓଭରଟନ ଓ ଜ୍ୟାକ୍ ଲିଚ୍ ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ୧୪ ଓଭର ଅଷ୍ଟ୍ରେଲିଆ ଆକ୍ରମଣର ପ୍ରତିରୋଧ କରିିଥିଲେ। ତେବେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ କାମଚଳା ଲେଗ୍‌ସ୍ପିନର ମାର୍ନସ ଲାବୁଶ୍ଚାନ୍ୟେଙ୍କୁ ବୋଲିଂକରି ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ। ଲିଚ୍ ୧୨ ରନ୍‌କରି ଆଉଟ ହୋଇ ଯାଇଥିଲେ। ଶେଷ ବ୍ୟାଟ୍‌ସମ୍ୟାନ୍ ଭାବେ ଜୋସ୍ ହାଜେଲଉଡ୍‌ଙ୍କ ଶିକାର ହୋଇଥିବା କ୍ରେଗ୍ ଓଭରଟନ୍ ୨୧ ରନ୍ କରିଥିଲେ। ପ୍ୟାଟ୍‌ କମିନ୍‌ସ ୪ଟି ୱିକେଟ ପାଇଥିବା ବେଳେ ଜୋସ୍ ହାଜେଲଉଡ୍‌ ଓ ନାଥାନ୍ ଲାୟନ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ। ପ୍ରଥମ ଇନିଂସରେ ଦ୍ବିଶତକ ମାରିବା ପରେ ୨ୟ ଇନିଂସରେ ଅପରାଜିତ ୮୨ ରନ୍ କରିଥିବା ଷ୍ଟିଭେନ୍ ସ୍ମିଥ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ୧୨ରୁ ଉଭୟ ଦଳଙ୍କ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ।

Leave A Reply