ଶ୍ରୀଲଙ୍କା ବ୍ୟାଟିଂ ପୁଣି ବିଫଳ; ଅଷ୍ଟ୍ରେଲିଆ ସିରିଜ୍ ଜିତିଲା

୨ୟ ଟ୍ବେଣ୍ଟି୨୦ ମ୍ୟାଚ୍

ବ୍ରିସ୍‌ବେନ୍ : ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ ସିରିଜ୍‌​‌େ​‌ର ତା’ର ପ୍ରାଧାନ୍ୟ ଅବ୍ୟାହତ ରଖିଛି। ଫଳରେ କ୍ରମାଗତ ୨ୟ ମ୍ୟାଚ୍ ଜିତି କଙ୍ଗାରୁଦଳ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି। ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ବୋଲରଙ୍କ ସଫଳତା ପରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ସହଜରେ ୯ ୱିକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୯ ଓଭରରେ ମାତ୍ର ୧୧୭ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ୱାର୍ଣ୍ଣର ଓ ସ୍ମିଥ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୧୩ ଓଭରରେ ୧ ୱିକେଟ ହରାଇ ବିଜୟୀ ହୋଇଥିଲା। କ୍ରମାଗତ ୨ୟ ବିଜୟ ପରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଅପରାଜେୟ ୨-୦ରେ ଆଗୁଆ ହୋଇ ସିରିଜ୍ ହାତେଇ ନେଇଛି। ୧ରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ।
ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କୁଶଳ ମେଣ୍ଡିସ୍ ୧ ରନ୍‌କରି ରନ୍‌ଆଉଟ ହେବା ପରେ ଧନୁଷ୍କା ଗୁଣତିଳକ ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ୨ୟ ୱିକେଟ ପାଇଁ ୨୪ ରନ୍ ଯୋଡ଼ିଥିଲେ। ପରେ ବାମହାତି କୁଶଳ ପରେରା ଆକ୍ରମଣାତ୍ମକ ବ୍ୟାଟିଂକରି ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ତେବେ ଶେଷଆଡ଼କୁ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୯ମ ଓଭରରେ ଶ୍ରୀଲଙ୍କା ଏକଦା ୨ ୱିକେଟ ହରାଇ ୫୩ ରନ୍ କରିଥିବା ବେ​‌େ​‌ଳ ଶେଷ ୮ ୱିକେଟ ହରାଇ ଏହା ମାତ୍ର ୬୪ ରନ୍ କରି ପାରିଥିଲା। ୱାନିନ୍ଦୁ ହସରଙ୍ଗା, ଇସୁରୁ ଉଦାନା ଓ ଲକ୍ଷଣ ସନ୍ଦକନ୍ ୧୦ ରନ୍ ଲେଖାଏଁ କରିଥିଲେ। କଙ୍ଗାରୁ ଦଳ ପାଇଁ ବେନ୍ ଷ୍ଟାନ୍‌ଲେକ୍, ପ୍ୟାଟ୍‌ କମିନ୍‌ସ, ଆଷ୍ଟର ଆଗର ଓ ଆଡାମ୍ ଜାମ୍ପା ୨ଟି ଲେଖାଏଁ ୱିକେଟ ପାଇଥିଲେ। ୧୧୮ ରନ୍‌ ସହଜ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଇନିଂସ ଆରମ୍ଭ କରିଥିବା ବେଳେ ପ୍ରଥମ ଓଭରର ୩ୟ ବଲ୍‌ରେ ଅଧିନାୟକ ଆରୋନ୍ ଫିଞ୍ଚଙ୍କୁ ପ୍ରତିପକ୍ଷ ଅଧିନାୟକ ଲାସିଥ୍ ମାଲିଙ୍ଗା ଆଉଟ କରି ଦେଇଥିଲେ। ଏହାପରେ ଶ୍ରୀଲଙ୍କା ବୋଲରଙ୍କୁ ଆଉ ସଫଳତା ମିଳିନଥିଲା। ଓପ୍‌ନର ଡେଭିଡ୍ ୱାର୍ଣ୍ଣର ଓ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିଲେ। ଏହି ଦୁଇ ମହାରଥୀ ୧୨.୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ପୃଥକ୍ ହୋଇନଥିଲେ। ଦୁହେଁ ଆବଶ୍ୟକ ରନ୍‌ହାରକୁ ନ ଦେଖି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅବିଭାଜିତ ୩ୟ ୱିକେଟ ପାଇଁ ୱାର୍ଣ୍ଣର ଓ ସ୍ମିଥ୍ ୧୧୭ ରନ୍ ଯୋଡ଼ିଥିଲେ। ସ୍ମିଥ୍ ୩୬ ବଲ୍‌ରୁ ୬ଟି ଚୌକା ସହ ୫୩ ରନ୍‌କରି ଅପରାଜିତ ଥିଲେ। ୱାର୍ଣ୍ଣର ୪୧ ବଲ୍‌ରୁ ୯ଟି ଚୌକା ସହ ୬୦ ରନ୍‌କରି ଅପରାଜିତ ଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଡେଭିଡ୍ ୱାର୍ଣ୍ଣର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Comments are closed.