ତୃତୀୟ ମ୍ୟାଚ୍‌ ସହ ଟ୍ବେଣ୍ଟି-୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ପର୍ଥ  : ଭ୍ରମଣକାରୀ ପାକିସ୍ତାନ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସହ ସିରିଜ୍‌କୁ ୨-୦ରେ ଜିତି ନେଇଛି ଅଷ୍ଟ୍ରେଲିଆ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ବାକି ଦୁଇଟି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଜିତି ନେଇଥିଲା।
ତୃତୀୟ ମ୍ୟାଚରେ ପାକିସ୍ତାନକୁ ୧୦ ୱିକେଟ୍‌ରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ତରଫରୁ ଇମାମ୍‌ ଉଲ୍‌ ହକ୍‌ ଓ ଅଧିନାୟକ ବାବର ଆଜମ୍‌ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ଓପନର୍‌ଦ୍ବୟ ପ୍ରଥମ ୱିକେଟ୍‌ ନିମନ୍ତେ ମାତ୍ର ୧୫ ରନ୍‌ ସଂଗ୍ରହ କରିଥିବା ବେଳେ ବାବର ଆଜମ୍‌ ବ୍ୟକ୍ତିଗତ ଭାବେ ୭ଟି ବଲ୍‌ରୁ ୧ଟି ଚୌକା ସହାୟତାରେ ୬ ରନ୍‌ କରି ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହି ସ୍କୋରରେ ପାକିସ୍ତାନର ଦ୍ବିତୀୟ ୱିକେଟ୍‌ର ପତନ ଘଟିଥିଲା। ମହମ୍ମଦ ରିଜୱାନ୍‌ କୌଣସି ରନ୍ କରିବା ପୂର୍ବରୁ ଷ୍ଟାର୍କଙ୍କ ବଲ୍‌ରେ ବୋଲଡ୍‌ ହୋଇଥିଲେ। ଏହାପରେ ପାକିସ୍ତାନ ଦଳ କ୍ରମାଗତ ଭାବେ ୱିକେଟ୍‌ ହରାଇଥିଲା। ଦଳର ସ୍କୋର ୨୨ ହୋଇଥିବା ବେଳେ ଇମାମ୍‌ ବ୍ୟକ୍ତିଗତ ଭାବେ ୧୫ଟି ବଲ୍‌ରୁ ୨ଟି ଚୌକା ସହାୟତାରେ ୧୪ ରନ୍‌ କରି ଆବଟ୍‌ଙ୍କ ଶିକାର ହୋଇଥିଲେ। ତୃତୀୟ ୱିକେଟ୍‌ ପତନ ପରେ ହାରିସ୍‌ ସୋହେଲ୍‌ ଓ ଇଫ୍‌ତିକାର ଅହମ୍ମଦଙ୍କ ମଧ୍ୟରେ ୩୨ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୫୪ ରନ୍‌ ହୋଇଥିବା ବେଳେ ସୋହେଲ୍‌ ବ୍ୟକ୍ତିଗତ ଭାବେ ୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଇଫ୍‌ତିକାର ୩୭ଟି ବଲ୍‌ରୁ ୬ଟି ଚୌକା ସହାୟତାରେ ୪୫ ରନ୍‌ କରି ରିଚାର୍ଡସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବ୍ୟାଟସମ୍ୟାନ୍‌ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିିଥିଲେ। ଖୁସଦିଲ୍‌ ଶାହା ୮, ଇମାଦ ୱାସିମ୍‌ ୬, ସାଦାବ୍‌ ଖାନ୍‌ ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ମହମ୍ମଦ ଆମିର୍‌ ୧ଟି ଛକା ସହାୟତାରେ ୯ ଓ ମହମ୍ମଦ ହାସନିନ୍‌ ୧ଟି ଚୌକା ସହାୟତାରେ ୪ ରନ୍‌ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆର ବୋଲର ରିଚାର୍ଡସନ୍‌ ୩ଟି ୱିକେଟ୍‌ ହାସଲ କରିଥିବା ବେଳେ ମିଚେଲ୍‌ ଷ୍ଟାର୍କ ଓ ଆବର୍ଟ ୨ଟି ୱିକେଟ୍‌ ପାଇଥିଲେ।
ଜବାବରେ ଅଷ୍ଟ୍ରେଲିଆ ଦଳ ୧୧.୫ ଓଭରରେ କୌଣସି ୱିକେଟ୍‌ ନ ହରାଇ ୧୦୯ ରନ୍ କରି ବିଜୟୀ ହୋଇଥିଲା। ଦଳର ଓପନର୍‌ ଡେଭିଡ୍‌ ୱାର୍ଣ୍ଣର ୩୫ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ଓ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ୩୬ଟି ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୫୨ ରନ୍‌ କରି ଅପରାଜିତ ରହିଥିଲେ। ସେନ୍‌ ଆବର୍ଟ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ଷ୍ଟିଭେନ୍‌ ସ୍ମିଥ୍‌ ପ୍ଲେୟାର ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଥିଲେ।

Comments are closed.