ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା : ପୂର୍ବତନ ଆଇଏଏଫ ମୁଖ୍ୟଙ୍କୁ ସମନ

0

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ସମ୍ପର୍କିତ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଦାଖଲ ଅତିରିକ୍ତ ଅଭିଯୋଗଫର୍ଦ ଆଧାରରେ ପଟିଆଲା ହାଉସ କୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। ଅଭିଯୋଗଫର୍ଦ ଉପରେ ଶୁଣାଣି କରି କୋର୍ଟ ପୂର୍ବତନ ଭାରତୀୟ ବାୟୁସେନା ମୁଖ୍ୟ ଏସ୍‍ପି ତ୍ୟାଗୀ, ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଅର ଫିନମେକାନିକା କମ୍ପାନୀର ପୂର୍ବତନ ନିର୍ଦେଶକ ଜୁସେପି ଓର୍ସି ଏବଂ ବ୍ରୁନୋ ସ୍ପାଙ୍ଗନୋଲିନିଙ୍କୁ ସମନ ଜାରି କରି ସେପ୍ଟେମ୍ବର ୧୨ରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରଭିନ୍ଦ କୁମାର ଏହି ମାମଲାରେ ଇଟାଲିର ମଧ୍ୟସ୍ତି କାର୍ଲୋ ଗେରୋସା, ଗୁଇଡୋ ହାସଚେକ୍‍, ଦୁବାଇର ବ୍ୟବସାୟୀ ରାଜୀବ ସକ୍ସେନାଙ୍କ ବରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଇଡ଼ି ପକ୍ଷରୁ ଦାଖଲ ଅତିରିକ୍ତ ଅଭିଯୋଫର୍ଦରେ ୩୪ ଭାରତୀୟଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଏହାବାଦ୍‍ ଏଥିରେ ବିଦେଶୀ ନାଗରିକ ଏବଂ ବିଦେଶର କେତେକ କମ୍ପାନୀଙ୍କ ନାମ ରହିଛି। ଇଡ଼ି ପକ୍ଷରୁ ଲୋକ ଅଭିଯୋଜକ ଏନ୍‍.କେ ମତା ଅତିରିକ୍ତ ଅଭିଯୋଗଫର୍ଦ ସ୍ୱତନ୍ତ୍ର ବିଚାରପତି ଅରଭିନ୍ନ କୁମାରଙ୍କ ଅଦାଲତରେ ଦାଖଲ କରିଥିଲା। ଅତିରିକ୍ତ ଅଭିଯୋଗ ଫର୍ଦରେ ୨.୮ କୋଟି ୟୁରୋର ବେଆଇନ ଅର୍ଥ କାରବାର ହୋଇଥିବା ଦର୍ଶାଯାଇଥିଲା। କେତେକ ବିଦେଶ କମ୍ପାନୀ ସହାୟତାରେ ଏହି ବେଆଇନ ଅର୍ଥ କାରବାର ହୋଇଛି। କୋର୍ଟରେ ଏବେ ୩,୬୦୦ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ସମ୍ପର୍କିତ ବେଆଇନ ଅର୍ଥ କାରବାରରେ ଶୁଣାଣି ଚାଲିଛି।

Leave A Reply