ମୋହରିର ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ : ଶାଶୁ-ଶ୍ୱଶୁର, ସ୍ତ୍ରୀ ସମେତ ୪ ଅଟକ

ନୀଳଗିରି : ନୀଳଗିରି କଚେରୀରେ ମୋହରିର କାମ କରୁଥିବା ଜଣେ ଯୁବକଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଶଳା ଥାନାରେ ଅଟକ ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବରହମପୁର ଥାନା ଗରଡ଼ିହି ପଞ୍ଚାୟତ ଅଧୀନ କଳାକାଦ ଗାଁର ମୁକ୍ତିକାନ୍ତ ସ ଓରଫ ଝୁଲୁ (୩୭) କାମ ସାରି ରାତିରେ ଘରେ ବସିଥିଲେ। ତାଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ମଧ୍ୟ ତାଙ୍କ ସହ ଭଲରେ କଥା ହେଉଥିଲେ। ତେବେ ଅଚାନକ ଶ୍ୱଶୁର ତଥା ନୀଳଗିରି ଥାନା ଧୋବଶିଳା ପଞ୍ଚାୟତ ଅଧୀନ ଖୁଣ୍ଟୁଣା ଗାଁର ଦୟାନିଧି ଜେନା, ଶାଶୂ ଭାନୁମତି ଜେନା ଓ ଶଳା ଜ୍ୟୋତିପ୍ରକାଶ ଜେନା ପହଞ୍ଚି  ଜ୍ୱାଇଁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୁହଁରେ ତକିଆ ଜାକି ଦେଇଥିବା ଅଭିଯୋଗ ହୋଇଛି। ମୁକ୍ତିକାନ୍ତ ଶ୍ୱାସରୁଦ୍ଧ ହୋଇ ଚିତ୍କାର କରୁଥିଲେ ହେଁ ତାଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ମଧ୍ୟ ନିଜ ବାପାଙ୍କ ସପକ୍ଷରେ ଯାଇ ଏହି ଆକ୍ରମଣରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। 

ତେବେ ଘରେ ପଶି ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ଅପରପକ୍ଷରେ ଖବରପାଇ ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାଶୁ, ଶ୍ୱଶୁର, ଶଳା ଓ ସ୍ତ୍ରୀକୁ ଥାନାରେ ଅଟକ ରଖିଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀଙ୍କୁ  ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.