ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ ମେସିନ

0

କଳାହାଣ୍ଡି/ଭଦ୍ରକ: ଏବେ ଲଟେରାମାନଙ୍କ ଟାର୍ଗେଟରେ ଏଟିଏମ୍ ମେସିନ ରହିଛି । ଗୋଟିଏ ଦିନରେ ରାଜ୍ୟ ଭିନ୍ନଭିନ୍ନ ସ୍ଥାନରେ ଲୁଟେରାମାନେ ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଜଣାପଡିଛି । କେଉଁଠି ଏଟିଏମ୍ ମେସିନ ଉଠାଇ ନେବାରେ ଲୁଟେରାମାନେ ସଫଳ ହୋଇଥିବା ବେଳେ ଅନ୍ୟ କେଉଁଠି ପୁଲିସ ଉପରକୁ ବୋମା ପକାଇ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସେହିପରି ଅନ୍ୟ ଏକ ସ୍ଥାନରେ ପୁଲିସ ପାଟ୍ରୋଲିଂ ଗାଡ଼ି ପହଞ୍ଚି ଯିବାରୁ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅନ୍ତର୍ଗତ ଚାରିଛକରେ ଥିବା ଇଣ୍ଡିଆନ୍ ଓଭର ସିଜ୍ ବ୍ୟାଙ୍କ (ଆଇଓବି) ଏଟିଏମରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ ଲୁଟେରାମାନେ ଏଟିଏମ୍ ମେସିନକୁ ପ୍ରଥମେ ଗ୍ୟାସ୍ କଟରରେ କାଟିଥିଲେ ଏବଂ ପରେ ଏଟିଏମ୍ ମେସିନକୁ ଏକ ପିକଅପ୍ ଭ୍ୟାନରେ ଲଦି ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । କ୍ୟାସ୍ ବକ୍ସରେ ୨ଲକ୍ଷ ୭୦ ହଜାର ଟଙ୍କା ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।

ଏହା ସହ ବସ୍ତିପଡାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଏଟିଏମରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୁଲିସ ପାଟ୍ରୋଲିଂ ଗାଡ଼ି ପହଞ୍ଚି ଥିଲା। ଫଳରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ କଳାହାଣ୍ଡି ଏସ.ପି. ଗାଭାଲି ପରାଗ ହର୍ଷଦ ପହଞ୍ଚି ତଦନ୍ତ କରିବା ସହ ପୁଲିସର ସ୍ୱତନ୍ତ୍ର ଟିମ୍ ଏହାର ଯାଞ୍ଚ ଆରମ୍ଭ କରିଛି ।

ସେହିପରି ଭଦ୍ରକ ଜିଲା ଚନ୍ଦବାଲି ଅନ୍ତର୍ଗତ ମତୋ ଫାଣ୍ଡିଠାରୁ ୨୦୦ମିଟର ଦୂରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏଟିଏମରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ ଉପରକୁ ବୋମା ପକାଇଥିଲେ। ଫଳରେ ଏଟିଏମ୍ ମେସିନ ଭାଙ୍ଗି ଚୁରମାର୍ ହୋଇଯାଇଥିଲା । ବୋମାମାଡ ଶବ୍ଦରେ ନିକଟରେ ଥିବା ଦୋକାନୀ ଉଠି ପଡ଼ିବାରୁ ତାକୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଧମକ୍ ଦେଇଥିଲେ । ସେହି ସମୟରେ ଘଟଣାସ୍ଥଳରେ ମତୋ ଫାଣ୍ଡି ପୁଲିସ୍ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ରାସ୍ତାକୁ ସିଲ୍ କରିଛି । ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply