ଦିଲ୍ଲୀ ଏନ୍‌ସିଆର୍‌ ସମେତ ୭ ରାଜ୍ୟରେ ଏଟିଏମ୍‌ ଖାଲି!

0

ନୂଆଦିଲ୍ଲୀ : ଦେଶରେ ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାରଙ୍କ ‘ବିମୁଦ୍ରାୟନ’ ଘୋଷଣା ପରେ ଦେଖା ଦେଇଥିବା ଆର୍ଥିକ ସମସ୍ୟାର ପୁନରାବୃତ୍ତି ଘଟିଛି। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଥାଇ ମଧ୍ୟ ଗ୍ରାହକ ଏଟିଏମ୍‌ରୁ ଅର୍ଥ ଉଠାଇପାରୁ ନାହାନ୍ତି। ଏଟିଏମ୍‌ ଖରାପ ଥିବ ଭାବି ଏକାଧିକ ଏଟିଏମ୍‌କୁ ଦୌଡିବା ପରେ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ଜରୁରୀ ସମୟରେ ଏକାଧିକ ଏଟିଏମ୍‌ ବୁଲିବୁଲି ଗ୍ରାହକ ଥକି ପଡ଼ୁଛନ୍ତି। ଦେଶର ଅଧିକାଂଶ ରାଜ୍ୟରେ ଥିବା ଏଟିଏମ୍‌ଗୁଡିକରେ ଅର୍ଥାଭାବ ସୃଷ୍ଟି ହୋଇଥିବାରୁ ଗ୍ରାହକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ରାଜସ୍ଥାନ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ବିଗତ କିଛି ଦିନ ହେବ ଏହି ସମସ୍ୟା ଦେଖାଦେଇଛି। ଓଡ଼ିଶାରେ ମଧ୍ୟ ଅନେକ ପରିମାଣରେ ଏହା ଲକ୍ଷ୍ୟ କରାଯାଉଛି। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ (ଦିଲ୍ଲୀ ଏନ୍‌ସିଆର୍‌)ରେ ଥିବା ଏଟିଏମ୍‌ଗୁଡିକରେ ସମାନ ପରିସ୍ଥିତି ଲାଗି ରହିଛି। ଗୁଡ଼ଗାଓଁର ୮୦% ଏଟିଏମ୍‌ରେ ଆଦୌ ଅର୍ଥ ନ ଥିବା ଜଣାପଡିଛି। ବ୍ୟାଙ୍କଗୁଡିକରେ ମଧ୍ୟ ଅର୍ଥାଭାବ ଦେଖାଦେଇଥିବା କୁାହାଯାଉଛି। ଏହି ଅର୍ଥାଭାବ ଆଗାମୀ ଦିନରେ ଦେଶର ଅନ୍ୟ ପ୍ରାନ୍ତରେ ଦେଖାଦେବା ନେଇ ଦେଶବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। କିନ୍ତୁ ସମସ୍ୟା ‘ସାମୟିକ’ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ଏଟିଏମ୍‌ର ଏହି ଅର୍ଥାଭାବ ଦୂର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଙ୍ଗଳବାର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆତଙ୍କିତ ନ ହୋଇ ଧୈର୍ଯ୍ୟ ରଖିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ବିମୁଦ୍ରାୟନ ପରେ ଦେଶରେ ଦେଖାଦେଇଥିବା ଆର୍ଥିକ ସମସ୍ୟାର ସମାଧାନ ପରବର୍ତ୍ତୀ ସମୟରେ କରାଯାଇଥିଲା। ସରକାର ପର୍ଯ୍ୟାପ୍ତ ପରିମାଣର ନୋଟ୍‌ ବଜାରକୁ ଛାଡିଥିଲେ। ପରିସ୍ଥିତି ସ୍ୱାଭାବିକ୍‌ ଚାଲିଥିଲା; କିନ୍ତୁ ଗତ କିଛି ଦିନ ହେବ କେତେକ ରାଜ୍ୟରେ ଗ୍ରାହକମାନେ ଏଟିଏମରୁ ଟଙ୍କା ଉଠାଇବାକୁ ଯାଇ ବିଫଳ ହୋଇଛନ୍ତି। ଏହି ଘଟଣାକୁ ନେଇ ମଙ୍ଗଳବାର ସକାଳୁ ସାମାଜିକ ଗଣମାଧ୍ୟମ ଟ୍ୱିଟର୍‌ରେ ଲୋକେ ବହୁ ସଂଖ୍ୟକ ବାର୍ତ୍ତା ପୋଷ୍ଟ ପୂର୍ବକ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବ୍ୟାଙ୍କଗୁଡିକରୁ ମଧ୍ୟ ନିରାଶ ହୋଇ ଫେରିବାକୁ ପଡିଥିବା ସେମାନେ ଉଲ୍ଲେଖ କରିଥିଲେ।
ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ଦର୍ଶାଇବାକୁ ଯାଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଭୋପାଳର ଏକ ଶାଖା ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଲୋକେ ବଡ଼ ନୋଟ୍‌, ବିଶେଷ କରି ୨୦୦୦ ଟଙ୍କାର ନୋଟ୍‌ ନ ଉଠାଇ କେବଳ ୫୦୦ ଏବଂ ୧୦୦ ଟଙ୍କାର ନୋଟ୍‌ ଉଠାଉଥିବାରୁ ଏଟିଏମ୍‌ ଖାଲି ହୋଇଯାଉଛି। ଅଧିକାଂଶ ସରକାରୀ ଯୋଜନା ବାବଦ ଦେୟ ବ୍ୟାଙ୍କ ମାଧ୍ୟମରେ ପୈଠ କରାଯାଇଥାଏ; କିନ୍ତୁ ଏଭଳି ଅର୍ଥ ସଙ୍କଟ ଯୋଗୁ ଏସ୍‌ବିଆଇ ଅତ୍ୟଧିକ ସମସ୍ୟା ଦେଇ ଗତି କରୁଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଏଟିଏମ୍‌ଗୁଡିକରେ ଖୁବ୍‌ କମ୍‌ ଲୋକେ ଟଙ୍କା ଜମା କରୁଛନ୍ତି ଏବଂ ଅଧିକ ଲୋକ ଟଙ୍କା ଉଠାଉଛନ୍ତି। ଏହା ମଧ୍ୟ ଏଟିଏମ୍‌ରେ ଅର୍ଥାଭାବର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳା ଭିନ୍ନ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ଆମ ପାଖରେ ୧,୨୫,୦୦୦ କୋଟି ଟଙ୍କାର ନୋଟ୍‌ ରହିଛି। କେତେକ ରାଜ୍ୟ ନିକଟରେ ଅଧିକ ଅର୍ଥ ଥିବା ବେଳେ ଅନ୍ୟ ରାଜ୍ୟଗୁଡିକରେ କମ୍‌ ଅର୍ଥ ରହିଛି। ଏହି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ଲାଗି ବିଭିନ୍ନ ରାଜ୍ୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସହିତ କେନ୍ଦ୍ର ସରକାର ଏକ ବୈଠକରେ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ବ୍ୟାଙ୍କ ଏବଂ ଏଟିଏମ୍‌କୁ ଟଙ୍କା ସ୍ଥାନାନ୍ତର ନିମନ୍ତେ କେନ୍ଦ୍ର ସରକାର ରାଜ୍ୟୱାରୀ କମିଟି ଏବଂ ଆର୍‌ବିଆଇ ମଧ୍ୟ ଏକ କମିଟି ଗଠନ କରିଛନ୍ତି। ତିନି ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ।
ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସକାଳେ ଟ୍ୱିଟ୍‌ କରିଛନ୍ତି ଯେ ଦେଶର ଆବଶ୍ୟକତା ପୂରଣ ଲାଗି ୫୦୦, ୨୦୦ ଏବଂ ୧୦୦ ଟଙ୍କାର ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ରଖିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଆଗାମୀ ଦିନରେ ବଜାରକୁ ପର୍ଯ୍ୟାପ୍ତ ପରିମାଣରେ ଏହି ନୋଟ୍‌ ଯୋଗାଇ ଦିଆଯିବ। ଏଣୁ ଲୋକେ ଆତଙ୍କିତ ନ ହେବାକୁ ସେ ନିବେଦନ କରିଛନ୍ତି। ଅନ୍ୟପଟେ ଏହି ପରିସ୍ଥିତିକୁ ‘ମୁଦ୍ରା ବା ନୋଟ୍‌ର ଅଭାବ’ କହିବା ଭୁଲ ହେବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ୍‌ କୁମାର କହିଛନ୍ତି। ଦେଶର କେତେକ ସ୍ଥାନରେ କେତେକ ନୋଟ୍‌ର ଚାହିଦା ବୃଦ୍ଧି ପାଇଥିବାରୁ ଏଭଳି ଅସ୍ଥାୟୀ ସମସ୍ୟା ଉପୁଜିଛି। ବିଶେଷକରି ଅମଳ ସମୟରେ କେତେକ ସ୍ଥାନରେ ଅଧିକ ନୋଟ୍‌ର ଆବଶ୍ୟକତା ପଡିଥାଏ; ଏହା କିଛି ନୂଆ କଥା ନୁହେଁ। ଏସ୍‌ବିଆଇ ଦୃଷ୍ଟିକୋଣରୁ ମହାରାଷ୍ଟ୍ର ଏବଂ ମୁମ୍ବଇରେ ଅର୍ଥାଭାବ ନାହିଁ। ଆଗାମୀ ଦିନରେ ଏଟିଏମ୍‌ଗୁଡିକରେ ଅଧିକ ୫୦୦ ଟଙ୍କିଆ ନୋଟ୍‌ ଭରି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ସେ ଦର୍ଶାଇଛନ୍ତି।

Leave A Reply