ଶାସକ ଓ ବିରୋଧୀ ଦଳର ହଟ୍ଟଗୋଳ, ଦିନ ୩ଟା ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ବର: ସୋମବାର ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଗୃହକାର୍ୟ୍ୟ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ଭିନ୍ନଭିନ୍ନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଦିନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ଗୃହ ଆରମ୍ଭରେ ଢେଙ୍କାନାଳରେ ଗଛକଟା ପ୍ରସଙ୍ଗ ଉଠାଇ ବିଜେପି ନେତାମାନେ ହୋହାଲ୍ଲା କରିଥିବା ବେଳେ ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ନେତା ହଟ୍ଟଗୋଳ କରିଥିଲେ । ସେହିପରି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡକୁ କେନ୍ଦ୍ର ସରକାର ହ୍ରାସ କରିଥିବା ପ୍ରସଙ୍ଗ ଉଠାଇ ଶାସକ ଦଳର ନେତାମାନେ ନିଜ ନିଜ ଆସନରେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ । ଉଭୟ ଶାସକ ଓ ବିରେଧୀ ଦଳର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଦିନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।  ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ଗୃହ ବାହାରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

ସୂଚନାଯୋଗ୍ୟ, ଶୀତ ଅଧିବେଶନର ପ୍ରଥମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ଗତ ଶନିବାର ଦିନ ଗୃହରେ ଅନୁସୂଚିତ ଜାତି ଓ ଜନଜାତିକୁ ନେଇ ମନ୍ତ୍ରୀ ଭୁଲ ଉତ୍ତର ରଖିଥିବା ଅଭିଯୋଗ​‌ରେ ବିରୋଧୀଦଳ ହଙ୍ଗାମା କରିଥିଲେ । କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା ହୋଇଥିଲା। ମୁଲତବୀ ପରେ ବିଧାନସଭାରେ ଚାଷୀ ପ୍ରସଙ୍ଗ ଓ ଶୂନ୍ୟକାଳରେ ଭତ୍ତା ବୃଦ୍ଧି ଦାବି ଉଠିଥିଲା ।

 

Leave A Reply