ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ା ମଶାଲ ପ୍ରଜ୍ଜ୍ୱଳିତ

0

ନୂଆଦିଲ୍ଲୀ: ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‍ରେ ଏସୀୟ କ୍ରୀଡାର ୧୮ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଏହି ଉପଲକ୍ଷେ ରବିବାର ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରୁ ଏହି କ୍ରୀଡାର ମଶାଲ ଯାତ୍ରା ଆରମ୍ଭ ହୋଇଛି। ଯାତ୍ରା ପୂର୍ବରୁ ଆୟୋଜିତ ଉତ୍ସବରେ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଓ ମହାସଚିବ ରାଜୀବ ମେହେଟ୍ଟା ମିଳିତଭାବେ କ୍ରୀଡା ମଶାଲକୁ ପ୍ରଜ୍ଜ୍ୱଳିତ କରିଥିଲେ। ଏହି ଅବସରରେ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ମହାନିିର୍ଦେଶକ ନୀଲମ କପୁର, କେନ୍ଦ୍ର କ୍ରୀଡା ସଚିବ ରାହୁଲ ଭଟ୍ଟନାଗର, ଏସୀୟ ଅଲିମ୍ପିକ କାଉନସିଲ ଉପସଭାପତି ୱି ଜିଜ୍‍ହୋଙ୍ଗ୍‍, ରାଜା ରଣଧୀର ସିଂହଙ୍କ ସମେତ ଇଣ୍ଡୋନେସିଆ ଏସୀୟ କ୍ରୀଡା ଆୟୋଜନ କମିଟି ଅଧ୍ୟକ୍ଷ ଏରିକ୍‍ ଥୋହିର ଉପସ୍ଥିତ ଥିଲେ। ପ୍ରଜ୍ଜ୍ୱଳନ ପରେ ଉକ୍ତ ମଶାଲକୁ ଇଣ୍ଡୋନେସିଆର ମହିଳା ବ୍ୟାଡମିଣ୍ଟନ ତାରକା ସୁସି ସୁଶାନ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା। କିଛି ରାସ୍ତା ଅତିକ୍ରମ କରିବାପରେ ସୁଶାନ୍ତି ଉକ୍ତ ମଶାଲକୁ ପାଞ୍ଚଥରର ବିଶ୍ୱ ଚମ୍ପିଆନ ଭାରତୀୟ ମହିଳା ବକ୍ସର ମେରି କମ୍‍ଙ୍କୁ ହସ୍ତାନ୍ତର କରିଥିଲେ। ମେରି କମ୍‍ଙ୍କ ପରେ ଭାରତୀୟ ହକି ଦଳର ଅଧିନାୟକ ଶ୍ରୀଜେସ, ସୁଟର ଜିତୁ ରାୟ, ମହିଳା ବକ୍ସର ଏଲ.ସରିତା ଦେବୀ, ତୀରନ୍ଦାଜ ଜୟନ୍ତ ତାଲୁକଦାର, ଟେବୁଲ ଟେନିସ ଖେଳାଳି ଶରତ କମଲ, ହକି ଖେଳାଳି ସର୍ଦ୍ଦାର ସିଂହ, ଏସ.ଭି.ସୁନିଲ, କବାଡି ଖେଳାଳି ଅନୁପ କୁମାର, ଅଜୟ ଠାକୁର, ମହିଳା ଟେବୁଲ ଟେନିସ ଖେଳାଳି ମାନିକା ବାତ୍ରା ପ୍ରମୁଖ କ୍ରମାନ୍ୱୟେ ମଶାଲ ଧରି ଦୌଡିଥିଲେ। ଷ୍ଟାଡିୟମରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରା ରାଜପଥ, ଇଣ୍ଡିଆ ଗେଟ୍‍ ଦେଇ ପୁଣି ଷ୍ଟାଡିୟମକୁ ଫେରିଥିଲା। ୧୯୫୧ରେ ନୂଆଦିଲ୍ଲୀରେ ପ୍ରଥମ ଏସୀୟ କ୍ରୀଡା ଆୟୋଜିତ ହୋଇଥିବାବେଳେ ଏହି ଷ୍ଟାଡିୟମରୁ ମଶାଲ ଶୋଭାଯାତ୍ରା ବାହାରିଥିଲା। ୬୭ ବର୍ଷ ପରେ ପୁଣି ଏହି ଘଟଣାର ପୁନରାବୃତ୍ତି ଘଟିଛି। ତେଣୁ ଏହା ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବାତ୍ରା ତାଙ୍କର ସଂକ୍ଷିପ୍ତ ଭାଷଣରେ ଉଲ୍ଲେଖ କରିଥିଲେ। ନୂଆଦିଲ୍ଲୀ ପରିକ୍ରମା କରିବାପରେ ଉକ୍ତ ମଶାଲ ଇଣ୍ଡୋନେସିଆକୁ ହସ୍ତାନ୍ତର କରାଯିବ। ଜୁଲାଇ ୧୮ରେ ଜାଭା ପ୍ରଦେଶ ଅନ୍ତର୍ଗତ ପ୍ରାମ୍ବାନନ୍‍ ସହରରେ ଥିବା ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ପରିସରରେ ପ୍ରଜ୍ଜ୍ୱଳିତ ହୋଇଥିବା ଅନ୍ୟ ଏକ ମଶାଲ ସହ ନୂଆଦିଲ୍ଲୀରୁ ପଠାଯାଇଥିବା ମଶାଲକୁ ସଂଯୋଗ କରାଯିବ। ଜୁଲାଇ ୧୮ରୁ ଅଗଷ୍ଟ ୧୮ ମଧ୍ୟରେ ନୂଆ ମଶାଲ ଇଣ୍ଡୋନେସିଆର ୫୪ଟି ସହର ଦେଇ ୧୮୦୦୦ କିମି ଯାତ୍ରା କରିବାପରେ ମୁଖ୍ୟ ଷ୍ଟାଡିୟମରେ ପହଞ୍ଚିବ ବୋଲି ଜଣାପଡିଛି।

Leave A Reply