ଭାରତ-ପାକିସ୍ତାନ ସୁପର ଫୋର୍‌ ମୁକାବିଲା ଆଜି

0

ଦୁବାଇ : ୧୫ ମାସ ପରେ କ୍ରିକେଟ ପଡ଼ିଆର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରର ମୁକାବିଲା କରିଥିବା ବେଳେ ଏହାର ୪ ଦିନ ପରେ ପୁଣି ଉଭୟଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଚଳିତ ଏସିଆ କପ୍‍ର ସୁପର ଫୋର୍‍ ପର୍ଯ୍ୟାୟରେ ରବିବାର ଭାରତ-ପାକିସ୍ତାନ ଲଢ଼େଇ ହେବ। ଲିଗ୍‍ ପର୍ଯ୍ୟାୟରେ ଗତ ୧୯ରେ ପାକିସ୍ତାନକୁ ସହଜରେ ହରାଇଥିବା ଭାରତ ଯେ ଏହି ମ୍ୟାଚରେ  ଫେଭରିଟ୍‍; ତାହା ସମସ୍ତେ କହୁଛନ୍ତି। ତେବେ ପାକିସ୍ତାନ ଦଳ ବିଷୟରେ କୁହାଯାଏ ଯେ ତା’ର ଦିନରେ ଏହା ବିଶ୍ୱର ଯେକୌଣସି ଦଳକୁ ପରାସ୍ତ କରିପାରିବ। ଏହାକୁ ଦେଖି କହିହେବ ଯେ ଭାରତକୁ ଚକ୍‍ମା ଦେବାରେ ପାକିସ୍ତାନ ସମର୍ଥ। ସୁପର ଫୋର୍‍ ମୁକାବିଲା ଜିତି ଲିଗ୍‍ ପର୍ଯ୍ୟାୟର ପ୍ରତିଶୋଧ ନେବାକୁ ପାକିସ୍ତାନ ନିଶ୍ଚୟ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପାକିସ୍ତାନକୁ କ୍ରମାଗତ ୨ୟ ମ୍ୟାଚ୍‍ରେ ହରାଇ ଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ ରହିଛି। ଭାରତଠାରୁ ବଡ଼ ବ୍ୟବଧାନରେ ପରାଜୟ ପରେ ପାକିସ୍ତାନ ଯେପରି ଭାବେ ଲଢ଼ୁଆ ପ୍ରଦର୍ଶନ କରି ଆଫ୍‍ଗାନିସ୍ତାନକୁ ପରାସ୍ତକଲା; ତାହା ନିଶ୍ଚୟ ପାକିସ୍ତାନକୁ ଆତ୍ମବିଶ୍ୱାସ ପ୍ରଦାନ କରିଥିବ।


କ୍ରମାଗତ ୩ଟି ମ୍ୟାଚରେ ବିଜୟ ପରେ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଅପରାଜିତ ଦଳ ହେଉଛି ଭାରତ। ପୁଣି ପ୍ରଥମ ମ୍ୟାଚରେ  ହଂକଂ ବିପକ୍ଷରେ ଭାରତକୁ ଲଢ଼ିବାକୁ ପଡ଼ିଥିବା ବେଳେ ବାକି ୨ଟି ମ୍ୟାଚ୍‍ ଭାରତ ସହଜରେ ଜିତିଛି। ଏହି ୨ଟି ମ୍ୟାଚରେ ଭାରତକୁ ବୋଲର ଏକତରଫା ବିଜୟ ଦେଇଛନ୍ତି। ଅବଶ୍ୟ ଓପ୍‍ନର ଭଲ ବ୍ୟାଟିଂ କରିଛନ୍ତି। ଭୁବନେଶ୍ୱର କୁମାର କ୍ରମାଗତ ୨ଟି ମ୍ୟାଚ୍‍ରେ ୩ଟି ଲେଖାଏଁ ୱିକେଟ ନେବା ରୋହିତ ଶର୍ମାଙ୍କ ଦଳକୁ ବେଶ୍‍ ଉତ୍ସାହିତ କରିଛି। ଯଶପ୍ରୀତ୍‍ ବୁମ୍‍ରା ଚମତ୍କାର ଫର୍ମରେ ଅଛନ୍ତି ଏବଂ ୩ଟିଯାକ ମ୍ୟାଚ୍‍ରେ ଚମ୍ପିଆନ୍‍ଙ୍କ ପରି ବୋଲିଂ କରିଛନ୍ତି। ଦୁଇ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଶୁଖିଲା ଦୁବାଇ ପିଚ୍‍ରେ ଚମତ୍କାର ବୋଲିଂ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ  ଅଲ୍‍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଭାରତକୁ ଚିନ୍ତିତ କରିଥିଲା। ତେବେ ତାଙ୍କ ବଦଳ ଖେଳାଳି ରବୀନ୍ଦ୍ର ଜାଡ଼େଜା ପ୍ରଥମ ମ୍ୟାଚ୍‍ରେ ହିଁ ଯାଦୁ ଦେଖାଇଛନ୍ତି। ୪ଟି ୱିକେଟ ନେଇ ଜାଡ଼େଜା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହେବା ପରେ ଭାରତର ୫ମ ବୋଲର ଚିନ୍ତା ଦୂରହୋଇଛି। ଆଶାରହିଛି ଯେ ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ପାକିସ୍ତାନ ବିପକ୍ଷରେ ଓହ୍ଲାଇବ। ତେବେ ପିଚ୍‍ରେ ଯଦି କିଛି ଘାସ ରହେ; ତେବେ ୩ୟ ପେସ୍‍ ବୋଲର ଭାବେ ଦୀପକ ଚହର କିମ୍ବା ସିଦ୍ଧାର୍ଥ କୌଲ ଖେଳିପାରନ୍ତି। ବ୍ୟାଟିଂକୁ ନେଇ ଭାରତର କୌଣସି ସମସ୍ୟା ନାହିଁ। ଓପ୍‍ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଦ୍ରୁତଗତିରେ ସ୍କୋର କରିଛନ୍ତି। ଅମ୍ବତି ରାୟୁଡୁ, କେଦାର ଯାଦବ ଓ ଦିନେଶ କାର୍ତ୍ତିକ ଭଲ ବ୍ୟାଟିଂ କରିଛନ୍ତି। ମହେନ୍ଦ୍ର ସିଂହ ଧୋନି ବାଂଲାଦେଶ ବିପକ୍ଷରେ ଭଲ ଇନିଂସ ଖେଳିଛନ୍ତି। ତେବେ ପାକିସ୍ତାନ ଜାଣିଛି; ଯଦି ଏହା ରୋହିତ ଓ ଧାୱନଙ୍କୁ ଜଲ୍‍ଦି ଆଉଟ କରିଦିଏ; ତେବେ ଭାରତ ଚାପରେ ପଡ଼ିଯିବ।
ମହମ୍ମଦ ଆମିର ପାକିସ୍ତାନର ଶ୍ରେଷ୍ଠ ବୋଲର ହୋଇଥିଲେ ହେଁ ସେ ଆଦୌ ଲୟରେ ନାହାନ୍ତି; ଯାହା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି। ଆଫ୍‍ଗାନିସ୍ତାନ ବିପକ୍ଷ ମ୍ୟାଚ୍‍ରେ ଆମିରଙ୍କୁ ବିଶ୍ରାମ ଦିଆ ଯାଇଥିଲେ ହେଁ ଭାରତ ବିପକ୍ଷ ମ୍ୟାଚ୍‍ରେ ସେ ଖେଳିବେ। ଫଳରେ ମହମ୍ମଦ ଉସ୍‍ମାନ କିମ୍ବା ସାହିନ୍‍ ଆଫ୍ରିଦିଙ୍କ ମଧ୍ୟରୁ ଜଣେ ବସିବେ। ପୁଣି ବାମହାତି ସ୍ପିନର ହାରିସ୍‍ ସୋହେଲଙ୍କ ସ୍ଥାନରେ ଫହିମ୍‍ ଅସ୍ରଫ୍‍ ଫେରିପାରନ୍ତି। ବାମହାତି ସ୍ପିନର ମହମ୍ମଦ ନୱାଜ୍‍ ଆଫ୍‍ଗାନିସ୍ତାନ ବିପକ୍ଷରେ ଭଲ ବୋଲିଂ କରିଥିବାରୁ ସେ ମଧ୍ୟ ଭାରତ ବିପକ୍ଷରେ ଖେଳିବା ଦୌଡ଼ରେ ସାମିଲ ହୋଇଛନ୍ତି। ନୱାଜ୍‍ ଓ ଲେଗ୍‍ସ୍ପିନର ମହମ୍ମଦ୍‍ ସଦ୍ଦାବ୍‍ଙ୍କ ମଧ୍ୟରୁ ଜଣେ ଖେଳିବେ। ୩ୟ ପେସ୍‍ ବୋଲର ଭାବେ ହାସନ୍‍ ଅଲୀ ଖେଳିବା ନିଶ୍ଚିତ। ଓପ୍‍ନର ଫଖର ଜମାନ୍‍ଙ୍କ ଆଭ୍‍ରେଜ୍‍ ୬୦ରୁ ଅଧିକ ହୋଇଥିଲେ ହେଁ ଚଳିତ ଏସିଆ କପ୍‍ରେ ସେ ଅଦ୍ୟାବଧି ଖାତା ଖୋଲି ପାରିନାହାନ୍ତି। ତାଙ୍କଠାରୁ ବଡ଼ ସ୍କୋର୍‍ର ଆଶା ପାକିସ୍ତାନ ରଖିଛି। ତେବେ ଅନ୍ୟ ଓପ୍‍ନର ଇମାମ୍‍ ଉଲ୍‍ ହକ୍‍ ଗତ ମ୍ୟାଚ୍‍ରେ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି। ୩ଟିଯାକ ମ୍ୟାଚ୍‍ରେ ପାକିସ୍ତାନର ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ବାବର ଆଜମ୍‍ ଓ ଅଭିଜ୍ଞ ସୋଏବ୍‍ ମାଲିକ୍‍ ଭଲ ବ୍ୟାଟିଂ କରିଛନ୍ତି। ଆଫ୍‍ଗାନିସ୍ତାନ ବିପକ୍ଷରେ ମାଲିକ୍‍ଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ଯୋଗୁଁ ପାକିସ୍ତାନ ଜିତିଥିଲା। ତେବେ ଅନ୍ୟ ଦୁଇ ବ୍ୟାଟ୍‍ସମ୍ୟାନ୍‍ ଆସିଫ୍‍ ଅଲୀ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ବିଫଳ ହୋଇଛନ୍ତି। ତେଣୁ ପାକିସ୍ତାନର ମଧ୍ୟକ୍ରମ ଦୁର୍ବଳ ଲାଗୁଛି।

Leave A Reply