ଏନଆରସି ଲାଗୁ ହେଲେ ସର୍ବପ୍ରଥମେ ମନୋଜ ତିୱାରୀଙ୍କୁ ଦିଲ୍ଳୀ ଛାଡ଼ିବାକୁ ପଡ଼ିବ: କେଜରିୱାଲ

ନୂଆଦିଲ୍ଲୀ : ଆସାମରେ ଏନଆରସି ତାଳିକା ପ୍ରକାଶ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ଦାବି ହେଉଛି। ଏହାକୁ ନେଇ ଏବେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଓ ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀରେ ଏନଆରସି ଲାଗୁ ହେଲେ ସର୍ବପ୍ରଥମେ ମନୋଜ ତିୱାରୀଙ୍କୁ ବାହାରକୁ ଯିବାକୁ ପଡ଼ିବ ବୋଲି କେଜରିୱାଲ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମନୋଜ ତିୱାରୀ ଦିଲ୍ଲୀରେ ଏନଆରସି ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲେ। ଅଗଷ୍ଟ ୩୧ରେ ସେ କହିଥିଲେ ଯେ ଦିଲ୍ଲୀରେ ଏନଆରସିର ଆବଶ୍ୟକତା ରହିଛି। ଦିଲ୍ଲୀରେ ଆସି ରହୁଥିବା କେତେକ ବେଆଇନ ପ୍ରବାସୀ ଅତି ବିପଦଜନକ ଅଟନ୍ତି। ତେଣୁ ଆମେ ଏଠାରେ ଏନଆରସି ଲାଗୁ କରିବାକୁ କହୁଛୁ। ଚଳିତ ବର୍ଷ ମଇ ମାସରେ ଦିଲ୍ଲୀର ମୋତି ନଗରରେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ହତ୍ୟା କରାଯାଇଥିଲା। ସେହି ସମୟରେ ମନୋଜ ତିୱାରୀ ସନ୍ଦିଗ୍ଧ ହତ୍ୟାକାରୀ ରୋହିଙ୍ଗ୍ୟା କିମ୍ବା ବାଂଲାଦେଶୀ ହୋଇପାରନ୍ତି ବୋଲି ସନ୍ଦେହ ବ୍ୟକ୍ତ କରିବା ସହ ଏନଆରସି ଲାଗୁ କରିବାକୁ କହିଥିଲେ। ସେବେଠାରୁ ଦିଲ୍ଳୀରେ ଏନଆରସି ଲାଗୁକୁ ନେଇ ବିତର୍କ ଜାରି ରହିଛି।

Comments are closed.