ଅର୍ଥତତ୍ତ୍ୱ ମାମଲା: ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ପୁଅକୁ ସିବିଆଇ ଜେରା

0

ଭୁବନେଶ୍ୱର : ଚିଟ୍‌ଫଣ୍ଡ୍‌ ସଂସ୍ଥା ଅର୍ଥତତ୍ତ୍ୱ ମାମଲାର ତଦନ୍ତକୁ ଶେଷ କରିବା ଲାଗି ସିବିଆଇ ଏବେ ପୁଣି କିଛି ହୋଟେଲ୍‌ ମାଲିକ, ବିଲ୍‌ଡରଙ୍କୁ ଡାକି ପଚରାଉଚରା କରିଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁତ୍ର ବିପ୍ଳବ ପାତ୍ର(ପିଣ୍ଟୁ)ଙ୍କୁ ମଧ୍ୟ ପଚରାଉଚରା କରିଛି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଅର୍ଥରେ କ୍ରୟ ହୋଇଥିବା କିଛି କମ୍ପ୍ୟୁଟରକୁ ପିଣ୍ଟୁ ନେଇଥିବା ସିବିଆଇ ସୁରାକ୍‌ ପାଇଥିଲା। ତେବେ ଏନେଇ ନିକଟରେ ସିବିଆଇର ଅଧିକାରୀମାନେ ପିଣ୍ଟୁଙ୍କ ଅଫିସକୁ ଯାଇ ଯାଞ୍ଚ କରିିଥିଲେ। ସହିଦନଗରରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରୁ ଅର୍ଥତତ୍ତ୍ୱ ୫୦ରୁ ଅଧିକ କମ୍ପ୍ୟୁଟର କ୍ରୟ କରିଥିଲା। ସେଥିରୁ କିଛି କମ୍ପ୍ୟୁଟର ପିଣ୍ଟୁ ନେଇଥିବା ସିବିଆଇ ଜାଣିବା ପରେ ସିବିଆଇ ପିଣ୍ଟୁଙ୍କୁ ପଚରାଉଚରା କରିଛି। ସିବିଆଇର ଅଧିକାରୀ ଉକ୍ତ କମ୍ପ୍ୟୁଟର ସଂସ୍ଥାର କର୍ମଚାରୀଙ୍କ ବୟନ ରେକର୍ଡ କରିଛି। ପିଣ୍ଟୁ କେତେକ କାଗଜପତ୍ର ସିବିଆଇ ନିକଟରେ ଦାଖଲ କରିବାକୁ ସମୟ ନେଇଥିବା ଜଣାପଡିଛି।
ସେହିପରି ପୂର୍ବରୁ ଜେରାର ସମ୍ମୁଖୀନ ହୋଇଥିବା ନୂଆପଲ୍ଲୀ ଅଞ୍ଚଳର ବିଲ୍‌ଡର ସଂସ୍ଥାର ମୁଖ୍ୟ ବୁବୁ ଓରଫ ସତ୍ୟବ୍ରତ ଧୀର, ଜନପଥରେ ଥିବା ହୋଟେଲ୍‌ ମାଲିକ କମଳାକାନ୍ତ ଦାସ, ଲକ୍ଷ୍ମୀସାଗର ଛକ ନିକଟ ଏକ ବାର୍‌ର ମାଲିକ ଅଜୟ ନାୟକ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି। ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଏବଂ ଯୁଗ୍ମ ନିର୍ଦେଶକ ପଙ୍କଜ ଶ୍ରୀବାସ୍ତବ ଆସି ବିଭିନ୍ନ ଚିଟ୍‌ଫଣ୍ଡ୍‌ ମାମଲାର ସମୀକ୍ଷା କରିବା ପରେ ଶିଥିଳ ହୋଇପଡିଥିବା ସିବିଆଇ ତଦନ୍ତ କ୍ରିୟାଶୀଳ ହୋଇଛି।

Leave A Reply