ଫ୍ରାନ୍ସରୁ ୧୦୦୦ କୋଟିର ୩୦୦୦ ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର କିଣିବ ଭାରତ!

0

ନୂଆଦିଲ୍ଲୀ : ଭାରତୀୟ ସେନା ଫ୍ରାନ୍ସରୁ ୩୦୦୦ ଟ୍ୟାଙ୍କ ବିଧ୍ୱଂସକାରୀ ଦିଶା ନିର୍ଦେଶକାରୀ (ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‍ ମିଶାଇଲ) କ୍ଷେପଣାସ୍ତ୍ର ‘ମିଲନ୍‍ ୨ଟି’ କିଣିବା ପାଇଁ ବିଚାର କରୁଛି। ସେନା ଏଥିପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି ଓ ଏହାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟକୁ ପଠାଇବ ବୋଲି ସେନାର ବରିଷ୍ଠ ଅଧିକାରୀଙ୍କ ନିକଟରୁ ଜାଣିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କମିଟି ସେନାର ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବ। ଏହି ୩୦୦୦ ଟ୍ୟାଙ୍କ ବିଧ୍ୱଂସକାରୀ ଦିଶା ନିର୍ଦେଶକାରୀ କ୍ଷେପଣାସ୍ତ୍ର ପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିବା ପାଇଁ ଦ୍ୱିତୀୟ ପିଢିର ଏହି କ୍ଷେପଣାସ୍ତ୍ର ଅତି ଫଳପ୍ରଦ ହେବ ବୋଲି କୁହାଯାଉଛି।
ସୂଚନା ଅନୁସାରେ ଭାରତ ଡାଇନାମିକ୍ସ ଲିମିଟେଡ୍‍ (ବିଡିଏଲ) ଫ୍ରାନ୍ସ କମ୍ପାନୀ ସହ ମିଶି ଭାରତରେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିବ। ଦୁଇରୁ ଅଢେଇ କିଲୋମିଟର ଦୂରରେ ଥିବା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଏହା ସହଜରେ ଧ୍ୱଂସ କରିପାରିବ। ସେନାକୁ ବର୍ତ୍ତମାନ ୭୦ ହଜାର ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ପାଇଁ ଅତିରିକ୍ତ ୮୫୦ ଲଞ୍ଚର୍ସ ଆବଶ୍ୟକ। ସେନା ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛି। କିନ୍ତୁ ଏହାକୁ ବିକଶିତ କରିବାରେ ସମୟ ଲାଗିବ। ତେଣୁ ସେନା ଦ୍ୱିତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି। ପ୍ରକାଶଯୋଗ୍ୟ ଯେ ଭାରତ ଇସ୍ରାଏଲଠାରୁ ସ୍ପାଇକ୍‍ ଟ୍ୟାଙ୍କ ବିଧ୍ୱଂସାକରୀ କ୍ଷେପଣାସ୍ତ୍ର କିଣିବା ଯୋଜନାକୁ ରଦ୍ଦ କରିଦେଇଛି। କାରଣ ଭାରତରେ ସେହି ଧରଣର ଟ୍ୟାଙ୍କ ବିଧ୍ୱଂସାକରୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଉଛି। ଡିଆରଡିଓ ମେନ୍‍ ପୋର୍ଟେବଲ ଟ୍ୟାଙ୍କ ବିଧ୍ୱଂସକାରୀ କ୍ଷେପଣାସ୍ତ୍ରର ଦୁଇ ଥର ସଫଳତାର ସହ ପରୀକ୍ଷଣ କରସାରିଛି।

Leave A Reply